ଡ. ହରେକୃଷ୍ଣ ମହତାବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ, ରାଜ୍ୟ ପ୍ରତି ମହତାବଙ୍କ ଅବଦାନ ଅତୁଳନୀୟ

ପୁରୁଣା ଭୁବନେଶ୍ୱର: ଡ. ହରେକୃଷ୍ଣ ମହତାବଙ୍କ ୧୧୯ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଜୟନ୍ତୀ କମିଟି ପକ୍ଷରୁ ପିଏମ୍‌ଜି ଛକଠାରେ ଏକ ସଭା ଆୟୋଜିତ ହୋଇଥିଲା। କମିଟିର ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କହିଲେ, ରାଜ୍ୟ ପ୍ରତି ମହତାବଙ୍କ ଅବଦାନ ଅତୁଳନୀୟ। ରାଜ୍ୟରେ ମଦ କମ୍ପାନି ପାଇଁ ଜମି ମିଳୁଛି ଅଥଚ ପାଇକ ସ୍ମାରକୀ ପାଇଁ ମିଳୁନି। ସେ ସମସ୍ତ ପାଇକ ଦାୟାଦ ଓ ମୁରବିମାନଙ୍କୁ ଅନୁରୋଧ କରି କହିଥିଲେ ଯେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଜମି ଦେବା ପାଇଁ କୁହନ୍ତୁ। ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହି‌‌ଲେ, ମହତାବଙ୍କ ଜନ୍ମସ୍ଥାନ ଅଗରପଡ଼ାରେ ମହତାବଙ୍କ ପ୍ରତିମୂର୍ତି ପାଇଁ ସରକାର ଅନୁମତି ଦେଉ ନାହାନ୍ତି। ଅନୁମତି ନ ମିଳିଲେ ସେ ଅନଶନ କରିବେ ବୋଲି କହିଥିଲେ। ଅନୁଷ୍ଠାନର ସଭାପତି ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ କହିଥିଲେ, ମହତାବଙ୍କ ପ୍ରତିମୂର୍ତି ଓ ପାଇକ ସ୍ମାରକୀ ପାଇଁ ପାଇକ ସମାଜକୁ ଏକ ହେବାକୁ ପଡ଼ିବ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଅମିୟ ଦାଶ, କିଶୋର ଜେନା, ଜଗନ୍ନାଥ ପ୍ରଧାନ ପ୍ରମୁଖ ମହତାବଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଇନଜୀବୀ ପରିଷଦର ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ମହାନ୍ତି, ବିଶିଷ୍ଟ ଶିକ୍ଷାବିତ୍ ଅଧ୍ୟାପକ ପ୍ରସନ୍ନ ଚୌଧୁରୀ, ଶିକ୍ଷୟିତ୍ରୀ ସସ୍ମିତା ମହାପାତ୍ର, ରାଜଶ୍ରୀ ସାମନ୍ତରାୟ, ରମେଶ ସାହୁ, ଦେବସ୍ମିତା ମହାନ୍ତି, ଚନ୍ଦ୍ରଶେଖର ଗୁମାନସିଂ, ଜ୍ୟୋତିର୍ମୟୀ ଛୋଟରାୟ, ଶଙ୍କର ଚରଣ ଦାସ, ପ୍ରଦୀପ କୁମାର ବଳିଆରସିଂ, ବିଭାରାଣୀ ପାତ୍ର, ସୁବାସ ଚନ୍ଦ୍ର ଜେନା, ପ୍ରତାପ ସାମନ୍ତରାୟ, ଆରୋଷୀ ଶ୍ରୀଚନ୍ଦନ, ତେଜସ୍ବିନୀ ରଥ, ପୁଲିନ ପ୍ରକାଶ ପୁହାଣ, ପ୍ରଭାତ କୁମାର ସାହୁଙ୍କୁ ଡ. ହରେକୃଷ୍ଣ ମହତାବ ସମ୍ମାନ ପ୍ରଦାନ କରାଯାଇଥିଲା। ଏହାପରେ ସେଠାରୁ ପାଇକଦଳ ବନାଟି, କୁସ୍ତି, ପାରମ୍ପରିକ ଖଣ୍ଡା ଖେଳ, ବାଡ଼ି ଖେଳ ପ୍ରଦର୍ଶନ କରି ମହତାବଙ୍କ ବାସଭବନ ଏକାମ୍ର ନିବାସକୁ ଯାଇଥିଲେ। ଏକାମ୍ର ନିବାସଠାରେ ଏକ ସଭା କରାଯାଇଥିଲା। ଶ୍ରୀ ରାଉତରାୟଙ୍କ ଅଧ୍ୟକ୍ଷତାରେ ସେଠାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ, ସନ୍ତୋଷ ମହାନ୍ତି, ସମିର ମହାନ୍ତି, ସଚ୍ଚି ସୁନ୍ଦରରାୟ ଯୋଗ ଦେଇଥିଲେ। ଶେଷରେ ସନତ ମିଶ୍ର ଧନ୍ୟବାଦ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କେଦାରନାଥ ମହାପାତ୍ର, ଜୟକୃଷ୍ଣ ମଲିଆ, କପିଳ ପଣ୍ଡା, ଅଭୟ ବଡ଼ଜେନା, ଶରତ ପଣ୍ଡା, ଦିଲ୍ଲୀପ ମିଶ୍ର, ବିଷ୍ଣୁ ପ୍ରସାଦ ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର