ସରିଲା ଦୋଳ ମେଳଣ, ଆସ୍ଥାନକୁ ଫେରିଲେ ହରିହର

ବିନା ବାଣ, ରୋଶଣିରେ ନିକୁଞ୍ଜବିହାରୀଦେବଙ୍କ ମେଳଣ

ବାଲିପାଟଣା: କରୋନା କଟକଣା ପାଇଁ ଚଳିତ ବର୍ଷ କେବଳ ବିଧିରେ ପାଳିତ ହୋଇଯାଇଛି ଦୋଳ ପୂର୍ଣ୍ଣମୀ। ଭୋଗଖିଆ ଓ ଦୋଳ ମେଳଣ ପରେ ହରିହର ଆସ୍ଥାନକୁ ଫେରି ଯାଇଛନ୍ତି। ଅବିର ବିନା ହୋଲି ଖେଳ, ହୋଲିକା ଦହନ, ଶୀତଳ ଓ ବଳି ରନ୍ଧନ ଏବଂ ପାଞ୍ଜି ପଠନ ଆଦି ଯାଥାରୀତି ସରିଛି। ଶେଷରେ ଦୋଳବେଦୀରେ ହରିହରଙ୍କ ଚଳନ୍ତି ବିଗ୍ରହମାନଙ୍କ ଝୁଲଣ ସମ୍ପନ୍ନ ହେବା ପରେ ଠାକୁରମାନେ ନିଜ ନିଜ ମନ୍ଦିରକୁ ଫେରି ଯାଇଛନ୍ତି। ତେଣୁ ପାରମ୍ପରିକ ବିଧିରେ ଦୋଳ ପର୍ବ ସରିଥିବା ବେଳେ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିନଥିବାରୁ ଚଳିତ ବର୍ଷ ପୂରା ଫିକା ପଡ଼ିଥିଲା ଏହି ବଡ଼ ପର୍ବ।

ବିଧି ଅନୁସାରେ ଚଳନ୍ତି ପ୍ରତିମାମାନେ ଗାଁ ଗାଁ ବୁଲି ଭୋଗ ଖାଆନ୍ତି। କେତେକ ସ୍ଥାନରେ ଚତୁର୍ଦଶୀରୁ ଚାଚେରି ଭୋଗ ଲାଗି ହୋଇଥାଏ। ମେଣ୍ଢା କୁଡ଼ିଆ ପୋଡ଼ା ଯିବା ପରେ ଦୋଳ ବେଦୀରେ ହରିହରଙ୍କ ଝୁଲଣ ହୋଇଥାଏ। ଏହି ସମୟରେ ଅବଧାନ ନୂତନ ପାଞ୍ଜି ପଢ଼ିବା ଏକ ବିଧି ରହିଛି। ଗୋପାଳ ସମ୍ପ୍ରଦାୟ ପକ୍ଷରୁ ଲଉଡ଼ି ଖେଳ ଓ ଓଗାଳ ଗୀତ ବେଶ୍‌ ଆକର୍ଷଣ ପାଲଟିଥାଏ। ଦୋଳ ପୂର୍ଣ୍ଣମୀରେ ସେମାନେ ଶୀତଳ ଓ ବଳି ରାନ୍ଧି ଗାଇ, ବଳଦ ଓ ମଇଁଷିଙ୍କ ଉପରକୁ ଛାଟିଥାନ୍ତି। ଘିଅ, ଖିର ଓ ଅରୁଆ ଚାଉଳରେ ମାଟି ହାଣ୍ଡିରେ ପ୍ରସ୍ତୁତ ହୋଇଥିବା ଏହି ବଳି ବା ଶୀତଳରେ ଲୁଣ କି ଚିନି ପଡ଼େନାହିଁ।

ବନମାଳିପୁର ଭାକରସାହି ଚମ୍ପେଶ୍ୱର ମହାଦେବ ସ୍ଥାନୀୟ ମୌଜାରେ ଭୋଗ ଖାଇଥିଲେ। ସରାଟ ମୌଜାର ଆରାଧ୍ୟ ଦେବତା ନୀଳକଣ୍ଠେଶ୍ୱର ମହାଦେବ ଶନିବାର ରାତିରୁ ୧୨ଟି ଗାଁରେ ୩ ଶହରୁ ଅଧିକ ଘରେ ଚାଚେରି ଭୋଗ ଖାଇଥିଲେ। ମନ୍ଦିରକୁ ଫେରିବା ପରେ ମେଣ୍ଢା କୁଡ଼ିଆ ବା ହୋଲିକା ଦହନ ହୋଇଥିଲା। ସନ୍ଧ୍ୟାରେ ଦୋଳ ବେଦୀରେ ହରିହରଙ୍କ ଝୁଲଣ ହୋଇଥିଲା‌। ଗୋପାଳମାନେ ଓଗାଳ ଗାଇ ମନ୍ଦିରକୁ ବନ୍ଦାଣ ସଜ ଆଣି ଆସିଥିଲେ। ଏହି ସମୟରେ ସେମାନଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିବା ଲଉଡ଼ି ଓ ବାଡ଼ି ଖେଳ ବେଶ୍ ଚମତ୍କାର ଥିଲା। ସିଙ୍ଗା ଫୁଙ୍କି ସେମାନେ ପରିବେଶକୁ କୋଳାହଳମୟ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ହାଟ ମେଳଣ, ଚଣାହଟ୍ଟା ଚୌଧୁରୀସାହିର ଦାଣ୍ଡ ମେଳଣ, ଫକୀରପଡ଼ା (ବିଛୁଆତି) ମେଳଣ, ଚଣାହଟ୍ଟା ହାଇସ୍କୁଲ ପରିସରରେ ସ୍କୁଲ ତୋଟା ମେଳଣ ଓ ଦହିକଡ଼ି ବା ଦହିଖେଳ ମେଳଣ କଟକଣା ଭିତରେ ସରିଛି।

ବାଲିଅନ୍ତା: ବାଲିଅନ୍ତାସ୍ଥିତ ପ୍ରଭୁ ନିକୁଞ୍ଜବିହାରୀ ଦେବଙ୍କ ପ୍ରସିଦ୍ଧ ଦୋଳ ମେଳଣ ଆଜି ଉଦ୍‌ଯାପିତ ହୋଇଯାଇଛି। ସ୍ଥାନୀୟ ସାପ୍ତାହିକ ହାଟ ପରିସରରେ ଦୋଳମଣ୍ଡପରେ ରସୁଲଗଡ଼, ମଞ୍ଚେଶ୍ବର, ହରିଦାଶପୁର, ନହରକଣ୍ଟା, ହଂସପାଳ, ଭୁବନପୁର ଏବଂ ଜୟପୁରର ୩ ଗୋଟି ବିମାନ ସ୍ଥାପିତ ହୋଇଥିଲେ। ସଂଧ୍ୟାରେ ମଞ୍ଚେଶ୍ବର ଅଞ୍ଚଳର ଥାନପତି ମଞ୍ଚନାଥ ଓ ରସୁଲଗଡ଼ ଅଞ୍ଚଳର ଗୋପୀନାଥ ଦେବଙ୍କ ମଧ୍ୟରେ ହରିହର ଭେଟ ପରମ୍ପରା ମେଳଣ ପର୍ବର ମୁଖ୍ୟ ଆକର୍ଷଣ ହୋଇଥିଲା। କରୋନା କଟକଣା ଅନୁଯାୟୀ, ମେଳଣ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା। ବାଣ ଫୁଟି ନଥିଲା କି ରୋଶଣି ଶୋଭାଯାତ୍ରା ଆୟୋଜନ ହୋଇନଥିଲା।

ଗତକାଲି ବିଳମ୍ବିତ ରାତିରେ ବିମାନରେ ଦିଅଁମାନେ ଉପବିଷ୍ଟ ହୋଇ ମହାତ୍ମା ସେତୁ ନିକଟରେ ଏକତ୍ରିତ ହୋଇଥିଲେ। ସେଠାରୁ ଦୋଳ ଏବଂ ମେଲଣ କମିଟିର କାର୍ଯ୍ୟକର୍ତ୍ତାମାନେ ଘଣ୍ଟ ଓ ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇ ବିମାନ ସମୂହଙ୍କୁ ମେଳଣ ମଣ୍ଡପ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁମାନେ ସାମାଜିକ ଦୂରତା ରକ୍ଷା କରି ବିମାନରେ ଦିଅଁଙ୍କୁ ଫଗୁ ଲାଗି କରି ଆଶୀର୍ବାଦ ଭିକ୍ଷା କରିଥିଲେ। ସେହିପରି ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ବିମାନରେ ଦିଅଁ ‌ବସି ଶୋଭାଯାତ୍ରାରେ ଶ୍ରଦ୍ଧାଳୁଙ୍କ ଘରେ ଭୋଗ ଖାଇବା ଅନ୍ୟତମ ମୁଖ୍ୟ ପରମ୍ପରା ଥିଲା।

ସମ୍ବନ୍ଧିତ ଖବର