ଭୁବନେଶ୍ବର: ହୃଦ୍ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ମଞ୍ଚରେ ବସିବା ବେଳେ, ରାସ୍ତାରେ ଚାଲିବା ବେଳେ ଜୀବନ ଚାଲିଯାଉଛି। ରିପୋର୍ଟ ମୁତାବକ ଓଡ଼ିଶାରେ ବାର୍ଷିକ ୨୫ ହଜାର ହୃଦ୍ରୋଗୀଙ୍କର ମୃତ୍ୟୁ ଘଟୁଛି। ତେବେ ଉଦ୍ବେଗର ବିଷୟ ହେଉଛି ଯେଉଁ ବୟସରେ ଏହି ରୋଗ ହେବା ଆଶଙ୍କା ଆଦୌ ନଥିଲା ମୃତ ବ୍ୟକ୍ତିଙ୍କ ତାଲିକାରେ ସେହି ବୟସର ରୋଗୀ ଅଧିକ ରହିଛନ୍ତି। ଓଡ଼ିଶାରେ ଉପଲବ୍ଧ ଚିକିତ୍ସା ସୁବିଧାକୁ ନେଇ ବ୍ୟାପକ ସଚେତନତା ହେଲେ ଏହି ସଂଖ୍ୟା ନିଶ୍ଚିତ ଭାବେ କମିବ ବୋଲି କହିଛନ୍ତି ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲର ନିର୍ଦ୍ଦେଶକ ଡା. କରୁଣାକର ପାଢ଼ୀ।
ହୋଟେଲ ମେ’ ଫେୟାର ପରିସରରେ ଆଜି ଆୟୋଜିତ କାର୍ଡିଓକନ୍-୨୦୧୯ରେ ଯୋଗେ ଦେଇ ସେ କହିଲେ, ଗତ ଦଶ ଦଶନ୍ଧୀ ମଧ୍ୟରେ ରାଜ୍ୟର ସ୍ବାସ୍ଥ୍ୟସେବା ଦୃଶ୍ୟପଟରେ ଅନେକ ପରିବର୍ତ୍ତନ ହୋଇଛି। ନୂତନ ଜ୍ଞାନ କୌଶଳଏବେ ରାଜ୍ୟକୁ ସମୃଦ୍ଧ କରିଛି। ଯେ କୌଣସି ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ରାଜ୍ୟ ଦକ୍ଷ ହୋଇଛି। ୮ଟି ଅଗ୍ରଣୀ ହସ୍ପିଟାଲ୍ରେ ମାସିକ ୨ଶହ ହୃଦ୍ରୋଗ ସମ୍ପର୍କିତ ଚିକିତ୍ସା ହେଉଥିବା ବେଳେ ଓଡ଼ିଶାରେ ୮ଶହ ଚିକିତ୍ସା ପାଇଁ ବ୍ୟବସ୍ଥା ଅଛି। ଯାହା ଅନେକଙ୍କୁ ନୂଆ ଜୀବନ ଦେଇ ପାରୁଛି ବୋଲି ସେ କହିଛନ୍ତି। ଅନ୍ୟତମ ଅତିଥି ଭାବରେ ୟୁନିଟ୍ ହେଡ୍ ଭର୍ଗିସ ପି. ଜନ୍ ଯୋଗ ଦେଇ ରାଜ୍ୟ ପାଇଁ ହୃଦ୍ରୋଗ ଚିକିତ୍ସାରେ କଳିଙ୍ଗ ହସ୍ପିଟାଲ ‘ସେଣ୍ଟର ଫର୍ ଏକ୍ସଲେନ୍ସ’ ହେବାକୁ ଯାଉଥିବା ସୂଚନା ଦେଇଛନ୍ତି। ତା’ ସହ କେବଳ ରାଜ୍ୟ ନୁହେଁ, ଦେଶ ତଥା ବିଦେଶରେ ବିଆର୍ ଲାଇଫ୍ ଯୋଗାଉଥିବା ସ୍ବାସ୍ଥ୍ୟସେବା ସମ୍ପର୍କରେ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସିଭିଟିଏସ୍ ବରିଷ୍ଠ ପରାମର୍ଶଦାତା ଡା. ସୁଶାନ୍ତ ପାତ୍ର, ଡା. ଶ୍ବେତାଙ୍କ ଦାସ, ଡା, ସୁଶାନ୍ତ ସାଲିଆ, ଡା. ସୁଦୀପ୍ତ ଆଚାର୍ଯ୍ୟ, ଡା. ବିନୟ କୁମାର ବିନାକର, ଡା. ଶିବଶଙ୍କର ଦଳାଇଙ୍କ ସମେତ ରାଜ୍ୟର ଦେଢ଼ଶହରୁ ଊର୍ଦ୍ଧ୍ବ ଡାକ୍ତର ଯୋଗ ଦେଇଥିଲେ। ଏଥିରେ ହୃଦ୍ଜନିତ ସମସ୍ତ ରୋଗ ଓ ଉପଲବ୍ଧ ଚିକିତ୍ସା ସେବା ଉପରେ ଆଲୋଚନା କରାଯାଇଥିଲା।