ଭୁବନେଶ୍ୱର: ଓଡ଼ିଆ ଅସ୍ମିତା ବିପଦରେ ଥିଲା। ଲୋକମାନେ ଅସ୍ମିତାକୁ ଉଦ୍ଧାର କଲେ ଏବଂ ଏ ସରକାରଙ୍କୁ ଆଣିଲେ। ତେଣୁ ପୂଜ୍ୟପୂଜାକୁ ସମ୍ମାନ ଜଣାଇ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତି ପାଳନ କରାଯାଉଛି। ସେ ହିଁ ବିକଶିତ ଓଡ଼ିଶା, ଉତ୍କର୍ଷ ଓଡ଼ିଶା ଗଠନ ପାଇଁ ଉଦ୍ୟମ କରୁଥିଲେ। ଏବେ ଡ. ମହତାବଙ୍କ ନବଯୁଗର ପରିକଳ୍ପାନା ବାସ୍ତବ ରୂପ ପାଇବ।  ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

Advertisment

ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ, ରାଜଧାନୀ ପ୍ରତିଷ୍ଠା ହେଉ ଅବା ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ, ଅବା ବହୁମୁଖୀ ବିଦ୍ୟୁତ୍‌ ଜଳ ପ୍ରକଳ୍ପ; ସବୁଠି ମହାତାବଙ୍କ ଛାପ ରହିଛି। ହେଲେ ତାଙ୍କୁ ଯେଉଁଭଳି ସମ୍ମାନ ମିଳିବା କଥା ମିଳିନାହିଁ। ସେ ଯଦି ଉତ୍ତରପ୍ରଦେଶ କିମ୍ବା ଗୁଜୁରାଟରେ ଜନ୍ମ ଗ୍ରହଣ କରିଥିଲେ ଦେଶର ପ୍ରଧାନମନ୍ତ୍ରୀ ହୋଇଥା'ନ୍ତେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ଡ. ହରେକୃଷ୍ଣ ମହତାବଙ୍କ ପ୍ରତି ଅବହେଳା କରାଯାଇଥିବା ମତ ଦେଇଥିଲେ। ବିଶିଷ୍ଟ ଲେଖିକା ପ୍ରତିଭା ରାୟ ଯୋଗଦେଇ କହିଲେ, ସେ ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲେ। ଆଇନଜୀବୀ ଶିବାନନ୍ଦ ରାୟ ମହାତାବଙ୍କ ଓଡ଼ିଶା ପ୍ରତି ରହିଥିବା ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ମହତାବଙ୍କ ଜୀବନ ଉପରେ ଆଧାରିତ ପୁସ୍ତକ ‘ଉତ୍କଳ କେଶରୀ ମହତାବ’ ଓ ‘ରାଷ୍ଟ୍ର ନିର୍ମାତା ଡ଼ଃ ହରେକୃଷ୍ଣ ମହତାବ’, ‘ପିଲାଙ୍କ ମୀନାବଜାର’ ଏବଂ ମହତାବଙ୍କ ଜୀବନୀ ଉପରେ ଆଧାରିତ ଚିତ୍ରକଳାକୁ ନେଇ ହୋଇଥିବା ପୁସ୍ତକ ‘ଏକ୍ସିଭିଜନ୍ ଅଫ୍ ପେଣ୍ଟିଙ୍ଗସ୍ ଅଫ୍ ଉତ୍କଳ କେଶରୀ" ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଦେଇଥିଲେ।