ଭୁବନେଶ୍ବର: ବିଏମ୍ସି ୧୧ ନମ୍ବର ୱାର୍ଡ ତ୍ରିନାଥ ବସ୍ତିରେ ରହୁଥିବା ଗରିବ ମହିଳା ନିମିତାଲ୍ଙ୍କ ଦିବ୍ୟାଙ୍ଗ ପୁଅ ଜୟପାଲଙ୍କ ମୃତ୍ୟୁକୁ ବର୍ଷେ ବିତିଗଲାଣି। ମାତ୍ର ତାଙ୍କୁ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ମିଳିପାରିଲା ନାହିଁ। ଏମିତିକି ପୁଅର ମୃତ୍ୟୁ ପ୍ରମାଣପତ୍ର ପାଇଁ ତାଙ୍କୁ ୧୫ ଶହ ଟଙ୍କା ଲାଞ୍ଚ ଦେବାକୁ ପଡ଼ିଲା। ଜଣେ ଗରିବ ବୃଦ୍ଧାଙ୍କ ଏଭଳି ଅଭିଯୋଗ ସରକାରଙ୍କ ସ୍ବଚ୍ଛ ଶାସନର କି ପ୍ରକାର ନମୁନା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବୃଦ୍ଧା ନିମିତାଲ୍ଙ୍କ ଅଭିଯୋଗ ଅନୁସାରେ, ଗତ ବର୍ଷ ଜୁନ୍ ୨୭ ତାରିଖରେ ତାଙ୍କ ଦିବ୍ୟାଙ୍ଗ ପୁଅ ଜୟପାଲ୍ର ମୃତ୍ୟୁ ହୋଇଥିଲା। ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ପାଇବା ପାଇଁ ସେ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀଙ୍କଠାରୁ ଏକ ଲିଖିତ ଚିଠି ନେଇ ବିଏମ୍ସିର ଜୋନାଲ୍ ଅଫିସ୍(ଉତ୍ତର ଜୋନ୍)ରେ ଦାଖଲ କରିଥିଲେ। ସେତେବେଳେ କରୋନା କଟକଣା ଥିବାରୁ ଅଫିସ୍ ଭିତରକୁ ପ୍ରବେଶ ଉପରେ କଟକଣା ଥିଲା। ତେଣୁ ଅଫିସ୍ ବାହାରେ ବସିଥିବା ଜଣେ କର୍ମଚାରୀଙ୍କୁ ସେ କାଗଜପତ୍ର ଦେଇ ଆସିଥିଲେ। ଉକ୍ତ କର୍ମଚାରୀ ତାଙ୍କୁ ତିନି ଦିନ ମଧ୍ୟରେ ଟଙ୍କା ମିଳିବ ବୋଲି କହିଥିଲେ। କିନ୍ତୁ ବର୍ଷେ ବିତିଗଲା ପଛେ ତାଙ୍କୁ ଟଙ୍କା ମିଳିଲା ନାହିଁ। ଏବେ ତାଙ୍କୁ ଏହି ଯୋଜନା ଟଙ୍କା ମିଳିବନି ବୋଲି ବିଏମ୍ସି ଅଧିକାରୀ ରୋକ୍ଠୋକ କହିଛନ୍ତି। ସେହିଭଳି ପୁଅର ମୃତ୍ୟୁ ପ୍ରମାଣପତ୍ର ପାଇବା ପାଇଁ ସେ ବାରମ୍ବାର ପଞ୍ଜୀକରଣ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ତାଙ୍କୁ ଫେରାଇ ଦିଆଯାଉଥିଲା।
ଶେଷରେ ସେ ଜଣେ କର୍ମଚାରୀଙ୍କୁ ଲାଞ୍ଚ ବାବଦରେ ୧୫ଶହ ଟଙ୍କା ଦେବା ପରେ ତାଙ୍କୁ ପ୍ରମାଣପତ୍ର ମିଳିଥିଲା ବୋଲି ସେ କହିଛନ୍ତି। ତେବେ ଏନେଇ ବିଏମ୍ସିର ଗୋଷ୍ଠୀ ସଂଗଠିକା ସିପ୍ରାରାଣୀ ସାମନ୍ତରାୟଙ୍କ କହିବା କଥା, ଅଭିଯୋଗକାରିଣୀ ନିମିତାଲ୍ ହରିଶ୍ଚନ୍ଦ୍ର ଯୋଜନା ଅନୁଦାନ ପାଇବା ପାଇଁ ଡାଏରି ସେକ୍ସନରେ ଆବେଦନ କରିବା କଥା। ବିଏମ୍ସିରେ ଅନେକ କର୍ମଚାରୀ ଅଛନ୍ତି। ସେ କାହାକୁ କାଗଜପତ୍ର ଦେଇଛନ୍ତି ଜଣାପଡ଼ୁନି। ମୃତ୍ୟୁର ତିନି ଦିନ ଭିତରେ ଆବେଦନ କରି ଏହି ଟଙ୍କା ପାଇବା ନିୟମ ରହିଛି। ହେଲେ ଏବେ ବର୍ଷେ ବିତି ଯାଇଥିବାରୁ ଆଉ ତାଙ୍କୁ ଟଙ୍କା ମିଳିବନି ବୋଲି ସେ ସ୍ପଷ୍ଟ ମନା କରିଛନ୍ତି। ତେଣୁ ବିଚାରି ନିମିତାଲ ଏବେ ହତାଶ ହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସରକାର ଗରିବଙ୍କ ପାଇଁ ଯୋଜନା କରୁଛନ୍ତି, ହେଲେ ତଳସ୍ତରରେ ଏହି ଗରିବ କଲ୍ୟାଣ ଯୋଜନାକୁ ହରିଲୁଟ୍ କରାଯାଉଛି ବୋଲି ସେ କୋହଭରା କଣ୍ଠରେ କହିଛନ୍ତି। ତାଙ୍କୁ ନ୍ୟାୟ ଦେବା ପାଇଁ ବସ୍ତିବାସିନ୍ଦାମାନେ ଦାବି କରିଛନ୍ତି।