ଭୁବନେଶ୍ବର : କରୋନାର ଦ୍ବିତୀୟ ଲହର ପର୍ଯ୍ୟଟନ ଓ ଆତିଥେୟତା ଶିଳ୍ପକୁ ଶକ୍ତ ଧକ୍କା ଦେଇଛି। ପ୍ରଥମ ଲହର ପରେ ସ୍ବାଭାବିକ ଅବସ୍ଥାକୁ ଆସିବା ପୂର୍ବରୁ ପୁଣି ଏହି କ୍ଷେତ୍ର ଭୀଷଣ ପ୍ରଭାବିତ ହୋଇଛି। ଦେଶର ଅର୍ଥନୀତି ଓ ନିଯୁକ୍ତି ସୁଯୋଗକୁ ବିଚାରକୁ ନେଇ ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ର ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ଦାବି ହୋଇଛି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇ ପତ୍ର ଲେଖିଛନ୍ତି ହୋଟେଲ୍ ଆଣ୍ଡ୍ ରେଷ୍ଟୁରାଣ୍ଟ୍ ଆସୋସିଏସନ୍ ଅଫ୍ ଓଡ଼ିଶା(ହାରୋ) ଅଧ୍ୟକ୍ଷ ଜେ.କେ ମହାନ୍ତି। ହୋଟେଲ୍ ଶିଳ୍ପକୁ ବଞ୍ଚାଇବା ପାଇଁ କେନ୍ଦ୍ର ସରକାର ବାସ୍ତବ ସ୍ଥିତିକୁ ବୁଝି ତୁରନ୍ତ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି।
ଶ୍ରୀ ମହାନ୍ତି ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ ଦକ୍ଷିଣ-ପୂର୍ବ ଏସିଆ ରାଷ୍ଟ୍ରଗୁଡ଼ିକ ୟୁରୋପ, ଆମେରିକା ସମେତ ଅନ୍ୟ ମହାଦେଶରୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛନ୍ତି। କିନ୍ତୁ ଭାରତରେ ପର୍ଯ୍ୟଟନ କ୍ଷେତ୍ରର ଭିତ୍ତିଭୂମି ସେତିକି ସୁଦୃଢ଼ ନ ଥିବାରୁ ତୁଳନାତ୍ମକ ଭାବେ ଆମେ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁ ନାହୁଁ। ଭାରତରେ ପର୍ଯ୍ୟଟନର ଏକ ବିଶାଳ ବଜାର ରହିଛି। ପରିବେଶ ପର୍ଯ୍ୟଟନ, ଜଳକ୍ରୀଡ଼ା, ଦୁଃସାହାସିକ, ସ୍ବାସ୍ଥ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ଓ ଧାର୍ମିକ କ୍ଷେତ୍ରରେ ପର୍ଯ୍ୟଟନର ବ୍ୟାପକ ସମ୍ଭାବନା ରହିଛି। ଭାରତରେ ବିଶ୍ବସ୍ତରୀୟ ପର୍ଯ୍ୟଟନ ଭିତ୍ତିଭୂମି ନିର୍ମାଣ କରିବାକୁ ଯଦି ସରକାର ଏକ ବୈପ୍ଲବିକ ଉଦ୍ୟମ କରନ୍ତେ, ତେବେ ବିଶ୍ବରେ ଭାରତ ପର୍ଯ୍ୟଟନର ଏକ ପ୍ରମୁଖ ସ୍ଥାନ ପାଲଟି ପାରିବ। ଦେଶର ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ପାଇଁ ଯଦି କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ସହ ସମନ୍ବୟ ରଖି କାର୍ଯ୍ୟ କରିବେ, ତେବେ ଭାରତର ଅର୍ଥନୀତିରେ ପର୍ଯ୍ୟଟନ ହିଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ସବୁଠାରୁ ବଡ଼ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ର ହେବା ସହ ବୈଦେଶିକ ମୁଦ୍ରା ଆୟର ମୁଖ୍ୟ ଉତ୍ସ ପାଲଟିବ। ତେଣୁ ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରରେ ଆସନ୍ତା ଦୁଇ/ଚାରି ବର୍ଷ ପାଇଁ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ କେନ୍ଦ୍ର ସରକାର ସ୍ବଳ୍ପ ମିଆଦି ଓ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରନ୍ତୁ। ଯଦି ସରକାର ସଫ୍ଟ ଲୋନ୍, ଦୀର୍ଘ ମିଆଦି ଆର୍ଥିକ ସହାୟତା, ଭିତ୍ତିଭୂମି ସୁବିଧା, ସ୍ବତନ୍ତ୍ର ଦରରେ ଜମି ପ୍ରଦାନ, ତ୍ବରିତ ଅନୁମତି ଓ ସବ୍ସିଡି ପ୍ରଦାନ ପାଇଁ ପଦକ୍ଷେପ ନିଆଗଲେ ହିଁ ଘରୋଇ ପୁଞ୍ଜିନିବେଶକାରୀ ବହୁ ମାତ୍ରାରେ ଏ ଦିଗ ପ୍ରତି ଆକୃଷ୍ଟ ହେବ। ଅଧିକ ପର୍ଯ୍ୟଟକ ଓ ବିଦେଶୀ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ କେନ୍ଦ୍ର ସରକାର ତାଙ୍କ ନୀତିରେ କୋହଳ କରିବା ସହ ଟିକସ ରିହାତି ଓ ସମନ୍ବିତ ପ୍ୟାକେଜ୍ ଘୋଷଣା କରିବାର ଆବଶ୍ୟକତା ରହିଛି।
ବର୍ତ୍ତମାନ ସାରା ବିଶ୍ବରେ ଅର୍ଥନୀତି ମାନ୍ଦା ହୋଇଛି। କରୋନା ପାଇଁ କେହି ଘରୁ ବାହାରି ପାରୁ ନାହାନ୍ତି। ଏପରି ସ୍ଥିତି ଆହୁରି ଏକ ବର୍ଷ ରହିପାରେ। କରୋନା ପରେ ସ୍ଥିତି ସ୍ବାଭାବିକ ହେଲେ ବହୁ ସଂଖ୍ୟାରେ ଲୋକ ପର୍ଯ୍ୟଟନ ପାଇଁ ଯିବାକୁ ବ୍ୟଗ୍ର ଅଛନ୍ତି। ତେଣୁ ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରକୁ ନୂଆ ଦିଗ ଦେବା ପାଇଁ ବିଶ୍ବସ୍ତରୀୟ ଭିତ୍ତିଭୂମି ସୃଷ୍ଟି କରିବାକୁ ଏହା ଏକ ପ୍ରକୃଷ୍ଟ ସମୟ ବୋଲି ହାରୋ ଅଧ୍ୟକ୍ଷ ଯୁକ୍ତି ବାଢ଼ିଛନ୍ତି।
ହୋଟେଲ୍ ଶିଳ୍ପର ପୁନରୁଦ୍ଧାର ପାଇଁ ଶ୍ରୀ ମହାନ୍ତି ପ୍ରସ୍ତାବ ଦେଇଛନ୍ତି ଯେ କୋଭିଡ୍ରେ ପର୍ଯ୍ୟଟନ ଓ ହୋଟେଲ୍ ଶିଳ୍ପ ସର୍ବାଧିକ ପ୍ରଭାବିତ ହୋଇଛି। ଏହାକୁ ନଜରରେ ରଖି ଆଉ ଗୋଟିଏ ବର୍ଷ ପାଇଁ ମୋରାଟାରିୟମ୍ ପିରିଅଡ୍ ଦିଆଯିବା ସହ ସୁଧ ପରିମାଣ କମ୍ ରଖାଯାଉ। ୨୦୨୨ ସୁଦ୍ଧା ଶିଳ୍ପ କ୍ଷେତ୍ରରେ ସୁଧାର ଆସିବାର ଆକଳନ କରି କାମାଥ୍ କମିଟି ଋଣ ପରିଶୋଧ ପାଇଁ ସମୟସୀମାକୁ ସମ୍ପ୍ରସାରିତ କରିଥିଲେ। କିନ୍ତୁ କରୋନାର ଦ୍ବିତୀୟ ଲହର ପରିପ୍ରେକ୍ଷୀରେ ହୋଟେଲ୍ ଶିଳ୍ପ ଯେପରି କ୍ଷତିଗ୍ରସ୍ତ ହୋଇଛି, ଏହା ସ୍ବାଭାବିକ ଅବସ୍ଥାକୁ ଆସିବା ପାଇଁ ଅତି କମ୍ରେ ୩/୪ ବର୍ଷ ଲାଗିବ। ତେଣୁ ୨୦୨୪ ମାର୍ଚ୍ଚକୁ ଲକ୍ଷ୍ୟ ରଖି ଋଣ ପରିଶୋଧ ପାଇଁ ସମୟ ପୁନଃନିର୍ଦ୍ଧାରଣ ହେଉ। ହୋଟେଲ୍ ଶିଳ୍ପକୁ ଭିତ୍ତିଭୂମି ମାନ୍ୟତା ଦିଆଯାଇ ଶିଳ୍ପ ଦରରେ ବିଜୁଳି, ପାଣି ଓ ଜମି ପାଇବା ପାଇଁ ଅନୁମତି ଦିଆଯାଉ। ମହାମାରୀରେ ପ୍ରଥମ କ୍ଷେତ୍ର ଭାବେ ହୋଟେଲ୍ ଶିଳ୍ପ ପ୍ରଭାବିତ ହୋଇଥିଲା ଏବଂ ପୁନରୁଦ୍ଧାର ହେବାରେ ଏହି କ୍ଷେତ୍ର ସବା ଶେଷରେ ରହିବ। ତେଣୁ ଏମ୍ଏସ୍ଏମ୍ଇ କ୍ଷେତ୍ର ଅଧୀନରେ ଅନ୍ୟ ଶିଳ୍ପ ପରି ହୋଟେଲ୍ ଶିଳ୍ପକୁ ବିଚାରକୁ ନିଆ ନଯାଉ। ସରକାରଙ୍କ ଏପରି କିଛି ପଦକ୍ଷେପ ହିଁ ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରକୁ ବଞ୍ଚାଇ ପାରିବ ବୋଲି ଶ୍ରୀ ମହାନ୍ତି ଦର୍ଶାଇଛନ୍ତି।