ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ

ଭୂବନେଶ୍ବର: ସତ୍ୟନଗର ସ୍ଥିତ ବସୁଧା ହୋମ୍‌ ଆପାର୍ଟମେଣ୍ଟରୁ ଖାରବେଳନଗର ଥାନା ପୁଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଜବତ କରିଛି। ତାଙ୍କ ନାଁ ସ୍ମିତେନ୍ଦୁ ଦାସ ଓରଫ ରିଚି(୪୬)। ଘର ବାଲିଅନ୍ତା ଥାନା ଅଧୀନ ଜୟପୁର ଅଞ୍ଚଳ। ଦୀର୍ଘଦିନ ହେବ ରିଚି ବାଲିଅନ୍ତାରୁ ଆସି ଏଠାରେ ପରିବାର ସହ ରହୁଥିଲେ। କୌଣିସ କାରଣକୁ ନେଇ ସେ ମଙ୍ଗଳବାର ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। ପୁଅ ଓ ପତ୍ନୀ ମଧୁସ୍ମିତା ଶୋଇବା ପରେ ସେ ଅନ୍ୟ ଏକ ରୁମ୍‌କୁ ପଳାଇଥିଲେ। ଏହାପରେ ପୁଅ ଓ ପତ୍ନୀ ଶୋଇଥିବା ରୁମ୍‌ର କବାଟ ବନ୍ଦ କରିଦେଇଥିଲେ। ବୁଧବାର ଭୋର ପ୍ରାୟ ୫ଟା ସମୟରେ ମଧୁସ୍ମିତା ଉଠିବା ବେଳକୁ କବାଟ ବାହାର ପଟୁ ବନ୍ଦ ଥିବା ଜାଣି ରିଚିଙ୍କୁ ଡାକିଥିଲେ। ହେଲେ ସେ କୌଣସି ଜବାବ ଦେଇ ନଥିଲେ କି କବାଟ ଖୋଲି ନଥିଲେ। ମଧୁସ୍ମିତା ଭୟରେ ଚିତ୍କାର କରିଥିଲେ। ପାଟି ଶୁଣି ପଡ଼ୋଶୀମାନେ ଘର ମୁଖ୍ୟ କବାଟ ଭାଙ୍ଗି ମଧୁସ୍ମିତା ଥିବା ରୁମ୍‌ କବାଟ ଖୋଲିଥିଲେ। ପରେ ପାଖରୁମ୍‌ ଭିତରପଟୁ ବନ୍ଦ ଥିବା ଦେଖି ସମସ୍ତେ ସନ୍ଦେହ କରିଥିଲେ। ଉକ୍ତ ଘରର କବାଟ ଭାଙ୍ଗିବାରୁ ସେଠାରେ ରିଚି ଫ୍ୟାନ୍‌ରେ ଝୁଲୁଥିବା ଦେଖିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋ‌ଷଣା କରିଥିଲେ। ଖବରପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ରିଚିଙ୍କ ମୃତ୍ୟୁକୁ ନେଇ ପୁଲିସ ସନ୍ଦେହ କରିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର