ଯୋଗଦେବେ ୬୦ରୁ ଊର୍ଧ୍ୱ ପାଇକ ଦଳ

ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ୧୧୮ତମ ଡ.ହରେକୃଷ୍ଣ ମହତାବ ଜୟନ୍ତୀ ରାଜଧାନୀରେ ଧୁମ୍‌ଧାମ୍‌ରେ ପାଳିତ ହେବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ପୁରୁଣା ଭୁବନେଶ୍ୱର ଗୁଆଝରଠାରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଜୟନ୍ତୀ କମିଟିର ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ସୂଚନା ଦେଇ କହିଛନ୍ତି ଯେ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ଭାରତର ସ୍ୱାଧୀନତା ଓ ବିଶେଷ କରି ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ ଡ. ମହତାବଙ୍କ ଭୂମିକା ଅତୁଳନୀୟ। ରାଜଧାନୀ ପ୍ରତିଷ୍ଠା ଦିଗରେ ଏବଂ ଓଡ଼ିଶାର ପ୍ରଗତି ଦିଗରେ ତାଙ୍କ କୃତୀ ଓ କୀର୍ତି ଅବସ୍ମରଣୀୟ। ତାଙ୍କର ଜନ୍ମ ଦିବସକୁ ଦୁଇ ଦିନିଆ ପାଳନ କରାଯିବା ପାଇଁ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି।

ଏହି ପ୍ରରିପେକ୍ଷୀରେ ଆସନ୍ତା ୨୦ତାରିଖ ସନ୍ଧ୍ୟାରେ ଗୁଆଝରଠାରେ ରାଜ୍ୟସ୍ତରୀୟ ପାଇକ ପ୍ରତିଯୋଗିତା କରାଯିବ। ଏଥିରେ ୬୦ରୁ ଊର୍ଧ ପାଇକ ଦଳ ଯୋଗଦେଇ ତାଙ୍କର ପ୍ରତିଭା ପ୍ରଦର୍ଶନ କରିବେ। ୨୧ତାରିଖ ପୂର୍ବାହ୍ନରେ ପିଏ୍‌ଜି ଛକଠାରେ ଏକ ସାଧାରଣ ସଭା କରାଯିବ। ଏଥିରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବାଚସ୍ପତି ଓ ରାଜ୍ୟର ବହୁ ମନ୍ତ୍ରୀ ଯୋଗଦେବେ। ସେଠାରୁ ଏକ ପାଇକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ଏକାମ୍ର ନିବାସକୁ ଯିବ। ସେଠାରେ ସାଧାରଣ ସଭା ପରେ ମିଷ୍ଠାନ ବଂଟନ କରାଯିବ। ସନ୍ଧ୍ୟାରେ ବଢ଼େଇବାଙ୍କ ଛକଠାରେ ମେଲୋଡ଼ି ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ମହତାବ ସମ୍ମାନ ପ୍ରଦାନ କରାଯିବା ସହ ବିଭିନ୍ନ ମନ୍ଦିରରେ ପୂଜାର୍ଚନା ଓ ହସ୍ପିଟାଲରେ ଫଳ ବଂଟନ କରାଯିବ ବୋଲି କମିଟିର ସଭ୍ୟ ଅମିୟ ଦାଶ, ସଂଗ୍ରାମ ପାଇକରାୟ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଓ ସଭ୍ୟମାନେ କହିଛନ୍ତି।

ସମ୍ବନ୍ଧିତ ଖବର