ଭୁବନେଶ୍ବର: ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପରିସରରେ ଆଜି ଆହାର କେନ୍ଦ୍ର ଖୋଲିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟଂବଶୀ ସୂରଜ ଅତିଥି ଭାବେ ଯୋଗଦେଇ ଏହି ଆହାର କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ମନ୍ତ୍ରୀ ଗ୍ରନ୍ଥାଗାରକୁ ଅଧ୍ୟୟନ ପାଇଁ ଆସୁଥିବା କଲେଜ ପଢ଼ୁଆ ଛାତ୍ରଛାତ୍ରୀଙ୍କ ଗହଣରେ ଆହାର କେନ୍ଦ୍ରରେ ମିଳୁଥିବା ଭାତ, ଡାଲମା ଓ ଖଟା ଖାଇଛନ୍ତି। ଏହି ଅବସରରେ ନଗର ଉନ୍ନୟନ ବିଭାଗ ଓ ଭୁବନେଶ୍ବର ମହାନଗର ନିଗମର ଅଧିକାରୀମାନେ ଉପସ୍ଥିତ ରହି ୫ ଟଙ୍କିଆ ଆହାର ଖାଇଥିଲେ। ମନ୍ତ୍ରୀ ଡ. ମହାପାତ୍ର କହିଛନ୍ତି, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଆହାର କେନ୍ଦ୍ର ବହୁଦିନର ଆବଶ୍ୟକତା। ଏଠାକୁ ଅଧ୍ୟୟନ ପାଇଁ ଆସୁଥିବା ଛାତ୍ରଛାତ୍ରୀମାନେ ୫ ଟଙ୍କାରେ ଭାତ, ଡାଲମା ଖାଇପାରିବେ।
ସୂଚନାଯୋଗ୍ୟ, ବହୁ ପୁରୁଣା ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଧ୍ୟୟନ ପାଇଁ ନାମ ପଞ୍ଜୀକରଣ କରିଛନ୍ତି।
ପ୍ରତିଦିନ ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷା ଓ ଅନ୍ୟାନ୍ୟ ପରୀକ୍ଷା ପାଇଁ ଏଠାରେ ଅଧ୍ୟୟନ କରୁଛନ୍ତି। ବହୁ ସଂଖ୍ୟାରେ ଗରିବ ଓ ମଧ୍ୟବିତ୍ତ ପରିବାରର ଛାତ୍ରଛାତ୍ରୀମାନେ ଏଠାରେ ପଢ଼ୁଛନ୍ତି। କିନ୍ତୁ ମଧ୍ୟାହ୍ନ ଖାଇବାରେ ଅସୁବିଧା ଭୋଗୁଥିଲେ। ଅଯଥା ଖର୍ଚ୍ଚାନ୍ତ ବି ହେଉଥିଲେ। ପାଠପଢ଼ା ସମୟରେ ଘରୁ ଟଙ୍କା ଆଣି ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ବାହାରେ ଖାଇବା ଖର୍ଚ୍ଚର ବୋଝ ନେଇ ଚିନ୍ତିତ ଥିଲେ। ୫ ଟଙ୍କାରେ ଆହାର କେନ୍ଦ୍ରରେ ଖାଦ୍ୟ ମିଳିବା ପରେ ଛାତ୍ରଛାତ୍ରୀମାନେ ଖୁସିବ୍ୟକ୍ତ କରିଛନ୍ତି। ଆଜି ଗ୍ରନ୍ଥାଗାରକୁ ପାଠ ପଢ଼ି ଆସିଥିବା ଛାତ୍ରଛାତ୍ରୀମାନେ ଏହି ଆହାର କେନ୍ଦ୍ରରେ ୫ ଟଙ୍କା ଦେଇ ଭାତ, ଡାଲମା, ଖଟା ଖାଇଛନ୍ତି। ସଂପୂର୍ଣ୍ଣ ସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ରନ୍ଧା ଯାଉଥିବାବେଳେ ଟୋକନ୍ ସଂଗ୍ରହ କେନ୍ଦ୍ର, ଭୋଜନ ଗ୍ରହଣ କେନ୍ଦ୍ର, ଅଇଁଠା ବାସନ ରଖିବା କେନ୍ଦ୍ର, ପାଣି ପିଇବା, ହାତ ଧୋଇବା ଆଦି ସ୍ଥାନ ଭିନ୍ନ ଭିନ୍ନ କରାଯାଇଛି। ଖାଇବା ପାଇଁ ଟେବୁଲ୍ ପକାଯାଇଛି। ସଫାସୁତରାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଏହି ଆହାର କେନ୍ଦ୍ରରେ ଗ୍ରନ୍ଥାଗାରକୁ ପାଠ ପଢ଼ି ଆସୁଥିବା ଛାତ୍ରଛାତ୍ରୀଙ୍କ
ସହ ବାହାର ଲୋକେ ବି ଖାଇପାରିବେ।