ବାତିଲ ହେଲା କି ଚଣାହଟ୍ଟା ମିନି ଷ୍ଟାଡିୟମ୍‌?

ନେତା ବଦଳିଲେ ଯୋଜନା ବଦଳେ, ଭୂମିପୂଜନର ୩ ବର୍ଷ ପରେ ବି ପଡ଼ିନି ଖଣ୍ଡେ ଇଟା

ବାଲିପାଟଣା: ନେତା ବଦଳିଲେ, ଯୋଜନା ବଦଳିଯାଏ। ଠିକ୍‌ ସେମିତି ଅବସ୍ଥା ହୋଇଛି ପ୍ରସ୍ତାବିତ ଚଣାହଟ୍ଟା ହାଇସ୍କୁଲ୍‌ ମିନି ଷ୍ଟାଡିୟମ୍‌ର କଥା। ଭୂମିପୂଜନର ୩ ବର୍ଷ ପରେ ବି ଉକ୍ତ ଷ୍ଟାଡିୟମ୍‌ ନିର୍ମାଣ ପାଇଁ ଇଟା ଖଣ୍ଡେ ପଡ଼ିପାରିଲା ନାହିଁ। ସେତେବେଳେ ଏଥିପାଇଁ ମଞ୍ଜୁର ହୋଇଥିବା ୫ ଲକ୍ଷ ଟଙ୍କା ବି କୁଆଡ଼େ ଗଲା, ତାହାର ହିସାବ କାହା ପାଖରେ ନାହିଁ। ଏବେ ଉକ୍ତ ଷ୍ଟାଡିୟମ୍‌ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ଚର୍ଚ୍ଚା ହେଉଛି। ତେଣୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସ୍ଥାନୀୟ ଅଞ୍ଚଳ‌ରେ ଚଣାହଟ୍ଟା ହାଇସ୍କୁଲ ଏକ ପୁରାତନ ଶିକ୍ଷାନୁଷ୍ଠାନ। ସ୍ବାଧୀନତା ପୂର୍ବରୁ ୧୯୪୬ ମସିହାରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ମାତ୍ର ପ୍ରଶାସନିକ ଅବହେଳା କାରଣରୁ ଏହି ବିଦ୍ୟାଳୟ ସେମିତି ଭଙ୍ଗାଦଦରା ଅବସ୍ଥାରେ ରହିଛି। ତେବେ ୨୦୧୮ ମସିହାରେ ତତ୍କାଳୀନ ବିଧାୟକ ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା ଏହି ବିଦ୍ୟାଳୟର ଖେଳପଡ଼ିଆକୁ ମିନି ଷ୍ଟାଡିୟମ୍‌ କରିବାକୁ ଭୂମି ପୂଜନ କରିଥିଲେ। ପ୍ରାୟ ଏକ ଏକରରୁ ଅଧିକ ଜମି ଥିବା ଏହି ପଡ଼ିଆରେ ପ୍ରାଥମିକ ପର୍ଯ୍ୟ‌ାୟରେ ପାଚେରି ନିର୍ମାଣ କରିବାକୁ ଶ୍ରୀ ବେହେରା ତାଙ୍କ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ମଞ୍ଜୁର କରିବା କଥା କହିଥିଲେ।

ମାତ୍ର ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀ ବେହେରା କେନ୍ଦ୍ରାପଡ଼ାରୁ ବିଧାୟକ ହେଲେ ଓ ଜୟଦେବ ନିର୍ବାଚନ ମଣ୍ଡଳୀରୁ ଅରବିନ୍ଦ ଢାଲି ବିଧାୟକ ହେଲେ। ଏହା ପରେ ଚଣାହଟ୍ଟା ହାଇସ୍କୁଲ ମିନି ଷ୍ଟାଡିୟମ୍‌ କଥା ସେମିତି ଫାଇଲ୍‌ ଭିତରେ ରହିଗଲା। ଭୂମି ପୂଜନକୁ ୩ ବର୍ଷ ବିତିବା ପରେ ବି ସେଠାରେ ଇଟା ଖଣ୍ଡେ ପଡ଼ିପାରିଲା ନାହିଁ। ଏମିତିକି ବିଧାୟକ ଶ୍ରୀ ଢାଲି ଏଠାକୁ ଅଧିକ ଅର୍ଥ ମଞ୍ଜୁର କରିବା କଥା ଉଠୁଥିଲେ ବି କିଛି ହେଲାନାହିଁ। ବରଂ ଏବେ ଏହି ଷ୍ଟାଡିୟମ୍‌ ଅନ୍ୟତ୍ର ସ୍ଥାନାନ୍ତର ହେବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ଚଣାହଟ୍ଟା ହାଇସ୍କୁଲ ଖେଳପଡ଼ିଆ ସ୍ଥାନୀୟ ଅଞ୍ଚଳର ଏକ ଭଲ ଖେଳପଡ଼ିଆ। ଏଠାରେ ବିଭିନ୍ନ ପ୍ରକାର କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ଜିଲ୍ଲାସ୍ତରୀୟ ଫୁଟ୍‌ବଲ ଓ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୁଏ। ମାତ୍ର ପାଚେରି ନଥିବାରୁ ଧୀରେଧୀରେ ଏହାକୁ ଜବରଦଖଲ କରାଯାଉଥିବା ଅଭିଯୋଗ ହେଉଛି। ପାଚେରି ନଥିବାରୁ ବୁଲା ଗୋରୁଗାଈଙ୍କ ଚରା ଭୂଇଁ ପାଲଟି ପଡ଼ିଆ ନଷ୍ଟ ହେବାରେ ଲାଗିଛି। ତେଣୁ ପ୍ରସ୍ତାବିତ ମିନି ଷ୍ଟାଡିୟମ୍ ଏଠାରେ ହେଉ ବୋଲି ଦାବି କରାଯାଇଛି। ସ୍ଥାନାନ୍ତର ହେବାକୁ ଥିବା ସ୍ଥାନ‌ରେ ଆଉ ଗୋଟିଏ ଷ୍ଟାଡିୟମ୍‌ ହେଉ, କିନ୍ତୁ ଚଣାହଟ୍ଟା ମିନି ଷ୍ଟାଡିୟମ୍‌ ବାତିଲ ନହେଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର