ହାଟ, ବଜାର ବଢ଼ାଉଛି ସଂକ୍ରମଣ

ଦୁଇ ହସ୍ପିଟାଲରେ ପର୍ଯ୍ୟାପ୍ତ ଶଯ୍ୟା ରହିଛି, ଅନ୍ୟ ହସ୍ପିଟାଲ ସହ ଯୋଗା‌ଯୋଗରେ ଅଛୁ

ଭୁବନେଶ୍ବର : ରାଜଧାନୀର ମାର୍କେଟ, ବଜାର, ହାଟରେ ପ୍ରବଳ ଜନଗହଳି ହେଉଛି। ଅପରାହ୍ଣ ୪ଟାରୁ ରାତି ୧୦ଟା ମଧ୍ୟରେ ଏଭଳି ଭିଡ଼ ହେଉଛି ଯେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରହୁନି। ଗ୍ରାହକ ଓ ବ୍ୟବସାୟୀମାନେ ମାସ୍କ ପିନ୍ଧୁ ନାହାନ୍ତି। କେତେକ ବଜାରରେ ଲୋକେ ଚଢ଼ାମଢ଼ା ହୋଇ ସାମଗ୍ରୀ କିଣୁଛନ୍ତି। ‌ଲାଗୁଛି ସତେ ଯେମିତି ଲୋକଙ୍କ ମଧ୍ୟରେ କରୋନା ଭୟ ଆଦୌ ନାହିଁ। ସନ୍ଧ୍ୟା ୬ଟାରୁ ୯ଟା ମଧ୍ୟରେ ସପିଂ ମଲ୍‌ଗୁଡ଼ିକରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଓ କମିସନରେ‌ଟ୍‌ ପୁଲିସର ମିଳିତ ଟିମ୍‌ ବାରମ୍ବାର ଚଢ଼ଉ ପରେ ବି ବ୍ୟବସାୟୀ କିମ୍ବା ଗ୍ରାହକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନି। ସେମାନେ ମନ ଇଚ୍ଛା ନିୟମ ଉଲ୍ଲଂଘନ କରୁଛନ୍ତି। ସହରରେ କରୋନା ସଂକ୍ରମଣ ଉପରମୁହାଁ ହେଉଥିବା ଦେଖି ବିଏମ୍‌ସି ପକ୍ଷରୁ ଅନୁସନ୍ଧାନ କରିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ସହରରୁ ୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସିର ଚିନ୍ତା ବଢ଼ିଯାଇଛି। ସ୍ଥିତିର କିଭଳି ମୁକାବିଲା କରାଯାଇପାରିବ ସେନେଇ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଆଜି ବୈଠକ ବସିଥିଲା। ଏହାପରେ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି; ଆମେ ଯାହା ଦେଖୁଛୁ ଯେ ବଜାର, ହାଟରେ ସାମାଜିକ ଦୂରତା ରହୁନି। ବହୁ ଲୋକ ମାସ୍କ ପିନ୍ଧୁ ନାହାନ୍ତି। ତେଣୁ ସହରବାସୀଙ୍କୁ ଅନୁରୋଧ କରୁଛୁ ସେମାନେ ଯେତେବେଳେ ବି ବଜାରକୁ ଯାଉଛନ୍ତି ମାସ୍କ ନିଶ୍ଚିନ୍ତ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତା ରକ୍ଷା କରନ୍ତୁ। ଆବଶ୍ୟକ ନ ଥିଲେ ବାହାରକୁ ଯାଆନ୍ତୁ ନାହିଁ।

ସେ ଆହୁରି କହିଛନ୍ତି ଯେ ଭୁବନେଶ୍ବରରେ କୋଭିଡ୍‌ ସଂକ୍ରମଣ ଲଗାତାର ଭାବେ ବଢ଼ୁଛି। ବିଶେଷକରି ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ହସ୍ପିଟାଲ ଶଯ୍ୟା ଅଭାବ ହେବା ଆଶଙ୍କା ପ୍ରକାଶ ପାଇଛି। ତେଣୁ ତାହାର ମୁକାବିଲା କରିବା ପାଇଁ ଆବଶ୍ୟକ ହସ୍ପିଟାଲ ଆମ ପାଖରେ ରହିବା କଥା। ‌ଏବେ ଦୁଇଟି ହସ୍ପିଟାଲ ରହିଛି। ଯେଉଁ ଆକ୍ରାନ୍ତମାନେ ମେଡିକାଲକୁ ଯାଇଛନ୍ତି ସେମାନଙ୍କ ଚିକିତ୍ସା ଜାରି ରହିଛି। ଏବେ ବି ଆମ ପାଖରେ ପର୍ଯ୍ୟାପ୍ତ ଶଯ୍ୟା ଉପଲବ୍ଧ ରହିଛି। ଆଗାମୀ ଦିଗରେ ଆହୁରି ଆବଶ୍ୟକତା ପଡ଼ିବ। ତେଣୁ ପୂର୍ବରୁ ଯେଉଁ ହସ୍ପିଟାଲଗୁଡ଼ିକ ଆମ ସହ ମିଶି କାର୍ଯ୍ୟ କରୁଥିଲେ ସେମାନଙ୍କ ସହ ଯୋଗାଯୋଗରେ ରହିଛୁ ଏବଂ ପ୍ରସ୍ତୁତ ରହିବାକୁ କହିଛୁ। ଠିକ୍‌ ସମୟରେ ସେମାନଙ୍କୁ ପର୍ଯ୍ୟାୟକ୍ରମେ ସାମିଲ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ ବିମାନବନ୍ଦର ଓ ରେଳ ଷ୍ଟେସନରେ ଯାଞ୍ଚ କରାଯାଉଛି। ଏଥିପାଇଁ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଯେଉଁମାନଙ୍କର ନେଗେଟିଭ୍‌ ରିପୋର୍ଟ କିମ୍ବା ସାର୍ଟିଫିକେଟ୍‌ ନ ଥିବ ସେମାନଙ୍କୁ ୭ ଦିନ ସଙ୍ଗରୋଧରେ ରହିବା ଲାଗି ଗାଇଡ୍‌ଲାଇନ୍‌ ଜାରି ହୋଇଛି। ସେହି ଦୃଷ୍ଟିରୁ ଯେଉଁ ଆକ୍ରାନ୍ତମାନେ ଗୃହ ସଂଗରୋଧରେ ରହିଛନ୍ତି ସେମାନଙ୍କ ଉପରେ ନଜର ରଖାଯାଇଛି। ଫୋନ୍‌ କଲ୍‌ ହେଉଛି। ତେବେ ବର୍ତମାନ ଯେଉଁ ହିସାବରେ ମାମଲା ବଢ଼ୁଛି ଆହୁରି ଭୟଙ୍କର ସ୍ଥିତି ଉପୁଜିପାରେ। କ୍ବାରେଣ୍ଟାଇନ୍‌ ଷ୍ଟିକର ଲଗାଇବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ ଆଧାରରେ ହେବ ବୋଲି ଶ୍ରୀ ଚୌଧରୀ କହିଛନ୍ତି।

ସମ୍ବନ୍ଧିତ ଖବର