ହଂସପାଳ ନିକଟ‌ରେ ପୁରୀ କେନାଲ ଉପର ପୋଲ ଆଁ କରିଛି, ବିପଦରେ ଯାତ୍ରୀ

ଭୁବନେଶ୍ୱର: ତଳେ ଅକାତକାତ ପାଣି। ଉପରେ ଆଁ କରିଛି ପୋଲ। ଆଁରେ ଯଦି ଗୋଡ଼ ପଡ଼ିଗଲା ତେବେ ଗଲା। ଆଜି ଜଣେ ଦୃଷ୍ଟି ଶକ୍ତି ବାଧିତ ଦିବ୍ୟାଙ୍ଗ ଏହି ଗାତ‌ରେ ପଡ଼ିବାକୁ ଯାଉଥିବା ବେଳେ ସେହି ରାସ୍ତାରେ ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ଜଣେ ବ୍ୟକ୍ତି ତାଙ୍କ ଜୀବନ ବଞ୍ଚାଇଛନ୍ତି। ଜଣେ ସିନା ବଞ୍ଚି ଯାଇଛନ୍ତି, ହେଲେ ହଜାର ହଜାର ପଥଚାରୀଙ୍କର ଜୀବନ ବାଜିରେ ଲାଗିଛି। ଘଟଣାକୁ ନେଇ ଦିବ୍ୟାଙ୍ଗ ଜୀବନ ବଞ୍ଚାଇଥିବା ଯାତ୍ରୀ ଫେସ୍‌ବୁକ୍‌ରେ ଫଟୋ ସହ ଅପ୍‌ଲୋଡ୍‌ କରିବା ପରେ ତନାଘନା ହୋଇଛି। ଖବର ପାଇବା ପରେ ଏନ୍‌ଏଚ୍‌ଏଆଇ (ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ) ଏହି ସବୁ କଣାକୁ ବନ୍ଦ କରିବା ପାଇଁ ଲୁହା ଜାଲି ପକାଇବାକୁ ଯୋଜନା କରୁଛି। ତେବେ କେବଳ ଏହି ପୋଲ ନୁହେଁ ବିଭିନ୍ନ ପୋଲ ଓ ଫ୍ଲାଏ ଓଭର ସହ ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ରହିଛି। ଏନ୍‌ଏଚ୍‌ଏଆଇ ପକ୍ଷରୁ ଏହାକୁୂ ମରାମତି କରିବା ପାଇଁ କୌଣସି ବ୍ୟବସ୍ଥା କରାଯାଉ ନଥିବାରୁ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି।

ହଂସପାଳ ନିକଟ‌ରେ ଯାଇଥିବା ପୁରୀ କେନାଲ ଉପରେ ଏହି ପୋଲ ରହିଛି। ଆଜି ସକାଳ ପ୍ରାୟ ୮ଟା ବେଳେ ବରିଷ୍ଠ ନାଗରିକ ବୈଷ୍ଣବ ଚରଣ ମହାନ୍ତି ଏହି ପୋଲ ଦେଇ ମର୍ଣ୍ଣିଂ ୱାକ୍‌ରେ ଯାଉଥିଲେ। ସେତିକିବେଳେ ଜଣେ ଦୃଷ୍ଟି ଶକ୍ତି ବାଧିତ ଦିବ୍ୟାଙ୍ଗ ପୋଲର ବାଡ଼କୁ ଧରି ଧରି ଚାଲି ଚାଲି ଯାଉଥିଲେ। ସେ ଦେଖିପାରୁନଥିବାରୁ ସେହି କଣା ପାଖରେ ପହଞ୍ଚିଯାଇଥିଲେ। ଆଉ ମାତ୍ର ଦୁଇ ପାହୁଣ୍ଡ ପକାଇଥିଲେ ‌ତାଙ୍କ ଗୋଡ଼ ଏହି କଣାରେ ପଡ଼ି ଯାଇଥାନ୍ତା। ତା ପୂର୍ବରୁ ଦିବ୍ୟାଙ୍ଗଙ୍କୁ ଅଟକିବାକୁ କହି ଶ୍ରୀ ମହାନ୍ତି ତାଙ୍କୁ ପୋଲ ପାର କରାଇ ମୁଖ୍ୟ ରାସ୍ତାରେ ଛାଡ଼ିଥିଲେ। ଏ ନେଇ ଆମେ ଏନ୍‌ଏଚ୍‌ଏଆଇ ଆଞ୍ଚଳିକ ଅଧିକାରୀ ରାମ କୁମାର ପଣ୍ଡାଙ୍କ ସହ ଯୋଗାଯୋଗ କରିଥିଲୁ। ସମ୍ପୃକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ କଥାବାର୍ତ୍ତା ହେବା ପରେ ଏହି ସବୁ କଣା ଜାଲି ଜରିଆରେ ବନ୍ଦ କରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର