କଠିନ ପରିଶ୍ରମ ଓ ନିରନ୍ତର ପ୍ରୟାସ ସଫଳତାର ଶିଡ଼ି: ପ୍ରିୟଙ୍କା

୨୦୧୭ରେ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ସେ ‘ତେଜସ୍ବିନୀ’ ଓ ‘ଦୁର୍ଗା’ ଧାରାବାହିକ ସହ ‘ଟୋକାଟା ଫସି ଗଲାରେ’, ‘ଦିଲ୍‌ରେ ଅଛି ‌ତୋରି ନା’ ଓ ‘ବିଦ୍ୟାରାଣ’ ଆଦି ଚଳଚ୍ଚିତ୍ରରେ ଅଭିନୟ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ହେଉଛନ୍ତି ଓଡ଼ିଆ ଚଳଚ୍ଚିତ୍ରର ନବାଗତା ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀ। ବାଲେଶ୍ବରରେ ଜନ୍ମିତ ପ୍ରିୟଙ୍କା ଏଫ୍‌ଏମ୍‌ କଲେଜରୁ ଯୁକ୍ତ ୨ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରୁ ବିଏସ୍‌ସି ପ୍ରାଣୀବିଜ୍ଞାନ ସମ୍ମାନରେ ପାଠ ପଢ଼ିଥିଲେ। ପରେ ବିଏଡ୍‌ ପାଇଁ ହାଇଦ୍ରାବାଦ ଯାଇଥିଲେ। ‘ମୁଁ ବି ହିରୋଇନ୍‌ ହେବି ସିଜିନ୍‌-୩’‌ରେ ଯୋଗ ଦେଇ ଉପବିଜେତା ହୋଇଥିଲେ। ଏହାପରେ ତାଙ୍କ ଜୀବନର ମୋଡ଼ ବଦଳି ଯାଇଥିଲା। ଲକ୍‌-ବାଏ-ଚାନ୍ସର ଅଭିନେତ୍ରୀ ପ୍ରିୟଙ୍କାଙ୍କ ସହ ହିତେଶ ନାୟକଙ୍କ ଆଳାପ…

ଅଭିନୟ ଯାତ୍ରା କିଭଳି ଆରମ୍ଭ ହେଲା?
ଅଭିନେତ୍ରୀ ହେବା କଥା ମୁଁ କେବେ ଭାବି ନଥିଲି। ଶିକ୍ଷୟିତ୍ରୀ ହେବା ସ୍ବପ୍ନ ଥିଲା। ୨୦୧୫ ମସିହାରେ ପୂରା ପରିବାର ବସି ଆମେ ‘ମୁଁ ବି ହିରୋଇନ୍‌ ହେବି ସିଜିନ୍‌-୩’ର ଅଡିସନ୍‌ ଦେଖୁଥାଉ। ସେତେବେଳେ ମୋ ଭାଇ ମୋତେ କହିଲେ, ଦେଖ ଦେଖ କେତେ ଭଲ ଅଭିନୟ କରୁଛନ୍ତି ସମସ୍ତେ। ତୁ କେବଳ ହିରୋଇନ୍‌ଙ୍କ ଭାଉଜ ହୋଇପାରିବୁ। ଯାହାକି ମୋ ଭିତରେ ଏକ କମ୍ପନ ସୃଷ୍ଟି କରିଥିଲା। ମୁଁ ବି ‌ହିରୋଇନ୍‌ ହୋଇ ପାରିବି ବୋଲି ସେତେବେଳେ ଚ୍ୟାଲେଞ୍ଜ ‌ନେଇଥିଲି। ସିଜିନ୍‌-୩ରେ ଅଂଶଗ୍ରହଣ କରି ଉପ‌ବିଜେତା ହେଲି। ଏହାପରେ ମୋତେ ଗୋଟିଏ ପରେ ଗୋଟିଏ ଧାରାବାହିକରେ ସୁଯୋଗ ମିଳିଥିଲା।

ଧାରାବାହିକରୁ ଚଳଚ୍ଚିତ୍ର ଯାତ୍ରା କିଭଳି ଥିଲା?
୨୦୧୭ରେ ‘ତେଜସ୍ବିନୀ’ ଧାରାବାହିକରେ ମୋତେ ମୁଖ୍ୟ ଭୂମିକାରେ ସୁଯୋଗ ମିଳିଥିଲା। ୨୦୧୮ରେ ‘ଦୁର୍ଗା’ ଧାରାବାହିକ। ଏହି ଦୁଇ ଧାରାବାହିକ ମୋତେ ଘରେ ଘରେ ପରିଚିତ କରାଇଥିଲା। ୨୦୧୮ରେ ମୋତେ ଓଲିଉଡ୍‌ରୁ ଅଫର୍‌ ମଧ୍ୟ ଆସିଲା। ବରିଷ୍ଠ ହାସ୍ୟାଭିନେତା ପପୁ ପମ୍‌ପମ୍‌ଙ୍କ ବିପକ୍ଷରେ ମୁଁ ମୋ ପ୍ରଥମ ଚଳଚ୍ଚିତ୍ର ‘ଟୋକାଟା ଫସି ଗଲାରେ’ ସୁଯୋଗ ପାଇଥିଲି। ଏହାପରେ ବହୁ ମ୍ୟୁଜିକ ଭିଡିଓ କରିଛି। କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ କରିଛି। କିଛି ଦିନ ତଳେ ମୋର ୨ଟି ଚଳଚ୍ଚିତ୍ର ‘ଦିଲ୍‌ରେ ଅଛି ‌ତୋରି ନା’ ଓ ‘ବିଦ୍ୟାରାଣ’ ମୁକ୍ତିଲାଭ କରିଛି। ଆହୁରି ଦୁଇଟି ଚଳଚ୍ଚିତ୍ର ମୁକ୍ତିଲାଭ ଅପେକ୍ଷାରେ ରହିଛି।

ଜଣେ ଅଭିନେତ୍ରୀ ମଧ୍ୟରେ କି ପ୍ରତିଭା ରହିବା ଉଚିତ?
କଠିନ ପରିଶ୍ରମ, ନିରନ୍ତର ପ୍ରୟାସ, କାମ ପ୍ରତି ନିଷ୍ଠା ଓ ସମର୍ପଣ ଭାବ ରହିଲେ ଯେ କେହି ବି ସଫଳ ଅଭିନେତ୍ରୀ ହୋଇପାରିବ ବୋଲି ମୁଁ ଭାବୁଛି। ଯଦି ମୁଁ ଜଣେ ସାଧାରଣ ଝିଅ ହୋଇ, ଗୋଟିଏ ଚ୍ୟାଲେଞ୍ଜ ନେଇ ଏତିକି ବାଟ ଆସିପାରିଲି, ଯେକେହି ବି ଏହା କରିପାରିବେ। ମୁଁ ଚ୍ୟାଲେଞ୍ଜ ଗ୍ରହଣ କରି ନେଇଥିଲି ସତ ହେଲେ ମୋତେ ଅଭିନୟ ଜଣାନଥିଲା। ଏଥିପାଇଁ ମୋତେ ଅନେକ ପରିଶ୍ରମ କରିବାକୁ ପଡ଼ିଛି। ଚଳଚ୍ଚିତ୍ର ଜଗତକୁ ଆସିବା ପରେ ମୋତେ ଆହୁରି ଅନେକ କିଛି ଶିଖିବାର ଅଛି ବୋଲି ଲାଗୁଛି। କେବଳ କଠିନ ପରିଶ୍ରମ ଓ ନିରନ୍ତର ପ୍ରୟାସ ‌ମୋ ବାଟ କଢ଼ାଇ ନେବ ବୋଲି ଆଶା।

ଓଡ଼ିଆ ଚଳଚ୍ଚିତ୍ର ଦୁଃସ୍ଥିତି ନେଇ କ’ଣ କହିବେ?
ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଓଡ଼ିଆଙ୍କ ଆନ୍ତରିକତାର ଅଭାବ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଧୋଗତିର କାରଣ। ହିନ୍ଦୀ କିମ୍ବା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଯେଉଁ ଆଗ୍ରହ ରହୁଛି, ଓଡ଼ିଆ ପାଇଁ ରହୁନାହିଁ। ହଲ୍‌ ସୁବିଧା ବି ଓଡ଼ିଆ ଚଳଚ୍ଚିତ୍ରକୁ ମିଳୁନାହିଁ। ଚଳଚ୍ଚିତ୍ର ଭଲ ହେଉ କି ଖରାପ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରକୁ ସେମାନଙ୍କ ଭାଷାଭାଷୀର ଦର୍ଶକ ଆଗ୍ରହର ସହ ଦେଖନ୍ତି। ମାତ୍ର ଓଡ଼ିଶାରେ ତାହା ଦେଖିବାକୁ ମିଳୁନି। ଆମ ଭାଷା, ସଂସ୍କୃତିକୁ ସେତିକି ଭଲ ପାଇବା ଦରକାର। ଯେଉଁ ଦିନ ଓଡ଼ିଆ ଚଳଚ୍ଚିତ୍ରକୁ ହଲ୍‌ରେ ଗୁରୁତ୍ବ ଦିଆଯିବ; ଦର୍ଶକଙ୍କ ରୁଚି ମଧ୍ୟ ବଢ଼ିବ। ଓଡ଼ିଆ ଚଳଚ୍ଚିତ୍ର ଜଗତ ଆଗକୁ ବଢ଼ିବା ଆରମ୍ଭ କରିବ।

ଅବସର ସମୟ କେମିତି କାଟନ୍ତି?
ଶିକ୍ଷକତା କରିବା ପିଲାଟି ବେଳୁ ମୋର ସ୍ବପ୍ନ ରହିଆସିଛି। ତେଣୁ ଅବସର ସମୟରେ ପଢ଼ାପଢ଼ି କରେ। ରୋଷେଇ ପ୍ରତି ମୋର ବହୁତ ଆଗ୍ରହ। ଖାଲି ସମୟରେ ନୂଆ ନୂଆ ବ୍ୟଞ୍ଜନ ପ୍ରସ୍ତୁତ କରିବାକୁ ମୁଁ ଭଲପାଏ। ଏଥିସହ ମୋ ପୋଷା କୁକୁର ଓ ପକ୍ଷୀଙ୍କ ସହ ମୁଁ ଖାଲି ସମୟ କାଟେ।

ସମ୍ବନ୍ଧିତ ଖବର