ଭୁବନେଶ୍ବର: ଜେଲ୍ରେ ଥିବା ବହୁ ଚର୍ଚ୍ଚିତ ଠକ ଯୋଡ଼ି ହଂସିତା ଓ ଅନୀଲ୍ଙ୍କ ଜାମିନ ଆବେଦନ ମାମଲାରେ ଦୁହିଁଙ୍କୁ ଝଟ୍କା ମିଳିଛି। ଭୁବନେଶ୍ବର ଏଡିଜେ କୋର୍ଟ-୨ ଏହି ଠକ ଯୋଡ଼ିଙ୍କ ଠକାମିକୁ ଏକ ସଂଗଠିତ ଅପରାଧ ଭାବେ ବିବେଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଝିଅ ଓ ଜୋଇଁ ପରିଚୟରେ ଏକ ପ୍ରତିଷ୍ଠିତ ସଂସ୍ଥାକୁ ଠକିବା ଓ ବ୍ଲାକ୍ମେଲ୍ କରିବା ଭଳି ସଂଗିନ୍ ଅପରାଧକୁ କୋର୍ଟ ଗୁରୁତ୍ବର ସହ ନେଇ ସେମାନଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ଏଡିଜେ କୋର୍ଟରୁ ନିରାଶ ହେବା ପରେ ସେମାନେ ହାଇକୋର୍ଟକୁ ଯିବେ ବୋଲି ଜଣାପଡ଼ିଛି।
ଇନ୍ଫୋସିଟି ଥାନା ଦ୍ବାରା ଗିରଫ ହୋଇଥିବା ଏହି ଧୂର୍ତ୍ତ ଯୋଡ଼ିଙ୍କ ବିରୋଧରେ ପୁଲିସ ସଂଗିନ୍ ଦଫା ଲଗାଇ ମାମଲା ରୁଜୁ କରିଛି। ବଡ଼ବଡ଼ କର୍ପୋରେଟ୍ ସଂସ୍ଥାର ସିଏସ୍ଆର୍ ଫଣ୍ଡ୍ ହାତେଇବା ପରେ କମିସନ ପାଇଁ ବ୍ଲାକ୍ମେଲ୍ କରିବା ଏବଂ ଏଥିପାଇଁ ଯୁବତୀ ଚାଲାଣ ଜରିଆରେ କଲ୍ଗାର୍ଲ ନିୟୋଜିତ କରିବା ଭଳି ସଂଗିନ୍ ଦଫା ଲାଗିଛି। ଏଥିସହିତ ହଂସିତାଙ୍କ ବିରୋଧରେ ପାସ୍ପୋର୍ଟ ଜାଲିଆତି ମାମଲା ବି ଯୋଡ଼ିହୋଇଛି। ହଂସିତା ତାଙ୍କ ପ୍ରଥମ ସ୍ବାମୀ ସରୋଜ ସାହୁଙ୍କ ଚିକିତ୍ସା ଆଳ ଦେଖାଇ ଜାମିନ ଆବେଦନ କରିଥିଲେ। ବିଭିନ୍ନ କାଗଜପତ୍ରରେ ସେ ସରୋଜଙ୍କୁ ସ୍ବାମୀ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରି ନଥିଲେ ମଧ୍ୟ ଜାମିନ ପାଇଁ ଅସୁସ୍ଥ ସରୋଜଙ୍କୁ ଢାଲ କରିଥିବା ଚର୍ଚ୍ଚା ହେଉଥିଲା। ଆଜି ଏଡିଜେ କୋର୍ଟ-୨ରେ ଜାମିନ ଆବେଦନର ଶୁଣାଣି ଚାଲିଥିଲା।
ସରକାରୀ ଓକିଲ ଏହାକୁ ଜୋର୍ଦାର ବିରୋଧ କରିଥିଲେ। ଏହା ଏକ ସଂଗଠିତ ଅପରାଧ ବୋଲି ବଳିଷ୍ଠ ଯୁକ୍ତି ଦର୍ଶାଇଥିଲେ। ବିଚାରପତି ସରକାରୀ ଓକିଲଙ୍କ ଯୁକ୍ତିକୁ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ଯେ ହଂସିତାଙ୍କ ବିରୋଧରେ ଯୋଡ଼ି ହୋଇଥିବା ଯୁବତୀ ଚାଲାଣ ମାମଲାରେ ଜାମିନ ଆବେଦନର ଶୁଣାଣି ସରିଛି। ରାୟ ସଂରକ୍ଷିତ ରହିଛି। କିନ୍ତୁ ଅପରପକ୍ଷେ ଏହି ମାମଲାରେ ପୁଲିସ ତଦନ୍ତ କେତେ ଦୂର ଯାଇଛି, ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ପୁଲିସ ଏହି ଧୂର୍ତ୍ତ ଯୋଡ଼ିଙ୍କୁ ପୁଣି ରିମାଣ୍ଡରେ ଆଣିବ ବୋଲି ଯୋଜନା କରିଥିଲା। କିନ୍ତୁ ଏଥିପାଇଁ ପୁଲିସ କୋର୍ଟରେ ଆବେଦନ କରି ନଥିବା ଜଣାପଡ଼ିଛି। ତେଣୁ ବ୍ୟବସାୟରେ ଫାଇଦା ହାସଲ କରିବାକୁ ସେମାନେ କଲ୍ଗାର୍ଲ ଆଣି କେଉଁଠିକୁ ପଠାଉଥିଲେ, ତାହା ଏବେ ବି ରହସ୍ୟ ହୋଇରହିଛି।