ବାଲିଅନ୍ତା ବଜାର: ଚାକିରି କରାଇଦେବା ଆଳରେ ଜଣେ ଅସହାୟ ମହିଳାଙ୍କୁ ଫସାଇବା ପରେ ତାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଆଜି ବାଲିଅନ୍ତା ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ବାଲିଅନ୍ତା ସାଇବିହାରରେ ରହୁଥିବା ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳର ଦୀପକ ପ୍ରଧାନ(୩୮)। ଜାମିନ ଖାରଜ ହେବାରୁ ଦୀପକକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇଦିଆଯାଇଛି।  

Advertisment

ପୁଲିସ ସୂଚନାନୁସାରେ ଅଭିଯୋଗକାରିଣୀ ପୀଡ଼ିତା ଜଣେ ବିବାହିତ ମହିଳା। ପାରିବାରିକ କଳହ କାରଣରୁ ତାଙ୍କୁ ଘର ଛାଡ଼ିବାକୁ ପଡ଼ିଥିଲା। ତେଣୁ ଚାକିରି କରିବା ଆଶାରେ ସେ ଭୁବନେଶ୍ୱର ଚାଲିଆସି ବାଲିଅନ୍ତା ଅଞ୍ଚଳରେ ରହୁଥିଲେ। ଚାକିରି ଲକ୍ଷ୍ୟରେ ସେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସାଇବିହାରରେ ରହୁଥିବା ଦୀପକଙ୍କ ସହ ପରିଚୟ ହୋଇଥିଲା। ଦୀପକ ତାଙ୍କୁ ଚାକିରି କରାଇଦେବାରେ ସହଯୋଗ କରିବେ ବୋଲି କହିଥିଲେ। ନିହାତି ଚାକିରିଟିଏ ଦରକାର କରୁଥିବା ପୀଡ଼ିତା ଦୀପକର କଥା ଚାତୁରୀରେ ଭଳିଯାଇଥିଲେ। କିନ୍ତୁ ଦୀପକ ମନରେ ଯେ ହଳାହଳ ବିଷ ଭରିରହିଥିଲା, ପୀଡ଼ିତା ତା’ର ଟେର୍‌ ପାଇନଥିଲେ। ପୀଡ଼ିତାଙ୍କ ବିଶ୍ବାସ ଓ ଭରସା ବଢ଼ିଯାଇଥିବା ଦେଖି ଦୀପକ ଏଥର ଫାଶ ବସାଇଥିଲା। ସେପ୍ଟେମ୍ବର ୨୬ ତାରିଖ ଦିନ ଦୀପକ ପୀଡ଼ିତାଙ୍କୁ ଭୁବନେଶ୍ବର ଆଇଜି ପାର୍କକୁ ନେଇଥିଲା। ଜଣେ ସରକାରୀ ବରିଷ୍ଠ ଅଧିକାରୀଙ୍କ ସହ ଭେଟ କରାଇବ ଓ ସେ ଚାକିରି କରାଇଦେବେ ବୋଲି କହିଥିଲା। କିନ୍ତୁ ରାତି ହୋଇଗଲା ପଛେ କୌଣସି ସରକାରୀ ଅଧିକାରୀଙ୍କ ଦେଖାମିଳିଲା ନାହିଁ। ଏହାପରେ ଦୀପକ ତାଙ୍କୁ ନିଜ ଘରକୁ ନେଇଗଲା ଏବଂ ପୀଡ଼ିତାଙ୍କ ଇଛା ବିରୋଧରେ ଦୁଷ୍କର୍ମ କଲା। କେବଳ ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ସୁଟ୍‌ କରି ରଖିଲା।

ଏମିତି ବନ୍ଦୀ କରି ୨ଦିନ ରଖିବା ପରେ ଦୀପକ ତାଙ୍କୁ ଛାଡ଼ିଦେଲା ଏବଂ ନିଶ୍ଚୟ ଚାକିରି କରାଇଦେବ ବୋଲି ପୁଣି ପ୍ରତିଶ୍ରୁତି ଦେଲା। କିନ୍ତୁ ଘଟଣା ବାହାରେ ପ୍ରଘଟ କଲେ, ସେ ଭିଡିଓ ଭାଇରାଲ୍‌ କରାଇବ କହି ଧମକ ଦେଲା। ଏହାପରେ ସେ ଭିଡିଓ ଭାଇରାଲ କରିବା ଭୟ ଦେଖାଇ ପୀଡ଼ିତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଲା। ଫଳରେ ମହିଳା ଗର୍ଭବତୀ ହୋଇଗଲେ। କିନ୍ତୁ ଦୀପକ ଔଷଧ ଦ୍ବାରା ଗର୍ଭ ନଷ୍ଟ କରାଇଲା। ଏତେ ଯନ୍ତ୍ରଣା ପାଇବା ଭିତରେ ମହିଳା ବାରମ୍ବାର ଚାକିରି କଥା ପଚାରିବାରୁ ଦୀପକ ତାଙ୍କୁ ଭିଡିଓ କଥା କହି ଚେତାବନୀ ଦେଲା। ଶେଷରେ ମହିଳା ଦୀପକର ଚାଲ୍‌ ବୁଝିପାରିଲେ ଏବଂ ବାଲିଅନ୍ତା ଥାନାର ଦ୍ବାରସ୍ଥ ହେଲେ।