ହରିରାଜପୁର ମେଳଣ ପାଇଁ ପ୍ରସ୍ତୁତି, ତିଆରି ଚାଲିଛି ସ୍ବତନ୍ତ୍ର ଉଖୁଡ଼ା ଭୋଗ

ଜଟଣୀ: ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଆସନ୍ତା ୧୪ ତାରିଖ (ଶନିବାର) ମଧ୍ୟରାତ୍ରରୁ ଆରମ୍ଭ ହେଉଥିବା ବେଳେ ମେଳଣରେ ଯୋଗ ଦେଉଥିବା ୮୦ ଦେବ ବିଗ୍ରହଙ୍କ ଭୋଗ ଲାଗି ପାଇଁ ଏବେ ଭୋଗ ଘରେ ଏକ ସ୍ବତନ୍ତ୍ର ଧରଣର ଉଖୁଡ଼ା ଭୋଗ ପ୍ରସ୍ତୁତ ଚାଲିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ମେଳଣର ସ୍ଥାନାଧିପତି ପ୍ରଭୁ ଶ୍ରୀସୋମନାଥ ଦେବଙ୍କ ସ୍ବପ୍ନାଦେଶ ହେଲେ ଏହି ସ୍ବତନ୍ତ୍ର ଧରଣର ଉଖୁଡ଼ା ଭୋଗ ପ୍ରସ୍ତୁତ କରାଯାଏ ବୋଲି ମେଳଣ କମିଟିର ସଂଯୋଜକ ପ୍ରସନ୍ନ ମହାରଥୀ କହିଛନ୍ତି। ମେଳଣର ଅବ୍ୟବହିତ ପୂର୍ବରୁ ପ୍ରଭୁ ସୋମନାଥଙ୍କର ଉଖୁଡ଼ା ଭୋଗ ପ୍ରସ୍ତୁତ କରାଯାଏ। ଅତି ନିଷ୍ଠାର ସହ ୫ ଜଣ ମିଠା କାରିଗରଙ୍କୁ ନେଇ ଏଠାରେ ଭୋଗ ପ୍ରସ୍ତୁତ ଚାଲିଛି। ମେଳଣରେ ଯୋଗ ଦେଉଥିବା ବିଗ୍ରହଙ୍କୁ ୪ ଦିନ ଧରି ଏହି ସ୍ବତନ୍ତ୍ର ଉଖୁଡ଼ା ଭୋଗ ଲାଗି କରାଯାଇଥାଏ। ଏହି ଉଖୁଡ଼ା ପ୍ରସ୍ତୁତିରେ ନଡ଼ିଆ ପାତି, କର୍ପୂର, ଜୁଆଣି, ଅଳେଇଚ ଓ ଗୋଲମରିଚ ଆଦି ବ୍ୟବହାର କରାଯାଇଥାଏ ବୋଲି ଶ୍ରୀ ମହାରଥୀ କହିଛନ୍ତି। ସ୍ବତନ୍ତ୍ର ଉପାୟରେ ଏହି ଉଖୁଡ଼ା ଭୋଗ ପ୍ରସ୍ତୁତ କରାଯାଉଥିବାରୁ ଏହା ମାସାଧିକ କାଳ ପର୍ଯ୍ୟନ୍ତ ରୁହେ, ନଷ୍ଟ ହୁଏନି। ସେହିପରି ଏହି ଉଖୁଡ଼ା ଭୋଗ ସହ କୋରା, ସାକର, ଫେଣୀ, ଲଡ଼ୁ, ମଗଜଲଡ଼ୁ ଆଦି ଭୋଗ ପାଇଁ ପ୍ରସ୍ତୁତ କରାଯାଇଥାଏ। ପ୍ରାୟ ୧୫ କ୍ବିଣ୍ଟାଲ୍‌ ଭୋଗ ପ୍ରସ୍ତୁତ କରାଯାଇଥାଏ। ଠାକୁରଙ୍କ ଭୋଗ ଲାଗି ସହ ମେଲଣରେ ସହଯୋଗ ଓ ଦାନ ଦକ୍ଷିଣା ଦେଇଥିବା ଭକ୍ତମାନଙ୍କ ପାଖକୁ ଦୂରଦୂରାନ୍ତକୁ ମଧ୍ୟ ଏହି ଭୋଗ ପଠାଯାଇଥାଏ ବୋଲି କମିଟିର ସଭ୍ୟ ବିଜୟ ଜେନା କହିଛନ୍ତି। ତେବେ ମେଳଣ ପଡ଼ିଆରେ ପର୍ଯ୍ୟାପ୍ତ ପିଇବା ପାଣି ଓ ପାଇଖାନା ବ୍ୟବସ୍ଥା ନାହିଁ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମେଳଣ ପଡ଼ିଆରେ ୧୦ଟି ପାଇଖାନା ଓ ପାନୀୟ ଜଳର ବ୍ୟବସ୍ଥା କରିବାକୁ ମେଳଣ କମିଟି ପକ୍ଷରୁ ଦାବି ହୋଇଛି। ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଲକ୍ଷାଧିକ ଶ୍ରଦ୍ଧାଳୁ ଏଠାରେ ୮୦ ଦେବ ବିଗ୍ରହଙ୍କୁ ଫଗୁ ଲାଗି କରିବା ସହ ଆଶୀର୍ବାଦ ଭିକ୍ଷା କରିବେ। ୧୭ ତାରିଖ ଗୋଧୂଳି ଲଗ୍ନରେ ହରିହର ଭେଟ ଅନୁଷ୍ଠିତ ହୋଇ ପଞ୍ଚୁଦୋଳ ମେଳଣ ସମାପନ ହେବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର