୬୫ ବର୍ଷରେ ପହଞ୍ଚିଲା ହରିଶଙ୍କର ପୂଜା

୮ ହଜାର ଶ୍ରଦ୍ଧାଳୁ ଭାଙ୍ଗିଲେ ୫୦ ହଜାର ନଡ଼ିଆ

ବାଲିପାଟଣା : ଦିନକୁ ଦିନ ସ୍ଥାନୀୟ ରାଜସ ଗାଁର ଆରାଧ୍ୟ ଦେବତା ହରିଶଙ୍କରଙ୍କ ପୀଠରେ ଶ୍ରଦ୍ଧାଳୁ ଓ ମାନସିକଧାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦୀର୍ଘ ୬୫ ବର୍ଷ ହେଲା ପାଳିତ ହୋଇ ଆସୁଥିବା ଏହି ହରିଶଙ୍କର ପୂଜାରେ ଚଳିତ ବର୍ଷ ୮ ହଜାର ଶ୍ରଦ୍ଧାଳୁ ଓ ମାନସିକଧାରୀ ୫୦ ହଜାର ନଡ଼ିଆ ବାଡ଼େଇଛନ୍ତି। ସେହିଭଳି ୮ହଜାର ଗୁଆ ପୂଜାରେ ବସିଛି। ଏହି ବ୍ରତ କଲେ ବହୁ ରୋଗରୁ ମୁକ୍ତି ମିଳେ ବୋଲି ଥିବା ବିଶ୍ବାସକୁ ନେଇ ମାନସିକଧାରୀମାନେ ଏହି ପୀଠକୁ ଆସୁଛନ୍ତି।

ଗତକାଲି ରାତି ୨ଟାରୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଲୋକଙ୍କ ଧାଡ଼ି ଲାଗିଥିଲା। ପୂଜକ ବିନୋଦ କୁମାର ପଣ୍ଡା ଓ ନାରାୟଣ ପଣ୍ଡା ଠାକୁରଙ୍କ ନୀତିକାନ୍ତି ସାରି ମାନସିକ ଗୁଆ ପୂଜା କରିଥିଲେ। ପରମ୍ପରା ଓ ବିଧି ଅନୁସାରେ ମାଘ ମାସ ବରଦା ଚତୁର୍ଦଶୀ ତିଥିରେ ରାଜସ ବଣିଆସାହିସ୍ଥିତ ହରିଶଙ୍କର ମନ୍ଦିରରେ ମାନସିକଧାରୀମାନେ ପୁରୁଣା ଗୁଆ ଉଜାଇଁ ନୂଆ ଗୁଆ ପୂଜାରେ ସ୍ଥାପନ କରନ୍ତି। ଏଠାରେ ଶିବ ଏବଂ ବିଷ୍ଣୁଙ୍କୁ ହରିଶଙ୍କର ନାମରେ ପୂଜା କରାଯାଇଥାଏ। ଏହି ଗାଁର ଲକ୍ଷ୍ମଣ ଦାସଙ୍କ ବାପା ହରି ଦାସ ଠାକୁର ହରିଶଙ୍କରଙ୍କୁ ସ୍ଥାପନ କରିଥିଲେ। ଘରୋଇ ଠାକୁର ଭାବେ ପୂଜା ପାଉଥିବା ହରିଶଙ୍କରଙ୍କ ମହିମା ଅପାର ବୋଲି ବିଶ୍ୱାସ ଅଛି। ପ୍ରଥମରୁ ଲୋକେ ରକ୍ତଗଡ଼ା ବା ଫାଇଲେରିଆ ରୋଗରୁ ଆରୋଗ୍ୟ ଲାଭ କରିବା ପାଇଁ ଏଠାରେ ମାନସିକ କରି ଗୁଆ ନଡ଼ିଆ ବସାଉଥିଲେ। କିନ୍ତୁ ଏବେ ବହୁ ରୋଗରୁ ମୁକ୍ତି ପାଇଁ ମାନସିକ କରି ଲୋକେ ଆସୁଛନ୍ତି। ମଙ୍ଗଳବାର ଓ ଶନିବାର ମାନସିକ ଗୁଆ ପୂଜାର ବିଧାନ ରହିଛି। ଫାଇଲେରିଆ, ବାତ, ଅର୍ଶ ପ୍ରଭୃତି ରୋଗ ଏବଂ ସନ୍ତାନପ୍ରାପ୍ତି ଲାଗି ଗୁଆ ପୂଜା କରାଯାଉଛି। ପୂଜାବିଧି ଅନୁସାରେ ମାନସିକଧାରୀମାନେ ଗୁଆ ବସାଇବାଠାରୁ ୭ଦିନ ପର୍ଯ୍ୟନ୍ତ ନିଷ୍ଠାରେ ରହନ୍ତି। ଏହି ଅବଧି ଭିତରେ ସେମାନେ ଖଟା, ରାଗ, ଶାଗ, ପଖାଳ, ପିଆଜ, ରସୁଣ ଓ ଆମିଷ ପ୍ରଭୃତି ଖାଇବା ବାରଣ ଥାଏ। ସେମାନେ କେବଳ ଅରୁଆ ଖାଇ ରୁହନ୍ତି।

ସମ୍ବନ୍ଧିତ ଖବର