ଭୁବନେଶ୍ବର: ଅଶୋକନଗରସ୍ଥିତ ହୋଟେଲ୍ ରଙ୍ଗିଲା ରେସିଡେନ୍ସିରୁ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହକୁ କ୍ୟାପିଟାଲ ଥାନା ପୁଲିସ ଜବତ କରିଛି। ତାଙ୍କ ନାଁ କେ.ମହେନ୍ଦ୍ରମ। ସେ ଚେନ୍ନାଇର ବୋଲି ଜଣାପଡ଼ିଛି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ପୁଲିସ ସୂଚନା ମୁତାବକ, ସୋମବାର ସନ୍ଧ୍ୟାରେ ମହେନ୍ଦ୍ରମ ଚେନ୍ନାଇରୁ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ସେ ଅଶୋକନଗରରେ ଥିବା ହୋଟେଲ୍ ରଙ୍ଗିଲା ରେସିଡେନ୍ସିର ରୁମ୍ ନଂ-୨୦୬ରେ ରହିଥିଲେ। ରାତିରେ ହୋଟେଲ୍‌ରୁ ଖାଇ ରୁମ୍‌କୁ ଯାଇଥିଲେ। ମଙ୍ଗଳବାର ସକାଳ ପ୍ରାୟ ୯ଟା ‌େବଳେ ହୋଟେଲ୍‌ ବୟ କବାଟ ବାଡ଼େଇଥିଲେ। ହେଲେ ମହେନ୍ଦ୍ରମ କବାଟ ଖୋଲି ନଥିଲେ କି ଜବାବ ଦେଇ ନଥିଲେ। କାଳେ ସେ ଶୋଇଥିବେ ଭାବି ହୋ‌ଟେଲ୍‌ ବୟ ଫେରି ଯାଇଥିଲେ। ତେବେ ଅପରାହ୍‌ଣରେ ମଧ୍ୟ ସମାନ ପରିସ୍ଥିତି ‌ଉପୁଜିଥିଲା। ସନ୍ଦେହ ହେବାରୁ ହୋଟେଲ୍‌ ମାଲିକ ପୁଲିସକୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ। ସନ୍ଧ୍ୟାରେ ପୁଲିସ ହୋଟେଲ୍‌ରେ ପହଞ୍ଚି କବାଟ ଭାଙ୍ଗିବା ବେ‌ଳକୁ ମହେନ୍ଦ୍ରମ ଫ୍ୟାନ୍‌ରେ ଝୁଲି ରହିଥିଲେ। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।