‌ହୌସଲା-୨୦୧୮ ଉଦ୍‌ଘାଟିତ: ଶିଶୁର ବୌଦ୍ଧିକ, ଶାରୀରିକ ବିକାଶ ଜରୁରୀ

ଭୁବନେଶ୍ବର: ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିସନ୍‌ ଶକ୍ତି ବିଭାଗ ଅଧୀନରେ ରାଜ୍ୟ ଶିଶୁ ସୁରକ୍ଷା ସମିତି ପକ୍ଷରୁ ‌ରାଜ୍ୟସ୍ତରୀୟ ‘ହୌସଲା-୨୦୧୮’ ଉଦ୍‌ଘାଟିତ ହୋଇଛି। କ୍ୟାପିଟାଲ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଦୁଇଦିନିଆ କାର୍ଯ୍ୟକ୍ରମକୁ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ରାଜ୍ୟର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରୁ ଆସିଥିବା ୫୫୦ରୁ ଅଧିକ ଅନ୍ତେବାସୀଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଅନ୍ତେବାସୀଙ୍କୁ ସମ୍ବୋଧନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ସାମଲ କହିଥିଲେ, ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁମାନେ ସମସ୍ତ ଅଧିକାର ସହ ବଞ୍ଚିବା ଜରୁରୀ। କେବଳ ବଞ୍ଚିଲେ ହେବ ନାହିଁ, ସେମାନଙ୍କ ମାନସିକ, ବୌଦ୍ଧିକ ଓ ଶାରୀରିକ ବିକାଶ ହେବାର ସମପରିମାଣରେ ଆବଶ୍ୟକତା ରହିଛି। ଦୁଇବର୍ଷ ତଳେ ସରକ‌ାରଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଭିତ୍ତିକ କାର୍ଯ୍ୟକ୍ରମ ‘ହୌସଲା’ ଶିଶୁମାନଙ୍କ ବିକାଶରେ ସହାୟକ ହୋଇଛି। ଏହି ଶିଶୁମାନଙ୍କ ପାଇଁ ସରକାର ଅଛନ୍ତି ବୋଲି ସେ କହିଛନ୍ତି। ବିଭାଗୀୟ ସଚିବ ଅନୁ ଗର୍ଗ ଯୋଗଦେଇ କହିଥିଲେ, ପିଲାମାନେ ଯେହେତୁ ଜିଲ୍ଲାସ୍ତରରେ ସଫଳ ହୋଇ ରାଜ୍ୟସ୍ତରରେ ପହଞ୍ଚିଛନ୍ତି, ସେମାନେ ସମସ୍ତେ ଆମ ପାଇଁ ବିଜୟୀ। କିନ୍ତୁ ଯେଉଁମାନେ ରାଜ୍ୟସ୍ତରରୁ ବିଜୟ ଲାଭ କରି ଜାତୀୟସ୍ତରକୁ ଯିବେ ସେମାନେ ଆମ ପାଇଁ ଗର୍ବ। ବିଭାଗୀୟ ନିର୍ଦ୍ଦେଶକ ରଘୁ ଜି., ଯୁଗ୍ମ ସଚିବ ଗୀତାଞ୍ଜଳି ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ କାର୍ଯ୍ୟକ୍ରମରେ କିଭଳି ଅଧିକ ଶିଶୁ କିଶୋର ଯୋଗଦେବେ ସେନେଇ ଆଲୋଚନା କରିଥିଲେ। ରାଜ୍ୟ ଶିଶୁ ସୁରକ୍ଷା ସମିତି ପ୍ରକଳ୍ପ ପରିଚାଳକ ସଂଗ୍ରାମ କିଶୋର ସାମଲ ଧନ୍ୟବାଦ ଦେଇଥିଲେ। ଦୁଇଦିନ ଧରି ଏହି ଅନ୍ତେବାସୀଙ୍କ ମଧ୍ୟରେ ଲମ୍ବା ଡିଆଁ, ଦୌଡ଼, ଚେସ୍‌, ଫୁଟବଲ୍‌ ଆଦି କ୍ରୀଡ଼ା ପ୍ରତିଯୋଗିତା ହେବାକୁ ରହିଛି।

ସମ୍ବନ୍ଧିତ ଖବର