ହନୁମାନ ପଇସା ପାଇଁ ଅପହରଣ ମାମଲା: ଜେଲ୍‌ ଗଲେ ଅପହୃତ, ୩ ଅପହରଣକାରୀ

ରୢାକେଟ୍‌ରେ ନେତା ଓ ମହିଳା ଚଣ୍ଡୀ ସାଧକ!

ଭୁବନେଶ୍ବର: ହନୁମାନ ପଇସା ଦେବାର ଲୋଭ ଦେଖାଇ ୫ଲକ୍ଷ ଟଙ୍କା ଠକି ନେଇଥିବା ଯୁବକକୁ ଅପହରଣ କରିବା ମାମଲାରେ ତମାଣ୍ଡୋ ଥାନା ପୁଲିସ ୪ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଅପହରଣକାରୀ ପ୍ରଦୀପ କୁମାର ବେହେରା, ତୋଷିବାନନ୍ଦ ଗୋଚ୍ଛାୟତ, ଭକ୍ତହରି ମହାପାତ୍ର ଓ ହନୁମାନ ପଇସା ଦେବା ବାହାନାରେ ଟଙ୍କା ଠକିଥିବା ବିବେକାନନ୍ଦ ମାହାଲି। ଏହି ମାମଲାରେ ଜଣେ ଅପହରଣକାରୀ ପୁଲିସ ଚଢ଼ଉ ବେଳେ ଚମ୍ପଟ ମାରିଥିବା ବେଳେ ହନୁମାନ ପଇସା ରୢାକେଟ୍‌ର ଅନ୍ୟତମ ସଦସ୍ୟ ତଥା ବିବେକାନନ୍ଦର ସହଯୋଗୀ ପ୍ରଶାନ୍ତ ସାହୁ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ରହିଛି। ଏହି ରୢାକେଟ୍‌ର ଚେର ରାଜ୍ୟର ବିଭିନ୍ନ ଅଞ୍ଚଳକୁ ମାଡ଼ିଛି ଓ ଆହୁରି ପ୍ରାୟ ୨୦ରୁ ଅଧିକ ସଦସ୍ୟ ଥିବା ଜଣାପଡ଼ିଛି। ତେବେ ବଡ଼ କଥା ହେଉଛି ଏହି ରୢାକେଟ୍‌ରେ ଜଣେ ରାଜନେତା ଓ କଟକର ଜଣେ ମହିଳା ଚଣ୍ଡୀ ସାଧକ ଥିବା ସୂଚନା ମିଳିଛି। ଅଧିକ ଖୋଳତାଡ୍‌ କଲେ, ପୁଲିସ ଏକ ବଡ଼ ରୢାକେଟ୍‌ର ପର୍ଦ୍ଦାଫାସ୍‌ କରିପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଅପହରଣ ହୋଇ ବହେ ଛେଚା ଖାଇଲା, ଜେଲ୍‌ ଗଲା
‌ହନୁମାନ ପଇସା ରୢାକେଟ୍‌ର ଛୋଟ ମାଛ କୁହାଯାଉଥିବା ବିବେକାନନ୍ଦ ପାଇଁ ଏହି ମାମଲା ମହଙ୍ଗା ସାବ୍ୟସ୍ତ ହୋଇଛି। ହନୁମାନ ପଇସା ପାଇଁ ୫ ଲକ୍ଷ ଟଙ୍କା ଗଣି ଦେଇଥିବା ପ୍ରଦୀପ, ତୋଷିବାନନ୍ଦ ଓ ଭକ୍ତହରି ଠକ ବିବେକାନନ୍ଦକୁ କଟକରୁ ଅପହରଣ କରି ତମାଣ୍ଡୋ ଥାନା କଳିଙ୍ଗବିହାରସ୍ଥିତ ଏକ ହୋଟେଲରେ ପଣବନ୍ଦୀ କରି ରଖିଥିଲେ। ୩ ଦିନ କାଳ ତାକୁ ହୋଟେଲରେ ନିସ୍ତୁକ ମା‌ଡ଼ ଦେଇଥିଲେ। ଟଙ୍କା ଫେରାଇବାକୁ ଦାବି କରି ତାକୁ ଲଙ୍ଗଳାମୁକୁଳା କରି ବେଲ୍‌ଟରେ ପିଟି ଚାଲିଥିଲେ। ଏହି ମାଡ଼ମରା ଦୃଶ୍ୟକୁ ଭିଡିଓ କରି ବିବେକାନନ୍ଦ ପରିବାର ଲୋକଙ୍କୁ ପଠାଇଥିଲେ। ପ୍ରତି ମିନିଟ୍‌ରେ ଗୋଟିଏ ଲେଖାଏଁ ପାହାର ଦେଉଥିଲେ। ସେହିଭଳି ପରିବାର ଲୋକଙ୍କଠାରୁ ଟଙ୍କା ମିଳିବା ଯେତିକି ଡେରି ହେଉଥିଲା, ଅପହରଣକାରୀମାନେ ବିବେକାନନ୍ଦକୁ ସେତିକି ନିର୍ଘାତ୍ ମାଡ଼ ମାରୁଥିଲେ। ବିଚରା ବିବେକାନନ୍ଦ ତଳେ ଗଡ଼ିଗଡ଼ି ଛଟପଟ ହେବା ସହ ବିକଳ ଚିତ୍କାର କରୁଥିଲେ ବି ଅପହରଣକାରୀମାନେ ବଡ଼ ନିର୍ଦ୍ଦୟ ଭାବେ ପିଟିଚାଲିଥିଲେ। ବେଲ୍‌ଟ ମାଡ଼ରେ ତା’ର ଦେହମୁଣ୍ଡ ସିଝି ଯାଇଥିଲା। ଏମିତିକି ଟଙ୍କା ନଫେରାଇଲେ, ସେମାନେ ତାକୁ ହତ୍ୟା କରିବେ ବୋଲି ଧମକ ଦେଇ ପରିବାର ଲୋକଙ୍କୁ ବାର୍ତ୍ତା ପଠାଇଥିଲେ। ଶେଷରେ ପରିବାର ଲୋକେ କେନ୍ଦ୍ରାପଡ଼ା ପାଟକୁରା ପୁଲିସ ସହଯୋଗରେ ତମାଣ୍ଡୋ ଥାନାରେ ଅଭିଯୋଗ କରି ବିବେକାନନ୍ଦକୁ ଅପହରଣକାରୀଙ୍କ କବଳରୁ ମୁକୁଳାଇଥିଲେ। କିନ୍ତୁ ସେତିକିରେ ତା’ର ଦୁର୍ଦ୍ଦଶା ସରିନଥିଲା। ହନୁମାନ ପଇସା ରୢାକେଟ୍‌ର ସଦସ୍ୟ ହୋଇଥିବାରୁ ପୁଲିସ ତାକୁ ବି ଗିରଫ କରି ଜେଲ୍‌ ହାଜତକୁ ପଠାଇ ଦେଇଛି। ମାତ୍ର ପ୍ରଶାନ୍ତ ସାହୁ ହସ୍ପିଟାଲରେ ଚିକିତ୍ସାଧୀନ ଥିବାରୁ ବର୍ତ୍ତି ଯାଇଛି।

କଟକ ଚଣ୍ଡୀ ମନ୍ଦିର ନିକଟରୁ ରୢାକେଟ୍‌ର ଚେର
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ରୢାକେଟ୍‌ର ମୂଳ କଟକ ଚଣ୍ଡୀ ମନ୍ଦିର ନିକଟରେ ରହିଛି। ଜଣେ ମହିଳା ସାଧକ ଓ ଜଣେ ରାଜନେତା ଏଥିରେ ସମ୍ପୃକ୍ତ ଅଛନ୍ତି। ବିବେକାନନ୍ଦ ଓ ପ୍ରଶାନ୍ତ ଭଳି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦ ଜଣ ଏହି ରୢାକେଟ୍‌ରେ ଅଛନ୍ତି। ଏହି ରୢାକେଟ୍‌ ପ୍ରାୟ ୨୫ ଲକ୍ଷ ଟଙ୍କା ଠକିଥିବା ଜଣାପଡ଼ିଛି। ବିବେକାନନ୍ଦ ଓ ପ୍ରଶାନ୍ତ ଗତ କିଛି ମାସ ପୂର୍ବେ ପ୍ରଦୀପ, ତୋଷିବା ଓ ଭକ୍ତହରିଙ୍କୁ ତାଙ୍କ ରୢାକେଟ୍‌ ଜାଲରେ ଫସାଇଥିଲେ। ହନୁମାନ ପଇସା ଦେବାକୁ କହିଥିଲେ। ଲୋଭରେ ପଡ଼ି ୩ ଜଣଯାକ ପ୍ରଶାନ୍ତ ଓ ବିବେକାନନ୍ଦକୁ ୫ ଲକ୍ଷ ଟଙ୍କା ଗଣି ଦେଇଥିଲେ। ମାତ୍ର ଟଙ୍କା ପାଇବା ପରେ ଆଉ କେହି ଧରାଛୁଆଁ ଦେଇନଥିଲେ। ଠକାମୀର ଶିକାର ହେବା ଜାଣିବା ପରେ ପ୍ରଦୀପ, ତୋଷିବା ଓ ଭକ୍ତହରି ଟଙ୍କା ଫେରି ପାଇବାକୁ ପ୍ରଶାନ୍ତ ଓ ବିବେକାନନ୍ଦକୁ ଖୋଜିଥିଲେ। କିନ୍ତୁ ଏହା ଭିତରେ ପ୍ରଶାନ୍ତ ପକ୍ଷାଘାତ ରୋଗରେ ପଡ଼ି ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ତେଣୁ ଟାର୍ଗେଟ୍‌ରେ ରହିଲା ବିବେକାନନ୍ଦ। ସେମାନେ କଟକ ଚଣ୍ଡୀ ମନ୍ଦିର ପାଖରେ ଛକି ରହିଲେ। କିଛି ଦିନ ଜଗି ରହିବା ପରେ ଧରାପଡ଼ିଗଲା ବିବେକାନନ୍ଦ। ପ୍ରଦୀପ, ତୋଷିବା ଓ ଭକ୍ତହରି ତାକୁ ଅପହରଣ କରିନେଲେ।

ହନୁମାନ ପଇସା ରୢାକେଟ୍‌ରେ ପୁଲିସ
୨୦୧୬ ଅଗଷ୍ଟରେ ହନୁମାନ ରୢାକେଟ୍‌ରେ ସଂପୃକ୍ତି ଥିବା ଅଭିଯୋଗରେ ମାଲକାନଗିରିର ତତ୍କାଳୀନ ଆଇଆଇସି ସୁରେନ୍ଦ୍ର ନାୟକଙ୍କ ନାଁ ସାମ୍ନାକୁ ଆସିଥିଲା। ତେଣୁ ତାଙ୍କୁ ରେମୁଣା ବଦଳି କରାଯାଇଥିଲା। ବଦଳି ପରେ ବି ସେ ଏହି ବିବାଦରୁ ବାହାରି ପାରିନଥିଲେ।

ହନୁମାନ ପଇସା ରୢାକେଟ୍‌ କ’ଣ?
ହନୁମାନ ପଇସା ଏକ ଗୁଜବ। ପ୍ରକୃତରେ ସେମିତି କିଛି କଏନ୍‌ ହିଁ ନାହିଁ। କିନ୍ତୁ ଅନ୍ଧବିଶ୍ବାସୀ ମଣିଷ ପାଇଁ ଏହି କଏନ୍‌ ଏକ ଭାଗ୍ୟବାନ ବସ୍ତୁ। ଏହା ମଣିଷକୁ ରାତାରାତି କୋଟିପତି କରିଦିଏ ଓ ସବୁ ଅକଳ୍ପନୀୟ ମନସ୍କାମନା ପୂରଣ କରେ। ହେତୁବାଦୀ ଦେବେନ୍ଦ୍ର ସୂତାରଙ୍କ କହିବାନୁଯାୟୀ ହନୁମାନ ପଇସା ବୋଲି ସେମିତି କୌଣସି ଜିନିଷ ନାହିଁ କି କୌଣସି ଅଲୌକିକ ଶକ୍ତି ନାହିଁ। ଏହା ସଂପୂର୍ଣ୍ଣ ଗୁଜବ ଓ ଅନ୍ଧବିଶ୍ବାସ। କିନ୍ତୁ ଏଭଳି ରୢାକେଟ୍‌ ଲୋକଙ୍କୁ ଠକିବା ପାଇଁ ମିଥ୍ୟା ପ୍ରଚାର କରନ୍ତି ଓ ଲୋକଙ୍କୁ ଭୂତାଇଥାନ୍ତି। ଏହି ରୢାକେଟ୍ ଚୁମ୍ବକ କଏନ୍ କରି ସେଥିରେ ହନୁମାନ ଚିତ୍ର କରିଥାନ୍ତି। ଲୁହା ତିଆରି ନକଲି ଧାନକୁ ତାହା ଆକର୍ଷଣ କରେ। ବେଳେବେଳେ ନକଲି ଅରୁଆ ଚାଉଳକୁ ବି ଏହି କଏନ୍‌ ଟାଣିବା ଦେଖାଇ ସେମାନେ ଲୋକଙ୍କୁ ଭୂଆଁ ବୁଲାଇଥାନ୍ତି। ଅନେକ ସମୟରେ ସାଧକ ବେଶରେ ଏହି ରୢାକେଟ୍‌ର ସଦସ୍ୟ ମାଟିତଳୁ ଏମିତି କଏନ୍‌ ବାହାର କରି ଲୋକଙ୍କୁ ଭୂତାଇଥା’ନ୍ତି। ଶ୍ରୀ ସୂତାରଙ୍କ କହିବା କଥା ଆଜିକାଲିର ବିଜ୍ଞାନ ଯୁଗରେ ବି ଲୋକେ ଏହାକୁ ବିଶ୍ବାସ କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ବି ଏହାର ପ୍ରଚାର ପ୍ରସାର ହେଉଛି। ଗତ ୧୫ବର୍ଷ ଭିତରେ ଏହି କାରବାରକୁ ନେଇ ରାଜ୍ୟରେ ୧୦ରୁ ଅଧିକ ମୁଣ୍ଡ ଗଡ଼ିଥିଲେ ବି କେହି ସଚେତନ ହେଉନାହାନ୍ତି। ଏମିତିକି ବହୁ ଶିକ୍ଷିତ ବର୍ଗର ଲୋକେ ବି ବାଇଆ ହୋଇ ହନୁମାନ ପଇସା ପାଇବା ପଛରେ ଧାଇଁଛନ୍ତି ବୋଲି ସେ କହିଛନ୍ତି। ‌ତେଣୁ ଲୋକଙ୍କୁ ଠକିବା ପାଇଁ ରୢାକେଟ୍‌ ଗଢ଼ିଉଠୁଛି।

ହନୁମାନ ପଇସାକୁ ନେଇ ଘଟିଥିବା ପ୍ରମୁଖ ଅପରାଧ

୨୦୨୦ ନଭେମ୍ବର: କୋରାପୁଟ ପଟ୍ଟାଙ୍ଗୀ ଥାନା ଅଞ୍ଚଳରେ ହନୁମାନ ପଇସା ପାଇବା ପାଇଁ ଜଣେ ୬ବର୍ଷର କୁନି ଝିଅକୁ ବଳି ଦେଇଥିଲା। ଝିଅର ଆଖି ଓ ଜିଭ କାଟି ପୂଜାର୍ଚ୍ଚନା କରିଥିଲା। ପରେ ଥାନାକୁ ଯାଇ ଝିଅ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲା। ପୁଲିସ ଘଟଣାର ତଦନ୍ତ କରିବା ପରେ ବାପା ବାଙ୍ଗୁରୁ ପାଙ୍ଗୀ ଓ ତା’ ସହଯୋଗୀ ଶ୍ୟାମସୁନ୍ଦର ବିଶ୍ବାଳ ହନୁମାନ ପଇସା ପାଇଁ ଝିଅକୁ ହତ୍ୟା କରିଥିବା ଜଣାପଡ଼ିଥିଲା।

୨୦୧୯ ଅଗଷ୍ଟ: ବଲାଙ୍ଗୀର ପୁଇଁତଳା ଥାନା ଅନ୍ତର୍ଗତ ବରଗାଁରେ ଭଣଜା ନରେଶ ନନ୍ଦ ସହଯୋଗୀମାନଙ୍କ ସହ ମିଶି ମାମୁ ଶ୍ରୀକାନ୍ତ ନନ୍ଦଙ୍କୁ ହତ୍ୟା କରିଥିଲା। ମାମୁ ପାଖରେ ହନୁମାନ ପଇସା ଥିବା ସନ୍ଦେହ କରି ସେ ସୁକତେଲ ନଦୀପଠାକୁ ବୁଲିବାକୁ ଡାକିଥିଲା। ସେଠାରେ ନରେଶର ୩ଜଣ ସହଯୋଗୀ ରିତେଶ ସେଠ୍, ମଦନ ନାଗ ଓ ସଂଜୀବ ବାରିକ ପୂର୍ବରୁ ଜଗି ରହିଥିଲେ। ଶ୍ରୀକାନ୍ତ ନଦୀପଠାରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ହନୁମାନ ପଇସା ମାଗିଥିଲେ। ହନୁମାନ ପଇସା ନାହିଁ ବୋଲି ଶ୍ରୀକାନ୍ତ କହିବାରୁ ସେମାନେ ତାଙ୍କୁ ହତ୍ୟା କରିଥିଲେ।

୨୦୨୧ ମେ’: ଦେବଗଡ଼ ଜିଲ୍ଲା ରାଇତଲ ଗାଁରେ ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ନିକଟରୁ କୃଷ୍ଣ କିସାନ ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଥିଲା, ରାତିସାରା ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ମୁଣ୍ଡକୁ ଟାଙ୍ଗିଆରେ ହାଣି ତାଙ୍କୁ ହତ୍ୟା କରାଯାଇଥିଲା। କୃଷ୍ଣଙ୍କ ନିକଟରେ ହନୁମାନ ପଇସା ଥିବା ସନ୍ଦେହ କରି ସାଙ୍ଗମାନେ ତାଙ୍କୁ ହତ୍ୟା କରିଥିଲେ।

୨୦୨୧ ଜାନୁଆରି: ହନୁମାନ ପଇସା ଦେବାକୁ କହି ବ୍ରହ୍ମପୁରର ୭ଜଣ ଯୁବକ ପ୍ରାୟ ୨କୋଟି ଟଙ୍କା ଠକେଇ କରିଥିଲେ। ବ୍ରହ୍ମପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ୭ଜଣଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର