କଦମ୍ବ ଗଛରେ ଯୁବକଙ୍କ ଝୁଲନ୍ତା ମୃତଦେହ

ଖଣ୍ଡଗିରି: ଗୁରୁବାର ସକାଳେ ତମାଣ୍ଡୋ ଥାନା ପୁଲିସ ସ୍ଥାନୀୟ ନାରଗୋଦା ଗହିର ଭିତରେ ଥିବା କଦମ୍ବ ଗଛରୁ ଜଣେ ଯୁବକଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଜବତ କରିଛି। ମୃତକ ହେଲେ, ଜଟଣୀ ଥାନା ଯାଁଳା ଫାଣ୍ଡି କାଇମାଟିଆ ପାଟଣା ଗାଁର ମନୋଜ ଛୋଟରାୟଙ୍କ ପୁଅ ଚିକୁନ୍ ଓରଫ୍ ଚିକୁ(୨୪)। ଗଛ ଡାଳରେ ଗାମୁଛାରେ ଝୁଲି ସେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ପ୍ରେମରେ ବିଫଳ ହୋଇ ସେ ଏଭଳି କାଣ୍ଡ କରି ବସିଥିବା ସନ୍ଦେହ କରାଯାଉଛି। ସୂଚନାନୁସାରେ, ଚିକୁ ଖଣ୍ଡଗିରିସ୍ଥିତ ଏକ କାର୍ ଗ୍ୟାରେଜ୍‌ରେ ମେକାନିକ୍ ଭାବେ କାମ କରନ୍ତି। ଗତକାଲି ସେ କାମକୁ ଯାଇ ରାତିରେ ଘରକୁ ଫେରିନଥିଲେ। ବେଳେବେଳେ ସେ ରାତିରେ ଗ୍ୟାରେଜ୍‌ରେ ରହି ଯାଉଥିବାରୁ ଗତକାଲି ପରିବାରଲୋକେ ତାଙ୍କୁ ଖୋଜାଖୋଜି କରି ନଥିଲେ। ମାତ୍ର ଆଜି ସକାଳୁ ଲୋକେ ତାଙ୍କ ମୃତଦେହ ନା‌ରଗୋଦା ଜୋର କୂଳ କଦମ୍ବ ଗଛରେ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଯାଁଳା ଫାଣ୍ଡି ଓ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳଟି ତମାଣ୍ଡୋ ଥାନା ଅଧୀନରେ ଯାଉଥିବାରୁ ଉକ୍ତ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା ଓ ପୁଲିସ ଶବ ବ୍ୟବ‌ଚ୍ଛେଦ କରାଇ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର