ଲେଡିଜ୍‌ ‌ହଷ୍ଟେଲରେ ନର୍ସଙ୍କ ଝୁଲନ୍ତା ମୃତଦେହ, ହତ୍ୟା ଅଭିଯୋଗ ଆଣିଲା ପରିବାର

ଭୁବନେଶ୍ବର : ସିଆର୍‌ପିଏଫ୍ କ୍ୟାମ୍ପସ୍ ସମ୍ମୁଖରେ ଥିବା ଏକ ଲେଡିଜ୍‌ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଜବତ କରାଯାଇଛି। ମୃତ ଯୁବତୀ ହେଉଛନ୍ତି ଭଦ୍ରକର ଅର୍ଚ୍ଚନା ରାଉତ(୨୪)। ସେ ଏକ ଘରୋଇ ହସ୍ପିଟାଲରେ ନର୍ସଭାବେ କାମ କରୁଥିଲେ। ନୂଆପଲ୍ଲୀ ଥାନା ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ପରିବାର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଛି।

ହଷ୍ଟେଲ ମାଲିକଙ୍କ ସୂଚନା ମୁତାବକ ଗତକାଲି ରାତି ପ୍ରାୟ ୧୦ଟାବେଳେ ଦୁଇଜଣ ଯୁବକ ତାଙ୍କ ଘର ବାହାରେ ଛିଡ଼ା ହୋଇ ଅର୍ଚ୍ଚନାଙ୍କୁ ଫୋନ୍ କରିଥିଲେ। ମାତ୍ର ସେ ଫୋନ୍‌ ନ ଉଠାଇବାରୁ ସେମାନେ ଘର ମାଲିକଙ୍କୁ ଜଣାଇଥିଲେ। ଘର ମାଲିକ ଅର୍ଚ୍ଚନାଙ୍କ ରୁମ୍‌କୁ ଯାଇ ଦେଖିବାବେଳେ ଉକ୍ତ ରୁମ୍‌ର କବାଟ ଖୋଲାଥିଲା ଏବଂ ତାଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିଲା। ଏନେଇ ସେ ପୁଲିସକୁ ସୂଚନା ଦେଇଥିଲେ। ଉକ୍ତ ରୁମ୍‌ରୁ ପୁଲିସକୁ ଏକ ସୁଇସାଇଡ୍ ନୋଟ୍ ମିଳିଛି। ସେଥିରେ ଅର୍ଚ୍ଚନା‌ ଆତ୍ମହତ୍ୟା କରିଥିବା ଉଲ୍ଲେଖ ରହିଛି ବୋଲି ସୂଚନା ମିଳିଛି।

ସେହିଭଳି ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ପୁଲିସ ଅନୁମାନ କରୁଛି। କିନ୍ତୁ ପରିବାର ଲୋକଙ୍କ କହିବା କଥା ଅର୍ଚ୍ଚନା ସନ୍ଧ୍ୟାରେ ତାଙ୍କ ଭଉଣୀଙ୍କ ସହ କଥା ଫୋନ୍‌ରେ କଥା ହୋଇଥିଲେ। କଥାବାର୍ତ୍ତାରୁ ସେ ଏଭଳି ବଡ଼ ପଦକ୍ଷେପ ନେବେ ବୋଲି ଜଣାପଡ଼ୁନଥିଲା ବୋଲି ତାଙ୍କ ଭଉଣୀ କହିଛନ୍ତି। ତେଣୁ ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ସାଇଣ୍ଟିଫିକ୍ ଟିମ୍‌ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ କିଛି ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର