ଓଡ଼ିଶାର ବିକାଶ ପାଇଁ ନୀତି ଆୟୋଗ ସହଯୋଗ କରିବ

ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜୟନ୍ତୀ ଉତ୍ସବ

ଭୁବନେଶ୍ୱର : ଓଡ଼ିଶା ଏକ ଐତିହାସିକ ରାଜ୍ୟ। ଇତିହାସ ସୃଷ୍ଟିକାରୀ ଅନେକ କିମ୍ବଦନ୍ତୀ ଏଠାରେ ରହିଛି। ଓଡ଼ିଶା ପରି ପ୍ରାକୃତିକ ସମ୍ପଦର ଅଧିକାରୀ ଦେଶର ଅନ୍ୟ କୌଣସି ରାଜ୍ୟ ନୁହଁନ୍ତି। କିନ୍ତୁ ଏହା ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ଆଦି ଅନେକ କ୍ଷେତ୍ରରେ ପଛୁଆ ରହିଛି। ଓଡ଼ିଶାକୁ ଏକ ମଡେଲ ରାଜ୍ୟ ଭାବେ ଗଢ଼ି ତୋଳି ଦେଶର ୧ ନମ୍ବର ରାଜ୍ୟ କରିବାକୁ ନୀତି ଆୟୋଗ ପୂର୍ଣ୍ଣ ସହଯୋଗ କରିବ। ଓଡ଼ିଶାବାସୀଙ୍କୁ ଏପରି ଆଶା ଦେଖାଇଛନ୍ତି, ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ୍‌।

ଜୟଦେବ ଭବନରେ ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଜନନେତା ପୂର୍ବତନ ମନ୍ତ୍ରୀ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜୟନ୍ତୀ ଉତ୍ସବରେ ସପ୍ତଦଶ ସ୍ମାରକୀ ବକ୍ତତା ପ୍ରଦାନ କରି ଶ୍ରୀ କାନ୍ତ୍‌ ଆହୁରି କହିଲେ, ଓଡ଼ିଶା ପ୍ରାକୃତିକ ଦୁର୍ବିପାକପୂର୍ଣ୍ଣ ଅଞ୍ଚଳ ହେଲେ ମଧ୍ୟ ରାଜ୍ୟ ସରକାର ଏହାକୁ ଦକ୍ଷତାର ସହ ପରିଚାଳନା କରୁଛନ୍ତି। ଏହା ରାଜ୍ୟବାସୀଙ୍କ ପାଇଁ ଖୁସିର କଥା। ଶିଳ୍ପ ପାଇଁ ଓଡ଼ିଶାରେ ଯଥେଷ୍ଟ ସୁଯୋଗ ରହିଛି। ଓଡ଼ିଶାରେ ଷ୍ଟାର୍ଟ-ଅପ୍‌ର ନୂତନ ସଂସ୍କୃତି ଆରମ୍ଭ ହେବା ଦରକାର। ଅନ୍ୟାନ୍ୟ ଦେଶରେ ମହିଳାମାନଙ୍କ ଶ୍ରମରୁ ୪୦ ପ୍ରତିଶତ ଜିଡିପି ଆସୁଛି, କିନ୍ତୁ ଆମ ଦେଶରେ ମାତ୍ର ୧୭ ପ୍ରତିଶତ ଆସୁଛି, ଏନେଇ ସମସ୍ତେ ଧ୍ୟାନ ଦେବା ଦରକାର। ଆମ ଦେଶ ବର୍ତମାନ ଆଗଉଛି, ବିଭିନ୍ନ ସରକାରୀ ଅନୁଷ୍ଠାନଗୁଡ଼ିକ ନୂତନ ଢଙ୍ଗରେ ପରିଚାଳନା କରିବା ସହ ସମସ୍ତେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଆପଣାଇବା ଦରାକାର।

ମୁଖ୍ୟ ଅତିଥି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଲେ, ସ୍ୱର୍ଗତ ବକ୍ସିପାତ୍ର ଦଳୀୟ ରାଜନୀତିଠାରୁ ଊର୍ଧ୍ୱରେ ଥିଲେ। ତାଙ୍କ ଭଳି ଜନନେତା ଆଜିର ରାଜନୀତିରେ ବିରଳ। ରାଜ୍ୟର ବିକାଶ ପାଇଁ ଓଡ଼ିଶା ସରକାର ସଂକୀର୍ଣ୍ଣ ରାଜନୀତିଠାରୁ ଦୂରରେ ରହି କେନ୍ଦ୍ର ନିକଟରେ ନିଜର ଦାବି ଉପସ୍ଥାପନ କରିବା ଦରକାର।

ସମ୍ମାନିତ ଅତିଥି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଲେ, ନିଜର ଆଦର୍ଶ ସହ ବକ୍ସିପାତ୍ର କେବେ ସାଲିସ କରିନଥିଲେ। ଛାତ୍ର ଜୀବନରୁ ଓଡ଼ିଶାର ଏକତା, ସମତା ପାଇଁ ସେ ସଂଗ୍ରାମ କରି ଆସିଛନ୍ତି। ଏଥିସହ ଶ୍ରୀ ବେହେରା ନୀତି ଆୟୋଗ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଓଡ଼ିଶା ପ୍ରତି ଉଠାଇଥିବା ପ୍ରଶ୍ନର ଉତ୍ତର ରଖି କହିଲେ, କେବଳ କଥାରେ ନୁହେଁ, କେନ୍ଦ୍ର ସରକାର ବାସ୍ତବରେ ଓଡ଼ିଶାକୁ ସହଯୋଗ କରିବା ଦରକାର। ପଛୁଆ ରାଜ୍ୟର ବିକାଶ ପାଇଁ ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି।

ଅନ୍ୟତମ ସମ୍ମାନିତ ଅତିଥି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଲେ, ରାଜ୍ୟ ପ୍ରତି ସ୍ୱର୍ଗତ ବକ୍ସିପାତ୍ରଙ୍କ ଅବଦାନ ଅତୁଳନୀୟ। ଏଥିସହ ଶ୍ରୀ ସାମଲ ଶ୍ରୀ କାନ୍ତ୍‌ଙ୍କ ମନ୍ତବ୍ୟ ଉପରେ ବକ୍ତବ୍ୟ ରଖି କହିଲେ, କେନ୍ଦ୍ର ସରକାର ଯଦି ପ୍ରକୃତରେ ମହିଳାଙ୍କ ଉନ୍ନତି ଚାହାନ୍ତି, ପ୍ରଥମେ ସଂସଦରେ ମହିଳାଙ୍କ ଲାଗି ସ୍ଥାନ ସଂରକ୍ଷଣ କରି ଦେଖାନ୍ତୁ।

ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ପ୍ରସନ୍ନ ମହାନ୍ତି ଓ ସମାଜସେବା ପାଇଁ ଡି. ପ୍ରକାଶ ରାଓଙ୍କୁ ସମ୍ମାନିତ କରାଯାଇଥିଲା। ‘ଲୋକନୀତି’ର ବିଶେଷ ସଂଖ୍ୟା ଲୋକାର୍ପିତ ହୋଇଥିଲା। ସ୍ମୃତି କମିଟି ସଭାପତି ବରିଷ୍ଠ ସାମ୍ବାଦିକ ରବି ଦାସ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ସମ୍ପାଦିକ ତଥା ସ୍ୱର୍ଗତ ବକ୍ସିପାତ୍ରଙ୍କ କନ୍ୟା ଡ. ଲୋପାମୁଦ୍ରା ବକ୍ସିପାତ୍ର ଅତିଥି ପରିଚୟ ଦେଇଥିଲେ। ପୁତ୍ର ତଥା ବିଜେପି ନେତା ଭୃଗୁ ବକ୍ସିପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର