ବାଟ ହୁଡ଼ିଛି ହରିଶ୍ଚନ୍ଦ୍ର ଯୋଜନା, ୩ ମାସ ହେଲା ମିଳୁନି ଅର୍ଥ

ଉଧାରରେ ଗରିବ କରୁଛି ଶବଦାହ

ଭୁବନେଶ୍ୱର: ଅଭାବ ଅନଟନ ଯୋଗୁ ପରିଜନର ଶେଷକୃତ୍ୟ ସମ୍ପନ୍ନ କରି ପାରୁନଥିବା ଗରିବ ପାଇଁ ସରକାର ସହାୟତା ବ୍ୟବସ୍ଥା କରିଥଲେ। ରାଜ୍ୟ ସରକାରଙ୍କ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ହୋଇଥିବା ବିଭିନ୍ନ ଯୋଜନା ଭିତରେ ଗରିବ ପାଇଁ ମଶାଣି ଭୂଇଁରେ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ହରିଶ୍ଚନ୍ଦ୍ର ଯୋଜନା ହୋଇଥିଲା। ସଂସ୍କାର ସହ ଶବ ସତ୍କାର କରିବା ପାଇଁ ସରକାର ମୃତ୍ୟୁ ବେଳକୁ ଦେଉଥିଲେ ୩ ହଜାର ଟଙ୍କା। ହେଲେ ଏହି ଯୋଜନା ଏବେ ବାଟ ହୁଡ଼ିଛି। ୩ ମାସ ହେଲା ଏହି ଯୋଜନାରେ ଟଙ୍କା ନଥିବାରୁ କୌଣସି ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରାଯାଉ ନାହିଁ। ମୃତ୍ୟୁବେଳକୁ ନଗଦ ଟଙ୍କା ତ’ ଦୂରର କଥା, ବରଂ ମାସ ମାସ ଧରି ହିତାଧିକାରୀଙ୍କୁ ଟଙ୍କା ମିଳୁନି। ଫଳରେ ଗରିବ ଅର୍ଥାତ୍‌ ଏହି ଯୋଜନାର ହିତାଧିକାରୀ ଟଙ୍କା ଉଧାର କରି ପରିଜନର ଶବ ସତ୍କାର କରୁଛି। ଖୋଦ୍‌ ଭୁବନେଶ୍ବରରେ ହରିଶ୍ଚନ୍ଦ୍ର ଯୋଜନାରେ ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି। ୩ ମାସ ଧରି ଭୁବନେଶ୍ବର ମହାନଗର ନିଗମର ତିନୋଟି ଜୋନ୍‌ରେ ଶହେରୁ ଊର୍ଦ୍ଧ୍ବ ହିତାଧିକାରୀ ଧାର୍‌ ଉଧାର କରି ଶବ ଦାହ କରିବା ପରେ ପ୍ରତ୍ୟେକ ଦିନ ପଇସା ପାଇଁ ବିଏମ୍‌ସି କାର୍ଯ୍ୟାଳୟରେ ଧାଡ଼ି ବାନ୍ଧୁଛନ୍ତି। ଖୋଦ୍‌ ରାଜଧାନୀରେ ଯେଉଁଠି ଏଭଳି ଅବସ୍ଥା, ସେଠାରେ ରାଜ୍ୟର ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର କ’ଣ ଅବସ୍ଥା ଥିବ ତାହା ସହଜରେ ଅନୁମେୟ।

ପୂର୍ବରୁ କପୋର୍ପୋଟର ଚିହ୍ନଟ କରିବା ପରେ ମୃତକର ପରିଜନ ଏହି ଯୋଜନାରେ ସାମିଲ ହେବ କି ନାହିଁ ତାହା ସ୍ଥିର ହେଉଥିଲା। କିନ୍ତୁ ଏବେ ମହାନଗର ନିଗମ ଭାଙ୍ଗି ଯାଇଥିବାରୁ ଏହି କାମ ୱାର୍ଡ ଅଫିସର କରୁଛନ୍ତି। ଜିଲ୍ଲାପାଳଙ୍କ ନିକଟରୁ ଏହି ଯୋଜନାରେ ଅର୍ଥ ଆସିଥାଏ। ଖୋର୍ଦ୍ଧାର ଜିଲ୍ଲାପାଳ ମଧ୍ୟ କମ୍‌ ସମୟ ବ୍ୟବଧାନରେ ଘନ ଘନ ବଦଳିଛନ୍ତି। ସେହିଭଳି ବିଏମ୍‌ସିରେ କମ୍‌ ସମୟ ବ୍ୟବଧାନରେ କମିସନର ମାନଙ୍କର ବଦଳି ହୋଇଛି। ଯେଉଁମାନେ ନୂଆ ଆସୁଛନ୍ତି ସେମାନେ ଯୋଜନା ପ୍ରତି ଧ୍ୟାନ ଦେଉ ନଥିବା ବେଳେ ୱାର୍ଡ ଅଫିସର ଲୋକ ପ୍ରତିନିଧି ହୋଇନଥିବାରୁ ଯୋଜନା ପ୍ରତି ସେମାନଙ୍କର ମଧ୍ୟ ଆନ୍ତରିକତା ରହୁନଥିବା ଅଭିଯୋଗ ହେଉଛି।

ଏହି ଯୋଜନାରେ ପ୍ରଥମେ ମୃତକ ଜଣେ ଗରିବ ଲୋକ ଓ ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବୋଲି ୱାର୍ଡ ଅଫିସର ଚିହ୍ନଟ କରିବା ପରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୩ ହଜାର ଟଙ୍କା ପ୍ରଦାନ କରା ଯାଉଥିଲା। ମୃତ୍ୟୁ ସମୟରେ ହିଁ ଏହି ନଗଦ ଟଙ୍କା ମିଳୁଥିବାରୁ ସତ୍କାର ସମୟରେ ଖର୍ଚ୍ଚ ହେଉଥିଲା। ଯୋଜନା ଆରମ୍ଭର ସବୁ ଠିକ୍‌ ଚାଲିଥିବା ବେଳେ ଏବେ ଏହି ସମସ୍ୟା ହୋଇଛି। ଆବଶ୍ୟକ ସମୟରେ ଅର୍ଥ ମିଳୁନାହିଁ। ବିଏମ୍‌ସି ଉତ୍ତର ଜୋନ୍‌ ତାରିଣୀ ବସ୍ତିର ବାସନ୍ତୀ ସ୍ବାଇଁ କହିଛନ୍ତି, ଗତ ଦୁଇ ତାରିଖରେ ସ୍ବାମୀ ଶତ୍ରୁଘ୍ନ ସ୍ବାଇଁଙ୍କର ମୃତ୍ୟୁ ଘଟିଥିଲା। ଶତ୍ରୁଘ୍ନ ଟ୍ରଲି ଚଳାଉଥିବା ବେଳେ ମୁଁ ଜରି ଗୋଟାଇ ପେଟ ପୋଷୁଥିଲୁ। ୱାର୍ଡ ଅଫିସର ଯାଞ୍ଚ କରି ହରିଶ୍ଚନ୍ଦ୍ରରେ ପଇସା ମିଳିବ ବୋଲି କହିଥିଲେ। ସାହି ପଡ଼ିଶାରୁ ଧାର୍‌ କରି ଶବ ସତ୍କାର କରିଥିଲି। ୧୦-୧୫ ଦିନ ହେବ ବିଏମ୍‌ସି ଅଫିସ୍‌ ଆସୁଛି ହେଲେ ଟଙ୍କା ମିଳୁନି ବୋଲି ସେ କହିଛନ୍ତି। କେବଳ ଏହି ହିତାଧିକାକାରୀ ନୁହନ୍ତି ବରଂ ଉତ୍ତର ଜୋନ୍‌ରେ ୩୦ରୁ ଊର୍ଦ୍ଧ୍ବ ହିତାଧିକାରୀ ଉଧାର କରି ଶବ ସତ୍କାର କରିବା ପରେ ଏହି ଯୋଜନାରେ ଟଙ୍କାକୁ ଅନାଇଛନ୍ତି। ଅନ୍ୟ ଦୁଇ ଜୋନ୍‌ରେ ୭୦ରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କର ମଧ୍ୟ ଅନୁରୂପ ଅବସ୍ଥା।

ଏ ନେଇ ବିଏମ୍‌ସି ଉତ୍ତର ଜୋନ୍‌ର ଡେପୁଟି କମିସନର ପ୍ରମୋଦ କୁମାର ପୃଷ୍ଟି କହିଛନ୍ତି, ଆମ ପାଖରେ ଅର୍ଥ ନାହିଁ। ସେଥିପାଇଁ ଏହି ଯୋଜନାରେ ପାଖାପାଖି ୩ ମାସ ହେବ ଅର୍ଥ ପ୍ରଦାନ କରାଯାଇ ପାରୁନାହିଁ। ତିନିମାସ ଭିତରେ ଆମ ପାଖରେ ପାଖାପାଖି ୨୫ରୁ ୩୦ ଜଣ ଏହି ଯୋଜନାରେ ଅର୍ଥ ପାଇବାକୁ ହକ୍‌ଦାର ଅଛନ୍ତି। ବିଏମ୍‌ସିର ଜଣେ ବରି‌ଷ୍ଠ ଅଧିକାରୀ କହିଛନ୍ତି, ବିଏମ୍‌ସିରେ ଏକ ୱେଲ୍‌ଫେୟାର ଫଣ୍ଡ ରହିଛି ଯେଉଁଥିରୁ ଏହି ହରିଶ୍ଚନ୍ଦ୍ର ସହାୟତା ପ୍ରଦାନ କରାଯାଉଛି। ଏହି ଯୋଜନାରେ ଅର୍ଥ ଜିଲ୍ଲାପାଳଙ୍କ ନିକଟରୁ ଆସିଥାଏ। ଜିଲ୍ଲାପାଳଙ୍କ ନିକଟରୁ ଆସିନଥିବାରୁ ସମସ୍ୟା ହୋଇଛି। ତେବେ ବିଏମ୍‌ସି ନିଜ ସମ୍ବଳରୁ ଏହି ଅର୍ଥ ପ୍ରଦାନ କରିବ ପାଇଁ ଯୋଜନା କରିଛି। ଜିଲ୍ଲାପାଳଙ୍କ ନିକଟରୁ ଆବଶ୍ୟକ ମୁତାବକ ଅର୍ଥ ଆସିବା ପରେ ସମ୍ପୃକ୍ତ ସୋର୍ସକୁ ଅର୍ଥ ଫେରାଇ ଦିଆଯିବ। ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର