ବାଣୀବିହାରରେ ମହିଳା ପ୍ରଫେସରଙ୍କୁ ନିର୍ଯାତନା! : ଜଣେ ଓଏଏସ୍‌ ଅଧିକାରୀ ନିର୍ଯାତନା ଦେଇଥିବା ଅଭିଯୋଗ

ଛାତ୍ରୀନିବାସ ସୁପରିଟେଣ୍ଡେଣ୍ଟ ପଦ ଛାଡ଼ିଲେ ପ୍ରଫେସର, ଅଭିଯୋଗ ପହଞ୍ଚିଛି, ଆଲୋଚନା ହୋଇନି: ହଷ୍ଟେଲ ୱାର୍ଡେନ୍‌

ଭୁବନେଶ୍ବର : ନିର୍ଯାତନା ବିବାଦରୁ ମୁକୁଳିପାରୁନି ଉତ୍କଳ ବିଶ୍ବବିଦ୍ୟାଳୟ। ଏପଟେ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍‌ ଜୁବ୍‌ଲି ଉତ୍ସବ ପାଳନ କରୁଥିବା ବେଳେ ସେପଟେ ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସର ଆଣିଛନ୍ତି ନିର୍ଯାତନାର ଅଭିଯୋଗ। ବିଶ୍ବବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗତ ୧୪ ତାରିଖରେ ପ୍ରଫେସର ଜଣଙ୍କୁ ନିର୍ଯାତନା ଦିଆଯାଇଛି। ଏନେଇ ସେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ଲୋଡ଼ିଛନ୍ତି। ଏଥିସହ ଛାତ୍ରୀ ନିବାସର ସୁପରିଟେଣ୍ଡେଣ୍ଟ ପଦରୁ ଇସ୍ତଫା ଦେଇଥିବା ନେଇ ହଷ୍ଟେଲ ୱାଡେନ୍‌ଙ୍କୁ ଚିଠି ଲେଖିଛନ୍ତି। ଏ ନେଇ ପ୍ରଫେସରମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ପ୍ରଫେସର ଜଣକ କର୍ତୃପକ୍ଷଙ୍କ ନିକଟକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଛାତ୍ରୀ ନିବାସରେ ରହୁଥିବା ଜଣେ ଛାତ୍ରୀ ଗତ ୧୩ ତାରିଖରେ ହଷ୍ଟେଲ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ତାହାର ସମାଧାନ ହଷ୍ଟେଲ ଭିତରେ ହୋଇଥିଲା। ତେବେ ଛାତ୍ରୀ ଓ ତାଙ୍କ ଅଭିଭାବକ ଏଥିରେ ସନ୍ତୁଷ୍ଟ ନଥିଲେ। ସେମାନେ ଏ ନେଇ କୁଳସଚିବଙ୍କ ଦ୍ବାରସ୍ଥ ହେଇଥିଲେ। କୁଳସଚିବଙ୍କ କାର୍ଯ୍ୟାଳୟରୁ ମତେ ସମନ ଜାରି କରାଯାଇଥିଲା। ୧୪ ତାରିଖ ଅପରାହ୍ଣ ୧ଟା ୪୫ରେ କୁଳସଚିବଙ୍କ କାର୍ଯ୍ୟାଳୟରେ ପହଞ୍ଚିବାକୁ ଫୋନ୍‌ ଯୋଗେ ଡକାଯାଇଥିଲା। ଏହି ବୈଠକରେ ଛାତ୍ରୀ ଓ ତାଙ୍କ ବାପାଙ୍କ ସମେତ ବିଶ୍ବବିଦ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ। ଛାତ୍ରୀଙ୍କ ବାପା ସେଠାରେ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ।

ନିଜକୁ ଜଣେ ଓଏଏସ୍‌ ଅଧିକାରୀ ବୋଲି ପରିଚୟ ଦେଇ କଠୋର ଭାଷା ପ୍ରୟୋଗ କରିବା ସହ ହଷ୍ଟେଲ ଷ୍ଟାଫ୍‌ଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛ ଜଣାଅ ବୋଲି ବାରମ୍ବାର ପ୍ରଶ୍ନ କରିଥିଲେ। ଉତ୍ତର ଦେବା ପରେ ମଧ୍ୟ ସେ ବାରମ୍ବାର ପ୍ରଶ୍ନ ପଚାରି ଚାଲିଥିଲେ। ‌ମୋତେ ଧମକ ଦେଇଥିଲେ। ବିଶ୍ବବିଦ୍ୟାଳୟକୁ ବଦନାମ କରିଦେବେ ବୋଲି କହିଥିଲେ।

ପ୍ରଫେସର ଜଣକ ଆହୁରି ଉଲ୍ଲେଖ କରିଛନ୍ତି ଯେ ସମସ୍ତଙ୍କ ଉପସ୍ଥିତିରେ ସମ୍ପୃକ୍ତ ଓଏଏସ୍‌ ଅଧିକାରୀ ଜଣକ ନିଜ ପଦର ଅପବ୍ୟବହାର କରିଛନ୍ତି। ନିର୍ଯାତନା ଦେଇଛନ୍ତି। ଏଭଳି ନିର୍ଯାତନାକୁ ବିରୋଧ କରୁଛି। ଛାତ୍ରୀନିବାସର ଭାରପ୍ରାପ୍ତ ସୁପରିଟେଣ୍ଡେଣ୍ଟ ପଦରୁ ଇସ୍ତଫା ଦେଉଛି। ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଏନେଇ ବିଶ୍ବବିଦ୍ୟାଳୟ କୁଳସଚିବ ଦୟାନିଧି ନାୟକଙ୍କୁ ଦୁଇ ଦିନ ହେଲା ଯୋଗଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରିନି। ‌ୱାର୍ଡେନ୍‌ ପୁଷ୍ପାଞ୍ଜଳି ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଗତ ୧୬ ତାରିଖରେ ପ୍ରଫେସରଙ୍କ ଅଭିଯୋଗ ପହଞ୍ଚିଛି। ୧୭ ତାରିଖରେ କୁଳପତି ଓ ପିଜି କାଉନସିଲ୍‌ ଅଧ୍ୟକ୍ଷ ଅନୁପସ୍ଥିତ ଥିବାରୁ ଅଭିଯୋଗ ବିଷୟରେ ଆଲୋଚନା ହୋଇପାରିନି। ଏବେ ପ୍ଲାଟିନମ୍‌ ଜୁବ୍‌ଲି ଉତ୍ସବ ଜାରି ରହିଛି। ବୁଧବାର ଅଭିଯୋଗ ଉପରେ ତଦନ୍ତ ହେବ। ଅନ୍ୟପକ୍ଷରେ ଆସିଷ୍ଟାଣ୍ଟ ପ୍ରଫେସର ଜଣକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ମୁଁ ଗଣମାଧ୍ୟମରେ କିଛି କହିବିନି। ଯାହା କହିବା କଥା ଲିଖିତ ଆକାରରେ କର୍ତ୍ତୃପକ୍ଷଙ୍କୁ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ହଷ୍ଟେଲ ଶୌଚାଳୟରେ ସମସ୍ୟା ରହିଥିଲା। ଏନେଇ ଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିବା ପରେ ମରାମତି ପାଇଁ ବାହାରୁ ଦୁଇ ଜଣ ବ୍ୟକ୍ତିଙ୍କୁ ଡକାଯାଇଥିଲା। ସେମାନେ ମରାମତି ପାଇଁ ଶୌଚାଳୟ ଭିତରକୁ ଯିବା ଲାଗି ଅପେକ୍ଷା କରିଥିବା ଦେଖି ଛାତ୍ରୀ ଜଣକ ହଡ଼ବଡ଼େଇ ଯାଇଥିଲେ। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର