ଭୁବନେଶ୍ବର: ପାକିସ୍ତାନୀ ସୁନ୍ଦରୀଙ୍କ ମାୟାଜାଲରେ ଟ୍ରାପ୍ ହୋଇଥିଲା ପଠାଣି। ଆଉ ସେମାନେ ଯେଭଳି ଗୋଟି ଚଳାଇଥିଲେ ପଠାଣି ସେମିତି ଚାଲିଥିଲା। ବେନାମୀ ସିମ୍ ବ୍ୟବହାର କରି ସୋସିଆଲ୍ ମିଡିଆରେ ଫେକ୍ ଅକାଉଣ୍ଟ ଖୋଲିଥିଲା। ଆକାଉଣ୍ଟ ଗୁଡ଼ିକରେ ଭାରତୀୟ ଯୁବତୀ ଓ ମହିଳାଙ୍କ ସୁନ୍ଦର ସୁନ୍ଦର ଫଟୋ ଦେଇ ପ୍ରତିଷ୍ଠିତ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଫସାଉଥିଲା। ବ୍ଲାକମେଲିଂ କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲା। କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ତିନିଦିନିଆ ରିମାଣ୍ଡ ସମୟରେ ଏଭଳି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି।
ଦିଲ୍ଲୀ, ପଶ୍ଚିମବଙ୍ଗ, ଗୁଜରାଟ
ଓ ରାଜସ୍ଥାନକୁ ଯାଉଥିଲା ସିମ୍
8କୋଟି କୋଟି ଟଙ୍କା କାରବାର ହୋଇଥିଲା
କେବଳ ଏତିକି ନୁହେଁ ସେମାନେ ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ପଶ୍ଚିମବଙ୍ଗ ଆଦି ସ୍ଥାନକୁ ପୁଳା ପୁଳା ବେନାମୀ ସିମ୍ ପଠାଇଥିବା ଜେରା ବେଳେ ଜଣାପଡ଼ିଛି। ଜେରାବେଳେ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଯାଇ ଏନ୍ଆଇଏ, ଆଇବି ନିକଟକୁ ପଠାଯାଇଛି। ସେହିପରି ଏସ୍ଟିଏଫ୍ ଘଟଣାର ଅଧିକ ତଦନ୍ତ ପାଇଁ ପଶ୍ଚିମବଙ୍କ ପୁଲିସ ସହଯୋଗ ନେଇଥିବା ବେଳେ ପଶ୍ଚିମବଙ୍ଗ ଜଲ୍ପାଇଗୁଡ଼ି ଥାନା ରିମାଣ୍ଡରେ ନେଇପାରେ ବୋଲି ଏସ୍ଟିଏଫ୍ର ଜଣେ ଅଧିକାରୀ କହିଛନ୍ତି। ଏହାଛଡ଼ା ୟୁପିଆଇ ମାଧ୍ୟମରେ ପଠାଣିକୁ ବର୍ଷକୁ କୋଟିଏରୁ ଊର୍ଧ୍ବ ଟଙ୍କା ଆସିଥିବା ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ(ଏନ୍ପିସିଆଇ) ତଥ୍ୟରୁ ଜଣାପଡ଼ିଛି। ଆଜି ରିମାଣ୍ଡ ସିରିବା ପରେ ତିନି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
ପ୍ରକାଶ ଥାଉକି, ମାସକୁ ୫୦ ହଜାର ଟଙ୍କା ଲୋଭରେ ଦେଶ ପ୍ରତି ବିଶ୍ବାସଘାତ କରି ଏସ୍ଟିଏଫ୍ ଦ୍ବାରା ଗିରଫ ହୋଇଥିବା ନୟାଗଡ଼ ଜିଲ୍ଲା ଇଟାମାଟି ଅଞ୍ଚଳର ପଠାଣିସାମନ୍ତ ଲେଙ୍କା, ଆଇଟିଆଇ କଲେଜ ଅଞ୍ଚଳର ସରୋଜ କୁମାର ନାୟକ ଓ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୌମ୍ୟ ପଟ୍ଟନାୟକ ଓଡ଼ିଶାରେ ରହି ପାକିସ୍ତାନ ଗୁଇନ୍ଦା ଏଜେଣ୍ଟଙ୍କୁ ତଥ୍ୟ ଯୋଗାଉଥିଲେ। ଗିରଫ ବେଳେ ସେମାନଙ୍କ ନିକଟରୁ ୧୯ଟି ଦାମୀ ମୋବାଇଲ, ଲ୍ୟାପ୍ଟପ, ୪୭ଟି ସିମ୍କାର୍ଡ, ୬୧ଟି ଏଟିଏମ୍ କାର୍ଡ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା।