ଭୁବନେଶ୍ୱର: ଖବରକାଗଜ ଓ ଗଣମାଧ୍ୟମରେ କାମ କରୁଥିବା ବ୍ୟକ୍ତିମାନଙ୍କୁ ଲୋକେ ପୂର୍ବରୁ ଟାଉଟର୍‌ ବୋଲି ଭାବୁଥିଲେ। କିନ୍ତୁ ଆଜି ସେହି ଟାଉଟର୍‌ ସାହିତ୍ୟ କ୍ଷେତ୍ରରେ ନିଜର ଦକ୍ଷତା ହାସଲ କରି ପାରିଥିବାରୁ ନିଜକୁ ଗର୍ବ ଲାଗୁଛି। ଲେଖକଙ୍କ ଜନ୍ମରେ ହିଁ ପୁସ୍ତକ ଜନ୍ମ ହୋଇଥାଏ। ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ଏପରି କହିଛନ୍ତି। ‘ପକ୍ଷୀଘର’ ପ୍ରକାଶନୀ ସଂସ୍ଥା ପକ୍ଷରୁ ପ୍ରକାଶିତ ଲେଖକ ଅମରେଶ ବିଶ୍ୱାଳଙ୍କ ପୁସ୍ତକ ‘ଆତ୍ମନ’ ଓ ‘ହ୍ୟାଙ୍ଗଓଭର’ ଉନ୍ମୋଚନ ଅବସରରେ ସ୍ଥାନୀୟ ରାଜ୍ୟ ଅଭିଲେଖାଗାର ପରିସରରେ ଆୟୋଜିତ ହୋଇଯାଇଛି। ଏଥିରେ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିିଲେ ଯେ, ବହିର ଭାଗ୍ୟ ହୁଏତ ଥାକରେ ରହିଯାଇପାରେ କିନ୍ତୁ କବିତାର ଭାଗ୍ୟ ନୁହେଁ। ଆଜିକାଲି ନୂଆପିଢ଼ି କାଗଜ କାଳିରେ ଲିଖିତ କବିତା ଓ ଗଳ୍ପକୁ ପଢ଼ିବାକୁ ପସନ୍ଦ କରୁନାହାନ୍ତି। ସେଥିପାଇଁ ଅଧିକାଂଶ ବହି ବିକ୍ରି ହୋଇପାରୁନାହିଁ। କିନ୍ତୁ ପିଢ଼ିର ମାନସିକତା ଓ ସମ୍ଭାବନାକୁ ପରିବର୍ତ୍ତନ କରିବାକୁ ହେଲେ ଏହାର ବିକଳ୍ପ ବ୍ୟବସ୍ଥା କରିବା ଦରକାର। ବିଜ୍ଞାନ ଓ କାରିଗରୀ ଜ୍ଞାନକୌଶଳ ମାଧ୍ୟମରେ ବା ସାମାଜିକ ଗଣମାଧ୍ୟମ ଜରିଆରେ ଯଦି ଛଡ଼ା ଯାଇପାରିବ, ତେବେ ଏହାକୁ ସହଜରେ ସେମାନେ ଗ୍ରହଣ କରିବେ। ଏହା ସହଜରେ ଓ ଅଳ୍ପ ଖର୍ଚ୍ଚରେ ମଧ୍ୟ ହୋଇପାରିବ।

Advertisment

ଏଥିରେ ସମ୍ମାନିତ ଅତିଥି ଭାବେ ଔପନ୍ୟାସିକ ବିଭୂତି ପଟ୍ଟନାୟକ ଯୋଗ ଦେଇ କହିଥିଲେ ଯେ ଧୀରେ ଧୀରେ ପାଠକଙ୍କ ସଂଖ୍ୟା ବଢ଼ୁଛି। ଖବର କାଗଜ ଓ ଗଣମାଧ୍ୟମ ପାଠକ ବଢ଼ିବା ଦିଗରେ ବହୁତ ସାହଯ୍ୟ କରୁଛି। ଲେଖକଙ୍କ ପୁସ୍ତକର ପ୍ରଶଂସା କରିବା ସହ ପ୍ରେମର ସଂଜ୍ଞା ଓ ସାହିତ୍ୟ କ୍ଷେତ୍ରରେ ଲେଖକଙ୍କ ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହାସହ ପ୍ରକାଶକ ବନୋଜ ତ୍ରିପାଠୀ, ‘ମଧୁଲିତା ପତ୍ରିକା’ର ସଂପାଦିକା ମଧୁଲିତା ପରିଡ଼ା ଓ ଗାଳ୍ପିକ ଅଜୟ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ଚନ୍ଦ୍ରଶେଖର ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ନିରାକାର ଦାସ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ।