ହନୁମାନ ଭଗବାନଙ୍କ ଅବତାର

ଚିନ୍ମୟ ହନୁମତ୍‌ ମହୋତ୍ସବର ଷଷ୍ଠ ଦିବସ

କଟକ: ଧର୍ମର ସୁରକ୍ଷା ସାଧୁଙ୍କ କର୍ତ୍ତବ୍ୟ। ମୁତ୍ୟୁ ସମୟ ଉପନୀତ ହେଲେ ମଧ୍ୟ ସାଧୁଜନ ଲକ୍ଷ୍ୟରୁ ବିଚ୍ୟୁତି ହୁଅନ୍ତି ନାହିଁ। ଶ୍ରୀହନୁମାନ ଏକାଧାରରେ ସାଧୁ, ସନ୍ଥ, ଋଷି, ମୁନି ଓ ଭକ୍ତ। ଧର୍ମ ରକ୍ଷା କରିବା ସହିତ ଅଧର୍ମର ବିନାଶ ପାଇଁ ହନୁମାନଙ୍କ ଆବିର୍ଭାବ। ହନୁମାନ ସାକ୍ଷାତ ଭଗବାନଙ୍କ ଅବତାର ବୋଲି ଚିନ୍ମୟ ହନୁମତ ମହୋତ୍ସବର ଷଷ୍ଠ ସଂଧ୍ୟାରେ ଆନ୍ତର୍ଜାତିକ ଚିନ୍ମୟ ମିସନ ମୁଖ୍ୟ ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ କହିଛନ୍ତି। ରାମଙ୍କୁ ପାଇବା ପାଇଁ ହନୁମାନଙ୍କ ଆରାଧନା ଆବଶ୍ୟକ। ହନୁମାନଙ୍କ ପୂଜାର୍ଚନାରୁ ଅଷ୍ଟ ସିଦ୍ଧି (କୃତିତ୍ୱ) ଓ ନ’ ନିଧି (ସଂପଦ) ସାର୍ଥକ ହୋଇଥାଏ ବୋଲି ସ୍ୱାମୀଜୀ ପ୍ରବଚନ ମାଧ୍ୟମରେ କହିଥିଲେ। ପ୍ରେମ ଶ୍ରେଷ୍ଠ ନିଧି ବୋଲି ସ୍ୱାମୀଜୀ ବର୍ଣ୍ଣନା କରିଥିଲେ। ଭଗବାନଙ୍କ ଅର୍ଚ୍ଚନା, ବନ୍ଦନା, ପଦସେବା, କୀର୍ତ୍ତନରୁ ପ୍ରେମ ପ୍ରାପ୍ତି ହୋଇଥାଏ। ଆଉ ପ୍ରେମ ଦ୍ୱାରା ସମସ୍ତଙ୍କୁ ବଶ କରିହୁଏ ବୋଲି ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ କହିଥିଲେ। ହନୁମାନ ହିଁ ସର୍ବସିଦ୍ଧି ଓ ସର୍ବନିଧି ଫଳ ପ୍ରଦାନ କରିଥାନ୍ତି ବୋଲି ଗୋସ୍ୱାମୀ ସନ୍ଥ ତୁଳସୀ ଦାସଙ୍କ ହନୁମାନ ଚାଳିଶାରେ ବର୍ଣ୍ଣନା କରିଛନ୍ତି। ଏଥି ପାଇଁ ହନୁମାନଙ୍କ ଆରାଧନା ସମସ୍ତଙ୍କ ପାଇଁ ଉପାଦେୟ ବୋଲି ସ୍ୱାମୀଜୀ କହିଥିଲେ।

ପୂର୍ବାହ୍‌ଣରେ ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ‘ସଫଳତାର ଚାବିକାଠି’ ଶୀର୍ଷକ କର୍ମଶାଳାରେ ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ କହିଲେ, ଗୋଟିଏ କ୍ଷେତ୍ରରେ ସଫଳ ହେବା ସଫଳତା ନୁହେଁ। ସବୁ ଦିଗରେ ସଫଳ ହେବା ସହିତ ସଫଳତାର ଫଳ ଅନ୍ୟର ଉପକାରରେ ପ୍ରୟୋଗ କରିବା ହିଁ ସଫଳତା। ଜଣେ ବିଦ୍ୟାର୍ଥୀ ପାଇଁ ବିଦ୍ୟା ଶ୍ରେଷ୍ଠ ଧର୍ମ। ଆଳସ୍ୟର ବିଦ୍ୟା ନଥାଏ ବୋଲି ସ୍ୱାମୀଜୀ କହିଥିଲେ। ବଳବାନ, ବୁଦ୍ଧିବାନ, ଧେର୍ଯ୍ୟବାନ ଓ ଶ୍ରଦ୍ଧାବାନ ହେଉଛି ଶିକ୍ଷାର୍ଥୀଙ୍କ ଲକ୍ଷଣ ବୋଲି ସ୍ୱାମୀଜୀ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ କହିଥିଲେ। ଏସବୁ ଗୁଣ ପାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ହନୁମାନଙ୍କୁ ପୂଜା କରିବାକୁ ସ୍ୱାମୀଜୀ ପରାମର୍ଶ ଦେଇଥିଲେ। ସକାଳ ସାଢ଼େ ୬ଟାରେ ୧୦୮ହନୁମାନ ନାମଯପ କରାଯାଇଥିବା ବେଳେ ସ୍ୱାମୀ ଚିତେଜାନନ୍ଦ ସରସ୍ୱତୀ ଗୀତାର ‘ଭକ୍ତିଯୋଗ’ ଉପରେ ପ୍ରବଚନ ପ୍ରଦାନ କରିଥିଲେ।

ସମାରୋହରେ ମହୋତ୍ସବ କମିଟି ଅଧ୍ୟକ୍ଷ ଗଜପତି ଦିବ୍ୟସିଂହ ଦେବ, ମହାରାଣୀ, ଉପାଧ୍ୟକ୍ଷ ଡକ୍ଟର କିଶନଲାଲ୍‌ ଅଗ୍ରଓ୍ଵାଲ, ସଂପାଦକ ଲକ୍ଷ୍ମଣ ସାମନ୍ତରାୟଙ୍କ ସମେତ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଆଚାର୍ଯ୍ୟ, ଚିନ୍ମୟ ମିସନ ଓଡ଼ିଶା ମୁଖ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ, କୃଷ୍ଣପ୍ରେମାନନ୍ଦ, ରାଜକିଶୋର ସ୍ୱାଇଁ, ମହେଶ୍ୱର ସାହୁ, ପୂର୍ଣ୍ଣଚନ୍ଦ୍ର ଦ୍ୱିବେଦୀ, ରମେଶ ସାହୁ, ନିହାର ରଞ୍ଜନ ରାୟ, ଅଜିତ ସିଂହ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର