ଭୁବନେଶ୍ବର: ଏକାମ୍ରକ୍ଷେତ୍ରକୁ ବୁଲିଆସୁଥିବା ତୀର୍ଥଯାତ୍ରୀମାନେ ବହୁ ସମସ୍ୟାରେ ପଡ଼ୁଥିବା ଅଭିଯୋଗ ହେଉଛି। ରାଜ୍ୟ ବାହାରୁ ଆସୁଥିବା ଗରିବ ଶ୍ରେଣୀୟ ତୀର୍ଥଯାତ୍ରୀମାନେ ରାସ୍ତା କଡ଼ରେ ଓ ପାର୍କିଂସ୍ଥଳରେ ବଡ଼ କଲବଲ ଅବସ୍ଥାରେ ରନ୍ଧାବଢ଼ା, ଖିଆପିଆ କରୁଛନ୍ତି। ରୋଷେଇ ପିଣ୍ଡି ଥାଇ ନଥିଲା ଅବସ୍ଥା। ସେହିଭଳି ପାର୍କିଂ ଫି’ ମନଇଛା ଆଦାୟ କରାଯାଉଛି ଏବଂ ଯାତ୍ରୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି। ସୁରକ୍ଷିତ ବିଶ୍ରାମସ୍ଥଳୀ ନଥିବାରୁ ଯାତ୍ରୀମାନେ କେତେବେଳେ ଖୋଲା ଆକାଶ ତଳେ ତ କେତେବେଳେ ବସ୍‌ ଭିତରେ ଶୋଇବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି।

Advertisment

ପୁରୁଣା ଭୁବନେଶ୍ବରର ଅସୁମାରି ପ୍ରାଚୀନ କୀର୍ତ୍ତିରାଜି ସହିତ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପାଇଁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଛନ୍ତି। ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ପଡ଼ୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ଭଳି ରାଜ୍ୟରୁ ବସ୍‌ ଯୋଗେ ତୀର୍ଥ ଯାତ୍ରୀମାନେ ଏଠାକୁ ଆସୁଛନ୍ତି। ବର୍ଷା ଦିନକୁ ବାଦ୍‌ଦେଲେ ବାକି ବର୍ଷର ସବୁ ସମୟରେ ଦୈନିକ ପାଖାପାଖି ୫୦ ବସ୍‌ ଏଠାକୁ ପର୍ଯ୍ୟଟକ ଧରି ଆସୁଛନ୍ତି। କିନ୍ତୁ ଏହି ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉନାହିଁ। ପର୍ଯ୍ୟଟକଙ୍କ ବସ୍‌ସବୁ ଲିଙ୍ଗରାଜ ମାର୍କେଟ୍‌ କମ୍ପ୍ଲେକ୍ସ ପାର୍କିଂରେ ରହୁଛି। ଏହି ଶ୍ରଦ୍ଧାଳୁମାନେ ମୁଖ୍ୟତଃ ଗରିବ ଶ୍ରେଣୀର ହୋଇଥିବାରୁ ହୋଟେଲ୍‌ରେ ରହିବା ସେମାନଙ୍କ ପାଇଁ ବ୍ୟୟବହୁଳ। ସେଥିପାଇଁ ଅଧିକାଂଶ ବସ୍‌ ଯାତ୍ରୀ ନିଜ ହାତରେ ପାର୍କିଂ ସ୍ଥଳରେ ରୋଷେଇ କରି ଖାଉଛନ୍ତି। କିଛି ଯାତ୍ରୀ ରାସ୍ତା କଡ଼ରେ ରୋଷେଇ କରୁଛନ୍ତି। ରୋଷେଇ ସରିବା ପରେ ଅପରିଷ୍କାର ରାସ୍ତା ଉପରେ ବସି ଦୟନୀୟ ଭାବେ ଖିଆପିଆ କରୁଛନ୍ତି। ବାହାରେ ରୋଷେଇ କରି ଖିଆପିଆ କଲାବେଳେ ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ରୋଷର ଶିକାର ହେବାକୁ ପଡ଼ୁଛି। ଅପରପକ୍ଷେ ମାର୍କେଟ୍‌ କମ୍ପ୍ଲେକ୍ସ ପଛ ପାଖରେ ଏକ ରୋଷେଇ ପିଣ୍ଡି ପ୍ରାୟ ବର୍ଷକ ତଳୁ ହେବ ନିର୍ମାଣ ହୋଇସାରିଥିଲେ ହେଁ ଏହାକୁ ଯାତ୍ରୀମାନଙ୍କୁ ବ୍ୟବହାର କରିବାକୁ ଦିଆଯାଉନାହିଁ। ବିଏମ୍‌ସି ପିଣ୍ଡି ନିର୍ମାଣ କରି ଚୁପ୍ ବସିଛି। ତେଣୁ ପିଣ୍ଡି କାହା ସ୍ବାର୍ଥରେ ବିଏମ୍‌ସି ନିର୍ମାଣ କରିଛି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ସେହିଭଳି ଅନ୍ୟ ବଡ଼ ସମସ୍ୟା ହେଉଛି ପାର୍କିଂ ଫି’।

ଟେଣ୍ଡର ନେଇଥିବା ସଂସ୍ଥା ପାର୍କିଂ ଫି’କୁ ମନଇଛା ବଢ଼ାଇ ଯାତ୍ରୀଙ୍କଠାରୁ ଆଦାୟ କରୁଛନ୍ତି। ବସ୍‌ ପିଛା ୩୦୦ ଟଙ୍କା ଆଦାୟ କରାଯାଉଛି। ଝାଡ଼ଖଣ୍ଡର ପର୍ଯ୍ୟଟକ ବିଭୁ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ବର୍ଷ ସାରା ପେଟରୁ କାଟି କିଛି କିଛି ଟଙ୍କା ସଞ୍ଚୟ କରିବା ପରେ ଓଡ଼ିଶା ବୁଲିବାକୁ ଆସୁଛୁ। ମହାପ୍ରଭୁ ଜଗନ୍ନାଥ, ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବାକୁ ଆସୁଛୁ। କିନ୍ତୁ ଏଠାରେ ପାର୍କିଂ ଫି’ ନାମରେ ଶୋଷଣ କରାଯାଉଛି। ପାର୍କିଂ ଫି’ ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖାଯିବା ଦରକାର। ପଶ୍ଚିମବଙ୍ଗର ମୋନାଲି ବାନାର୍ଜୀ ଓ କଳହାଣ୍ଡିର ସର୍ବେଶ୍ବର ବାଗ୍‌ କହିଛନ୍ତି ଯେ ଯାତ୍ରୀ ବିଶ୍ରାମ ଗୃହ, ରୋଷେଇ ସ୍ଥାନ ଓ ଖାଇବା ସ୍ଥାନ ଯୋଗାଇ ଦେଲେ ତୀର୍ଥଯାତ୍ରୀମାନଙ୍କ ପାଇଁ ବଡ଼ ଉପକାର ହେବ। ଏନେଇ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରଭୁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ମହାନ୍ତି କହିଛନ୍ତି ଯେ ବିଏମ୍‌ସି ପିଣ୍ଡି ନିର୍ମାଣ କରିସାରିଛି। ଏହା ଯାତ୍ରୀଙ୍କ ପାଇଁ କେବେ ଲୋକାର୍ପିତ ହେବ, ସେହି ନିଷ୍ପତ୍ତି ବିଏମ୍‌ସି ନେବ। ବିଏମ୍‌ସି ଜେଡ୍‌ଡିସି ରାଜଲକ୍ଷ୍ମୀ ନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିନାହିଁ।