ବାରଙ୍ଗ: ସୋମବାର ରାତିରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ହାତୀସଫାରି ପାଖକୁ ଚାଲି ଆସିଥିବା ଜଙ୍ଗଲୀ ହାତୀକୁ ଆଜି ରାତିରେ ଘଉଡ଼ାଇ ଦିଆଯାଇଛି। ପ୍ରାୟ ୭/୮ ବର୍ଷର ଅଣ୍ଡିରା ହାତୀଟି ସଫାରି ପାଖରେ ବହୁ ଗଛପତ୍ର ଭଙ୍ଗାରୁଜା କରିଥିଲେ ବି କର୍ମଚାରୀମାନଙ୍କ ଯୋଗୁଁ ସଫାରି ଭତରକୁ ପଶି ପାରିନଥିଲା। ସୋମବାର ରାତିରେ ଚନ୍ଦକା ଜଙ୍ଗଲରୁ ଏହି ଗୋଟିକିଆ ହାତୀଟି ନନ୍ଦନକାନନ ମୁହାଁ ହୋଇଥିଲା। ସଫାରିରେ ହାତୀ ଶାଳରେ ଥିବା ବାସନ୍ତୀ ଓ ହୀରାଙ୍କ ନିକଟବର୍ତ୍ତୀ ହେବାକୁ ଉଦ୍ୟମ କରିଥିଲା। ମାତ୍ର ସଫାରି ପାଚେରି ଭାଙ୍ଗିବାକୁ ଅସମର୍ଥ ହୋଇ ହାତୀ ଶାଳ ପଛ ହମିରା ଟାଙ୍ଗୀ ଜଙ୍ଗଲରେ ବହୁ ଗଛପତ୍ର ଭାଙ୍ଗିପକାଇଥିଲା। ଏହି ହାତୀ ବାସ୍ନାରେ ହାତୀ ଶାଳରେ ଥିବା ବାସନ୍ତୀ ଓ ହୀରା ଗର୍ଜନ କରିଥିଲେ। ତେଣୁ ନନ୍ଦନକାନନ କର୍ମଚାରୀମାନେ ଜଙ୍ଗଲୀ ହାତୀ ପଶିଆସିଥିବା ସନ୍ଦେହ କରି ହମିରା ଟାଙ୍ଗୀ ଦେଖିଥିଲେ।

Advertisment

ଉନ୍ମତ୍ତ ହାତୀକୁ ଠାବ କରିବା ପରେ କର୍ମଚାରୀମାନେ ବନ ବିଭାଗକୁ ଜଣାଇବା ସହ ତାକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ହାତୀଟି ଯାଇନଥିଲା। ଆଜି ଦିନ ତମାମ ବନ କର୍ମଚାରୀମାନେ ତାକୁ ଜଗି ରହିଥିଲେ ଏବଂ ସନ୍ଧ୍ୟା ହେବା ପରେ ବାଣ ଫୁଟାଇ ଲାଇଟ୍ ପକାଇ ଚନ୍ଦକା ଅଭୟାରଣ୍ୟ ମୁହାଁ କରାଇଥିଲେ। ସୂଚନାଯୋଗ୍ୟ, ୨୦୧୫ ମସିହାରେ ନନ୍ଦନକାନନ ପରିସରକୁ ପ୍ରଥମେ ଏକ ମାକ୍‌ନା ହାତୀ ପଶିଆସିଥିଲା। ତାକୁ ଟ୍ରାଙ୍କୁଲାଇଜ୍‌ କରି ଜଙ୍ଗଲରେ ଛଡ଼ାଯାଇଥିଲା। ଏହା ପରଠୁ ପ୍ରତିବର୍ଷ ଜଙ୍ଗଲୀ ହାତୀମାନେ ନନ୍ଦନକାନନକୁ ପଶି ଆସୁଛନ୍ତି। ପ୍ରାୟ ୧୬ ଥର ଏମିତି ଘଟିଲାଣି। କିନ୍ତୁ ଟ୍ରେଞ୍ଚ୍‌ ଖନନ କରି ହାତୀଙ୍କୁ ରୋକିବା ଲାଗି କର୍ତ୍ତୃପକ୍ଷ ପଦକ୍ଷେପ ନେଉନାହାନ୍ତି।