ସ୍ମାର୍ଟ ସିଟି ଭୁବନେଶ୍ୱରରେ ଝୁଲିଛି ପ୍ରକଳ୍ପ, କର୍ତ୍ତୃପକ୍ଷ ଅସହାୟ

କେଉଁଠି ଆଇନ ଜାଲରେ ତ କେଉଁଠି ଲୋକଙ୍କ ବିରୋଧ
ମଣ୍ଡପ, ମାର୍କେଟ୍‌, ରାସ୍ତା, ପୋଲ ସବୁଠି କେଁ
ସମା‌ଧାନ ପାଇଁ ଆନ୍ତରିକତା ଦେଖାଉ ନାହାନ୍ତି କର୍ତ୍ତୃପକ୍ଷ

ଭୁବନେଶ୍ବର, (କେଶବ ପାଣି): ସ୍ମାର୍ଟ ସିଟିର ବିକାଶ ନେଇ ବାବୁମାନେ ନୀଳ ନକ୍ସା ପ୍ରସ୍ତୁତ କରୁଛନ୍ତି। ରାସ୍ତା ପ୍ରଶସ୍ତୀକରଣ ହେଉ ଅଥବା କୋଠା ନିର୍ମାଣ, ସବୁଠି ଯୋଜନା ହେଉଛି। ମାତ୍ର କାର୍ଯ୍ୟକାରୀ କରିଲା ବେଳକୁ କେଁ। କେଉଁଠି ଆଇନ ଜାଲରେ ପ୍ରକଳ୍ପ ଛନ୍ଦି ହୋଇପଡ଼ୁଛି ତ ଆଉ କେଉଁଠି ଜୋରଦାର ବିରୋଧ। ଆଗପଛ ବିଚାର ନ କରି ବାବୁମାନେ ଏଭଳି ନିଷ୍ପତ୍ତି ନେଇଯାଉଛନ୍ତି ଯେ ଲୋକେ ଦହଗଞ୍ଜ ହେବା ଛଡ଼ା ଆଉ କିଛି ବାଟ ପାଉନାହାନ୍ତି। ଗୋଟିଏ କି ଦୁଇଟି ନୁହେଁ, ଏମିତି ଡଜନେ ପ୍ରକଳ୍ପର ଭାଗ୍ୟ ଝୁଲି ରହିଛି। ହେବ କି ନ ହେବ? ପ୍ରକଳ୍ପର ଭବିଷ୍ୟତ କେଉଁ ଆଡ଼କୁ ଯିବ? ସେନେଇ ସହରବାସୀ ବି ଚିନ୍ତାରେ। ମାସ ପରେ ମାସ ବିତିଚାଲିଛି, ମାତ୍ର ପ୍ରକଳ୍ପର ଅଗ୍ରଗତି ନେଇ ସରକାରୀ ବାବୁଙ୍କ ପାଖରେ ଉତ୍ତର ନାହିଁ। ଏବେ ଏବେ ନିର୍ବାଚିତ ଜନ ପ୍ରତିନିଧି ବି ମୁହଁ ଖୋଲିବାକୁ ନାରାଜ। ପ୍ରତିବାଦ କରିପାରୁ ନାହାନ୍ତି କି ଲୋକଙ୍କ ସାଙ୍ଗରେ ଛିଡ଼ା ହେଉନାହାନ୍ତି। ବରଂ ସମସ୍ତଙ୍କ ତୁଣ୍ଡରେ ଗୋଟିଏ କଥା ଏବେ ଏବେ କର୍ପୋରେଟର ହୋଇଛି। ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ। ମହାନଗର ନିଗମକୁ ଏବେ ଏବେ ନୂଆ ମେୟର ଓ କମିସନର ମିଳିଥିବାରୁ ପ୍ରକଳ୍ପଗୁଡ଼ିକର ଭାଗ୍ୟ କ’ଣ ହେବ ତାହାକୁ ସହରବାସୀ ଚାହିଁ ରହିଛନ୍ତି।

ପଞ୍ଚଦୀପ ମାର୍କେଟ୍‌ ଖୋଲିବ କେବେ?
ଦୁଇ ଦଶନ୍ଧି ବିତିଯାଇଥିଲେ ମଧ୍ୟ ପଞ୍ଚଦୀପ ମାର୍କେଟ୍‌ ଭାଗ୍ୟ ଖୋଲିପାରୁ ନାହିଁ। ୧୯୯୯ରେ ସରକାରୀ-ଘରୋଇ ସହଭାଗିତାରେ ପଞ୍ଚଦୀପ ମାର୍କେଟ ନିର୍ମାଣର ଯୋଜନା ହୋଇଥିଲା। ୨୩ ବର୍ଷ ପରେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରିନି। ଭୌମନଗର ମୌଜାର ୮୮୩ ଡେସିମିଲ୍‌ ଜମିରେ ଏହି ମାର୍କେଟ୍‌ ସୌଧର ପରିକଳ୍ପନା ହୋଇଥିଲା। ୬ମହଲା ବିଶିଷ୍ଟ କମ୍ପ୍ଲେକ୍ସ ପାଇଁ ବିଏମ୍‌ସି ସାଧାରଣ ପ୍ରଶାସନ ବିଭାଗରେ ୩୦ ଲକ୍ଷ ଟଙ୍କା ଜମା କରି ଜମି ମାଲିକାନା ପାଇଥିଲା। ୮୮୩ ଡେସିମଲ୍‌ ପରିମିତ ଏହି ସ୍ଥାନରେ ୧୬୫୮୪ ବର୍ଗ ମିଟର (୧୭୮୫୦୮.୬୯ ବର୍ଗଫୁଟ) ଅଞ୍ଚଳର ମାର୍କେଟ୍‌ ନିର୍ମାଣ ପାଇଁ ପରିକଳ୍ପନା ହୋଇଥିଲା। ୫୦୧୯ ବର୍ଗମିଟର ସ୍ଥାନରେ ପାର୍କିଂ ସ୍ଥାନ ପାଇଁ ପ୍ରସ୍ତାବ ଥିଲା। ଅଫିସ୍‌ -କମ୍‌- ସପିଂ କମ୍ପ୍ଲେକ୍ସ ଢାଞ୍ଚାରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ତଳ ମହଲାରେ ବିଏମ୍‌ସିର ୭୨% ଅଂଶ ରହିଥିବା ବେଳେ ପ୍ରଥମ ମହଲାରେ ୩୬% ଏବଂ ଦ୍ୱିତୀୟ ମହଲାରୁ ଷଷ୍ଠ ମହଲା ଯାଏ ୩୦.୬% ଅଂଶ ରହିଛି। ଗୋଟିଏ ଫ୍ଲୋର୍‌ରେ ହାରାହାରି ୭୦ଟି ୟୁନିଟ୍‌ ରହିଛି। ମାତ୍ର ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ବିଏମ୍‌ସି ପକ୍ଷରୁ ବାରମ୍ବାର ନୋଟିସ୍‌ ପରେ ବି ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିନି।

ଭାଙ୍ଗିଲେ, ଭୁଲିଗଲେ
ୟୁନିଟ-୮ କଲ୍ୟାଣ ମଣ୍ଡପ ଭଙ୍ଗା ହେବାକୁ ୬ ବର୍ଷ ବିତିଲାଣି। ଯେଉଁଠି ମଣ୍ଡପ ଭାଙ୍ଗିଥିଲେ ସେଠାରେ ପ୍ରକଳ୍ପ ଆରମ୍ଭ ତ ଦୂରର କଥା ଇଟାଖଣ୍ଡେ ଯୋଡ଼ି ନାହାନ୍ତି। ବରଂ ବିବାଦ ମଧ୍ୟରେ ଏହି ପ୍ରକଳ୍ପ ଛନ୍ଦି ହୋଇପଡ଼ିଛି। ପ୍ରଥମେ କୁହାଗଲା ସେଠାରେ ବିଏମ୍‌ସି କାର୍ଯ୍ୟାଳୟ ହେବ। ହେଲେ ନା ସେଠାରେ ବିଏମ୍‌ସି କାର୍ଯ୍ୟାଳୟ ହେଲା ନା ନୂଆ ମଣ୍ଡପ ନା ଅନ୍ୟ କୌଣସି ପ୍ରକଳ୍ପ। ବରଂ ୨୦୧୯ରେ ନିଷ୍ପତ୍ତି ବଦଳିଗଲା।‌ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବହୁତଳ ବିଶିଷ୍ଟ ସରକାରୀ କ୍ବାର୍ଟର୍ସ ନିର୍ମାଣ କରିବାକୁ ନିଷ୍ପତ୍ତି ହେଲା। ୨୦୧୯ରେ ଅର୍ଥ ବିଭାଗ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା ୟୁନିଟ-୮ କଲ୍ୟାଣ ମଣ୍ଡପ ଜମିକୁ ବିଏମ୍‌ସି ଫେରାଇଲେ ସେଠାରେ ଟାଇପ୍-୬ ସରକାରୀ କ୍ବାର୍ଟର୍ସ ନିର୍ମାଣ ହେବ। ଏହାକୁ ବହୁତଳ ବିଶିଷ୍ଟ କରିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ।

ଝାମେଲାରେ ନୀଳାଦ୍ରିବିହାର ପୋଲ
ପୋଲ ଦୁର୍ବଳ ହୋଇଥିଲା। କେତେବେଳେ ଯେ ଭୁଶୁଡ଼ିବ କହିବା ମୁସ୍କିଲ ହୋଇପଡ଼ିଥିଲା। ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ତତ୍ପରତା ପ୍ରକାଶ କଲା। ନୂଆ ପୋଲ ନିର୍ମାଣ ଲାଗି ଟେଣ୍ଡର ଡାକିଲା। କାମ ବି ଆରମ୍ଭ କଲା। ମାତ୍ର ପୂର୍ବରୁ ଥିବା ପୋଲ ଏବଂ ନିର୍ମାଣଧୀନ ହେବାକୁ ଥିବା ପୋଲ ନକ୍ସାର ତିଆରି କରିବା ବେଳେ ବାବୁମାନେ ଆଗପଛ ଯାଞ୍ଚ କଲେ ନାହିଁ। ରାତି ଅଧରେ ଜେସିବି ଲଗାଇ ପୋଲ ଭାଙ୍ଗିଦେଲେ। ଆଉ ସକାଳୁ କୋର୍ଟରେ ମାମଲା। ପୋଲ ଯେଉଁ ସ୍ଥାନରେ ଥିଲା ତାହା ଡମଣା ଗାଁର ଜଣେ ବ୍ୟକ୍ତିଙ୍କର। ତେଣୁ ସେ କୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ପ୍ରଶାସନ ହାତ ବାନ୍ଧି ହୋଇଗଲା। ପ୍ରକଳ୍ପ ଲାଗି ଟେଣ୍ଡର ହୋଇସାରିଥିଲେ ମଧ୍ୟ କାମ ଆଗେଇ ରହୁ ନାହିଁ। ଯେଉଁଥିପାଇଁ ପ୍ରତିଦିନ ହଜାର ହଜାର ଲୋକ ଏବେ ହନ୍ତସନ୍ତ ହେଉଛନ୍ତି।

ଗଛ କଟା ହେଲା କାଳ
ଏବେ ଏବେ ବିଧାୟକ କ୍ବାର୍ଟର୍ସ ଭଙ୍ଗା ଓ ବହୁତଳ କୋଠା ନିର୍ମାଣ ସେଭଳି ବିବାଦରେ ଛନ୍ଦି ହୋଇପଡ଼ିଛି। ଆଗ ପଛ ବିଚାର ନ କରି ସରକାରୀ ବାବୁମାନେ ବିଧାୟକଙ୍କ କ୍ବାର୍ଟର୍ସ ଭାଙ୍ଗିଦେଲେ। ରାତାରାତି ଯୋଜନା କରିବା ସହ ସକାଳୁ କାର୍ଯ୍ୟରେ ଲାଗିପଡ଼ିଲେ। ୫୦ରୁ ୬୦ ବର୍ଷ ତଳର ୩୫୦ ଗଛକୁ ବଳି ଦେଇ କୋଠା ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଲେ। ପ୍ରଥମେ ଜାନୁଆରିରେ ବିରୋଧ ହେବା ପରେ କିଛି ଦିନ ନରମି ଗଲେ। ଗତ ମାସରେ ପୁଣିଥରେ ଗଛ କାଟିବା ଆରମ୍ଭ କରି ବିବାଦରେ ଫସିଲେ। ଏବେ କୋ‌ର୍ଟରେ ମାମଲା। କାମ ଆଗେଇବ କ’ଣ? ଅଧାରୁ ବନ୍ଦ ହୋଇ ପଡ଼ିଛି। କେବେ ବିବାଦର ସମାଧାନ ହେବ ଏବଂ କାର୍ଯ୍ୟ ପୁଣି ଆଗକୁ ବଢ଼ିବ ସେନେଇ ସମସ୍ତେ ଆଶଙ୍କାରେ। ଗଛ ସ୍ଥାନାନ୍ତର ସହ ବହୁତଳ କୋଠା ନେଇ ଯୋଜନା ହୋଇଛି। ମାତ୍ର ବାବୁମାନେ ଏଥିରେ କେତେ ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ମାଟି‌ରେ ଲୋଟିଛି ଅଶୋକା ମାର୍କେଟ୍‌
ରେଳ ଷ୍ଟେସନ ମଲ୍ଟି ମୋଡାଲ୍‌ ହବ୍‌ ପାଇଁ ୨୦୧୭ରେ ମାଟିରେ ମିଶିଥିଲା ଅଶୋକା ମାର୍କେଟ୍‌। ବିଏମ୍‌ସି ଓ ବିଡିଏର ମିଳିତ ଉଚ୍ଛେଦକାରୀ ଦଳ ପ୍ରଥମେ ମାର୍କେଟ୍‌ କମ୍ପ୍ଲେକ୍ସକୁ ବିଦ୍ୟୁତ ଓ ପାଣି ସଂଯୋଗ ବନ୍ଦ କଲେ। ତା’ପରେ ସମ୍ପୂର୍ଣ୍ଣ ଭାଙ୍ଗି ଦେଲେ। ବିନା ଥଇଥାନରେ ମାର୍କେଟ୍‌ ଭାଙ୍ଗିବାକୁ ନେଇ ବିବାଦ ବି ଦେଖାଦେଇଥିଲା। ଶତାଧିକ ବ୍ୟବସାୟୀ କର୍ତ୍ତୃପକ୍ଷଙ୍କ ଏଭଳି ଉଚ୍ଛେଦକୁ ତୀବ୍ର ବିରୋଧ କରି ହାଇକୋର୍ଟ ବି ଯାଇଥିଲେ। ୫ ବର୍ଷ ହେଲା ମାର୍କେଟ୍‌ ଭଙ୍ଗାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମଲ୍ଟି ମୋଡାଲ୍‌ ହବ୍‌ ଆରମ୍ଭ ହୋଇ ନାହିଁ। କେବେ ହେବ ସେନେଇ କାହା ପାଖରେ ଉତ୍ତର ନାହିଁ। ରାଜ୍ୟ ସରକାର ଏହି ପ୍ରକଳ୍ପରୁ ଓହରିଥିବା ବେଳେ ରେଳ ମନ୍ତ୍ରଣାଳୟ କିଭଳି ଯୋଜନା କରୁଛି ତାହା ଦେଖିବାକୁ ବାକି ରହିଲା।

ସମାନ୍ତରାଳ ରାସ୍ତା ବାଟ ପାଉନି
ଜୟଦେବ ବିହାର-ନନ୍ଦନକାନନ ଭିଡ଼ କମାଇବାକୁ ଦୁଇଟି ସମାନ୍ତରାଳ ରାସ୍ତା କରିବାକୁ ନକ୍ସା ପ୍ରସ୍ତୁତ ହେଲା। ବାମ ପାର୍ଶ୍ବ ରାସ୍ତା ଏକାମ୍ର କାନନରୁ ଆଇଏମ୍‌ଏ ଛକକୁ ସଂଯୋଗ କରିବାକୁ ଥିବା ବେଳେ ଡାହାଣ ପାର୍ଶ୍ବ ରାସ୍ତା ଆଚାର୍ଯ୍ୟ ବିହାରରୁ ଡମଣା ଛକ ପର୍ଯ୍ୟନ୍ତ ସଂଯୋଗ କରିଥାନ୍ତା। ୫ ବର୍ଷରୁ ଅଧିକ ଦିନ ହେଲା କାମ ଚାଲିଛି। ସରିବାର ନାଁ ଧରୁନି। ବାମ ପାର୍ଶ୍ବ ନକ୍ସା ପ୍ରସ୍ତୁତ ବେଳେ ବାବୁମାନେ ସାଲିଆସାହି କଥା ଆଦୌ ଭାବି ନ ଥିଲେ। ପରିଣାମ ସ୍ବରୂପ ବାରମ୍ବାର ବିରୋଧ ହେଉଛି। ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯାଉନି କି କାମ ଆଗଉନି। ବାଧ୍ୟ ହୋଇ ପ୍ରଶାସନ ପକ୍ଷରୁ ଜାଭିଅର ଛକ ପର୍ଯ୍ୟନ୍ତ ରାସ୍ତା ଖୋଲାଯାଇଛି। ଡାହାଣ ପାର୍ଶ୍ବ ରାସ୍ତାକୁ ନେଇ କିଛି କିଛି ବିବାଦ ଏବେ କୋର୍ଟରେ। ଏକାଧିକ ବ୍ୟକ୍ତିବିଶେଷ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାରୁ କାମ ଅଧା ପନ୍ତରିଆ ହୋଇ ପଡ଼ିରହିଛି। ଆଉ ଲୋକେ ଦହଗଞ୍ଜ ହେଉଛନ୍ତି।

ସମ୍ବନ୍ଧିତ ଖବର