ଭୁବନେଶ୍ବର: ଆଜି ଭୋର୍ ସମୟରେ ସପ୍ତମ ବାଟାଲିଅନ୍ ପରିସରସ୍ଥ ଏକ ଗଛରେ ଝୁଲି ସିପାହୀ ଦୁର୍ଯ୍ୟୋଧନ ମହାନ୍ତି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସଫେଇ ଦାୟିତ୍ବରେ ଥିବା ପୁଲିସ କର୍ମଚାରୀମାନେ ଗଛରୁ ଦୁର୍ଯ୍ୟୋଧନଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ନେବାକୁ ବାହାରିଥିବା ବେଳେ ସେ ମୃତ ବୋଲି ଜଣାପଡ଼ିଥିଲା। ତେଣୁ ମୈତ୍ରୀବିହାର ଥାନାକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। କିନ୍ତୁ ମୃତ ଦୁର୍ଯ୍ୟୋଧନଙ୍କ ପତ୍ନୀ ଲୀନା ମହାନ୍ତି ଓ ଅନ୍ୟ ଆତ୍ମୀୟସ୍ବଜନମାନେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ତେଣୁ ଉପଯୁକ୍ତ ତଦନ୍ତ କରାଗଲେ, ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ପଛର ରହସ୍ୟ ପଦାକୁ ଆସିବ ବୋଲି ସେମାନେ ଦାବି କରିଛନ୍ତି।
୨୦୦୨ ମସିହାରୁ ନିଆଳି ଅଞ୍ଚଳର ବାସିନ୍ଦା ଦୁର୍ଯ୍ୟୋଧନ ବାଟାଲିଅନ୍ରେ ସିପାହୀ ଭାବେ ଯୋଗ ଦେଇଥିଲେ। ବାଟାଲିଅନ୍ ପରିସରରେ କ୍ବାର୍ଟର୍ସରେ ପତ୍ନୀ ଓ ପୁଅଙ୍କ ସହ ରହୁଥିଲେ। ସବୁଦିନ ପରି ଗତକାଲି ସକାଳ ୫ଟାରେ ସେ ଡ୍ୟୁଟିକୁ ବାହାରିଯାଇଥିଲେ। କିଛି ଘଣ୍ଟା ପରେ ସଫେଇ ଦାୟିତ୍ବରେ ଥିବା ପୁଲିସ କର୍ମଚାରୀମାନେ ପରେଡ୍ ଗ୍ରାଉଣ୍ଡ ନିକଟସ୍ଥ ଏକ ଗଛରେ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ବଞ୍ଚିଥିବା ଭାବି କର୍ମଚାରୀମାନେ ଗଛରୁ ରଶି କାଟି ତାଙ୍କୁ ତଳକୁ ଆଣିଥିଲେ। ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଖବର ପାଇ ତାଙ୍କ ପତ୍ନୀ ଲୀନା ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଲୀନାଙ୍କ କହିବା କଥା ସେ ଘଟଣାସ୍ଥଳକୁ ଆସିବା ବେଳକୁ ଦୁର୍ଯ୍ୟୋଧନଙ୍କ ମୃତଦେହ ଗଛ ତଳେ ଥିଲା ଏବଂ ବେକରେ ରଶି ଲାଗିଥିଲା। ତେଣୁ ତାଙ୍କର ସନ୍ଦେହ ହେଉଛି। ସେ ପୁଣି କହିଛନ୍ତି ଯେ ପାରିବାରିକ ବିବାଦ କିଛି ନଥିଲା। ଗତକାଲି ସନ୍ଧ୍ୟାରେ ସେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପୁଅ ପାଇଁ ଭଲ ଟିଫିନ୍ ବକ୍ସ କିଣିଥିଲେ। ସକାଳୁ ସକାଳୁ ଡ୍ୟୁଟିକୁ ବାହାରି ଯାଇଥିଲେ। ତେଣୁ ସେ କ’ଣ ପାଇଁ ଆତ୍ମହତ୍ୟା କରିବେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି। ସେହିଭଳି ଦୁର୍ଯ୍ୟୋଧନଙ୍କ ଭଉଣୀ ମଧ୍ୟ ସିଧାସଳଖ ହତ୍ୟା ଅଭିଯୋଗ ଆଣିଛନ୍ତି। ଶ୍ବଶୁର ଘର ଲୋକମାନେ ମଧ୍ୟ ଅନୁରୂପ ଅଭିଯୋଗ ଆଣିଛନ୍ତି। କୌଣସି ଉପରିସ୍ଥ ଅଧିକାରୀଙ୍କ ମାନସିକ ନିର୍ଯାତନାଜନିତ ଚାପ ଯୋଗୁ ଦୁର୍ଯ୍ୟୋଧନ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସେମାନେ ସନ୍ଦେହ କରିଛନ୍ତି। ତେଣୁ ଏହି ମାମଲାର ଉପଯୁକ୍ତ ତଦନ୍ତ କରାଯାଉ ବୋଲି ସେମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନିବେଦନ କରିଛନ୍ତି।
ଅନ୍ୟପକ୍ଷରେ ଦୁର୍ଯ୍ୟୋଧନଙ୍କ ସେୟାର ବଜାରରେ ବିନିଯୋଗ ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି। ପୁଞ୍ଜି ବିନିଯୋଗରେ କ୍ଷତି ହୋଇଥିବାରୁ ସେ କିଛି ଦିନ ହେଲା ବ୍ୟଥିତ ଥିଲେ ବୋଲି ବାଟାଲିଅନ୍ର କିଛି ପୁଲିସ କର୍ମଚାରୀ କହୁଛନ୍ତି। ମୈତ୍ରୀବିହାର ଥାନା ପୁଲିସ ବିଭିନ୍ନ ପ୍ରସଙ୍ଗକୁ ନେଇ ତଦନ୍ତ ଚଳାଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଓ ବିଭିନ୍ନ ଦିଗରୁ ଚାଲିଥିବା ତଦନ୍ତ ସରିବା ପରେ ମାମଲାର ସତ୍ୟ ପଦାକୁ ଆସିଯିବ ବୋଲି ପୁଲିସ ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/fhfhfhfh.jpg)