ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୮୭ତମ ଜୟନ୍ତୀ: ଏବେକାର ପିଲା ବିଧାୟକ, ମନ୍ତ୍ରୀ ହେବାକୁ ଆଶାୟୀ: ବାଚସ୍ପତି

ଏବେକାର ପିଲା ବିଧାୟକ, ମନ୍ତ୍ରୀ ହେବାକୁ ଆଶାୟୀ: ବାଚସ୍ପତି

ଭୁବନେଶ୍ବର: ଆଜିକାଲିର ପିଲାମାନେ ରାଜନୀତି ଆରମ୍ଭ କରିବା କ୍ଷଣି ବିଧାୟକ ହେବାକୁ ସ୍ବପ୍ନ ଦେଖୁଛନ୍ତି। ମନ୍ତ୍ରୀ ହେବାକୁ ସେମାନଙ୍କ ମଧ୍ୟରେ ଲାଳସା ରହୁଛି। ହେଲେ ସ୍ବର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ର ଏମିତି ଜଣେ ବ୍ୟକ୍ତିତ୍ବ ଥିଲେ, ଯିଏ ରାଜନୀତିର ଶୀର୍ଷରେ ପହଞ୍ଚି ମଧ୍ୟ କେବେ ବି ମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରି ନଥିଲେ। ତା’ ପରେ ବି ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ ପ୍ରମୁଖ ପଦବିରେ ଅବସ୍ଥାପିତ କରାଯାଇଥିଲା। ସେ ଶିଳ୍ପମନ୍ତ୍ରୀ ଥିବା ସମୟରେ ଓଡ଼ିଶାରେ ଅନେକ ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରିଥିଲେ। ସବୁବେଳେ ଦେଶ ଓ ରାଜ୍ୟର ବିକାଶ କଥା ଚିନ୍ତା କରୁଥିଲେ। ଆମେ ଦୁହେଁ ବାମପନ୍ଥୀ ଚିନ୍ତାଧାରାର ଥିବାରୁ ସାମଞ୍ଜସ୍ୟ ରହୁଥିଲା ବୋଲି ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୮୭ତମ ଜନ୍ମ ବାର୍ଷିକୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।

ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତି କମିଟି ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଂସଦ ସୁରେଶ ପୂଜାରୀ ଯୋଗଦେଇ କହିଲେ, ହରିଶ୍ଚନ୍ଦ୍ର ବକ୍ସିପାତ୍ର ହେଉଛନ୍ତି ମୋର ପୂର୍ବପିଢ଼ି। ସେ ଭିନ୍ନ ଚରିତ୍ର ଓ ରୁଚିର ମଣିଷ ଥିଲେ। ପାଞ୍ଚଟି ଦଶକ ସୂର୍ଯ୍ୟ ଭଳି ଜଳି ସମାଜକୁ ଆଲୋକ ବାର୍ତ୍ତା ଦେଉଥିଲେ। ତାଙ୍କ ଆଖିରେ ଦୁଇଟି ଲୋତକ ଥିଲା। ଗୋଟିଏ ଆଖିରେ ଦରଦୀଙ୍କ ପ୍ରତି କରୁଣାର ଆଲୋକ ଓ ଅନ୍ୟଟିରେ ସମାଜକୁ ସଂସ୍କାର କରିବାର ଆଲୋକ। ୨୦ରୁ ୨୨ବର୍ଷ ବୟସରେ ହରିଶ୍ଚନ୍ଦ୍ରଙ୍କ ଆହ୍ୱାନରେ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା। ଯେଉଁମାନେ ନିଜେ ଜଳି ଗଣତନ୍ତ୍ରରେ ଆଲୋକ ପ୍ରଦାନ କରିଛନ୍ତି, ସେମାନଙ୍କୁ ସମାଜ ଧୀରେ ଧୀରେ ଭୁଲିବାକୁ ଯାଉଛି। ଯାହାକି ଏକ ବିଲକ୍ଷଣ ବୋଲି ସେ କହିଥିଲେ। ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବର୍ତ୍ତମାନ ସମୟରେ ପ୍ରତ୍ୟେକ ବର୍ଷ ସ୍ମୃତି କମିଟି ତରଫରୁ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜନ୍ମଦିନ ପାଳନ କରିବା ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ବୋଲି ମତବ୍ୟକ୍ତ କରିଥିଲେ। ପରିବେଶବିତ୍‌ ପଦ୍ମଶ୍ରୀ ସୁନିତା ନାରାୟଣ ଭର୍ଚୁଆଲରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପରିବେଶର ସୁରକ୍ଷା ସହ ସବୁଜ ବନାନୀ ସୃଷ୍ଟି ଉପରେ ଗୁରୁତ୍ବାରୋପ କରିଥିଲେ। କମିଟିର ସମ୍ପାଦିକା ଲୋପାମୁଦ୍ରା ବକ୍ସିପାତ୍ର ଉପସ୍ଥିତ ରହିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର