ପୁରୁଣା ଭୁବନେଶ୍ବର: କାର୍ତ୍ତିକ ମାସ ଆସିଲେ ପାଟି ଖୋଜେ ହବିଷାନ୍ନ। ଆଉ ଏହି ହବିଷାନ୍ନର ମୁଖ୍ୟ ହେଉଛି ହବିଷ ଡାଲମା। ମୁଗ ଖେଚୁଡ଼ି ବା ଅରୁଆ ଘିଅ ଅନ୍ନ ସହ ହବିଷ ଡାଲମାର ରହିଛି ସ୍ବତନ୍ତ୍ର ଚାହିଦା। କାର୍ତ୍ତିକ ବ୍ରତ ଆରମ୍ଭ ଦିନରୁ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିରରେ ବହୁ ଶ୍ରଦ୍ଧାଳୁ ହବିଷ ଡାଲମା ଖୋଜୁଛନ୍ତି। ଯିଏ ଡାଲମା ପାଇଲା ସେ ଖୁସି। କାର୍ତ୍ତିକ ମାସରେ ରାଈ ଦାମୋଦର ବେଶ ଦର୍ଶନ ପାଇଁ ଯେମିତି ମନ ବ୍ୟାକୁଳ ସେମିତି ହବିଷ ଡାଲମା ଖାଇବାରେ ଆନନ୍ଦ। ଏଥିପାଇଁ ମନ୍ଦିରରେ ଶ୍ରଦ୍ଧାଳୁ ଓ ହବିଷିଆଳିଙ୍କ ପାଇଁ ବିକ୍ରି ହେଉଛି ହବିଷ ଡାଲମା। ଖାଲି ଘରେ କାହିଁକି, ବିଭିନ୍ନ ମନ୍ଦିର ଓ ହୋଟେଲରେ ଏହାର ସ୍ବତନ୍ତ୍ର ପ୍ରସ୍ତୁତି ବି ଭକ୍ତ ଓ ଗ୍ରାହକଙ୍କୁ ଆକର୍ଷିତ କରୁଛି। ଅନନ୍ତ ବାସୁଦେବ ମନ୍ଦିରରେ ଦୈନିକ ପ୍ରାୟ ୫୦ରୁ ୧୦୦ ଲୋକଙ୍କ ପାଇଁ ହବିଷ ଡାଲମା ପ୍ରସ୍ତୁତ ହେଉଥିବା ବେଳେ ଲିଙ୍ଗରାଜ ମନ୍ଦିରରେ ସେହିପରି ୫୦ରୁ ୧୦୦ଜଣ ଏହି ଡାଲମା ପ୍ରତିଦିନ କିଣିଥାନ୍ତି। ମୁଗ, କଞ୍ଚା କଦଳୀ, ସାରୁ, ବୋଇତାଳୁ, କନ୍ଦମୂଳ, ଓଉ ଓ ନଡ଼ିଆ କୋରାରେ ପ୍ରସ୍ତୁତ ହୋଇଥାଏ ଏହି ସ୍ବତନ୍ତ୍ର ଡାଲମା। କାର୍ତ୍ତିକ ମାସ ସାରା ନହେଲେ ବି ସୋମବାର ପ୍ରତିଟି ଘରୁ ଭାସି ଆସେ ଏହି ହବିଷ ଡାଲ୍‌ମାର ମହମହ ବାସ୍ନା। ପରିବା ଦର ଆକାଶଛୁଆଁ ହୋଇଥିଲେ ସୁଦ୍ଧା କାର୍ତ୍ତିକ ସୋମବାରେ ହବିଷ ଡାଲମାର ଚାହିଦା ସର୍ବାଧିକ ରହିଛି। 

Advertisment

ସାମାଜିକ ଗଣମାଧ୍ୟମରେ ହବିଷାନ୍ନ 
ଓଡ଼ିଆଙ୍କ ହବିଷ ଅନ୍ନ ଓ ଡାଲମାକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାରପ୍ରସାର ଚାଲିଛି। କେହି କେହି ନିଜ ଘରେ ତିଆରି ହବିଷାନ୍ନର ଫଟୋ ‌ସାମାଜିକ ଗଣମାଧ୍ୟମରେ ସେୟାର କରୁଛନ୍ତି ତ’ ଆଉ ‌କିଏ କାର୍ତ୍ତିକ‌ର ସ୍ବତନ୍ତ୍ର ଅଗସ୍ତି ଶାଗର ବିଲୁପ୍ତି ନେଇ ଦୁଃଖ ପ୍ରକାଶ କରିଛନ୍ତି। କିଛି ୟୁଟ୍ୟୁବର୍‌ ନିଜ ଚ୍ୟାନେଲରେ ହବିଷ ଡାଲମା ପ୍ରସ୍ତୁତି ପ୍ରକ୍ରିୟା ଶିଖାଇଛନ୍ତି। ପୁଣି ଫୁଡ୍‌ ବ୍ଲଗର୍‌ମାନେ ଓଡ଼ିଶାର ଏହି ପରମ୍ପରା ଓ ପାରମ୍ପରିକ ଖାଦ୍ୟକୁ ରାଜ୍ୟ ତଥା ରାଜ୍ୟ ବାହାରେ ପହଞ୍ଚାଇବାକୁ ହବିଷ ଡାଲମାର ପ୍ରସ୍ତୁତି, ଉପକାରିକାକୁ ନେଇ ବ୍ଲଗ୍‌ କରିଛନ୍ତି।

ବିନା ହଳଦୀରେ ପ୍ରସ୍ତୁତ ‘ଅଣବଘରା’ ବ୍ୟଞ୍ଜନ
ବିନା ହଳଦୀରେ ପ୍ରସ୍ତୁତ ‘ଅଣବଘରା’ ହବିଷ ଡାଲମା ଏକ ବିଶେଷ ବ୍ୟଞ୍ଜନ। ଯାହାକି ଭଜା ମୁଗଡାଲି, କଞ୍ଚା କଦଳୀ, ସାରୁ, ଓଉ ଓ ନଡ଼ିଆରେ ପ୍ରସ୍ତୁତ ହୋଇଥାଏ। ସ୍ଥାନ ବିଶେଷରେ କଞ୍ଚା ମୁଗଡାଲିରେ ଏହାକୁ କରାଯାଉ ଥିବା ବେଳେ କେହି କେହି ଏଥିରେ ପାଳୁଅ ଓ କନ୍ଦମୂଳ ଆଦି ପକାଇ ତିଆରି କରିଥାନ୍ତି। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି କୁହନ୍ତି, କାର୍ତ୍ତିକ ମାସରେ ହବିଷ ଡାଲମାର ଚାହିଦା ସର୍ବାଧିକ। ହବିଷ ଡାଲମା ସହ ଅବଢ଼ା ଖାଇବାକୁ ହବିଷିଆଳି ଓ ଶ୍ରଦ୍ଧାଳୁମାନେ ପସନ୍ଦ କରନ୍ତି। ଲିଙ୍ଗରାଜ ମନ୍ଦିର ସୁଆର ସେବାୟତ ଜଗତଜ୍ୟୋତି ଗରାବଡ଼ୁ କୁହନ୍ତି, ହବିଷ ଡାଲମାରେ ବରାଦ ଅନୁଯାୟୀ ଅଧିକ ତିଆରି ହେବା ସହ ଏଥିରେ ପାଳୁଅ ଓ କନ୍ଦମୂଳ ଆଦି ପକାଯାଇଥାଏ। ସେହିପରି ରଞ୍ଜିତ ମହାପାତ୍ର କୁହନ୍ତି ଲିଙ୍ଗରାଜ ମନ୍ଦିର ହେଉକି ଅନନ୍ତ ବାସୁଦେବ ମନ୍ଦିର, ହବିଷ ଡାଲମା ଦର ସମାନ। ହବିଷ ଡାଲମା ସମ୍ପର୍କରେ ଡ. ଚିତ୍ତରଞ୍ଜନ ବେହେରା କୁହନ୍ତି ମୁଗଡାଲି ସମସ୍ତ ଡାଲି ମଧ୍ୟରେ ଶ୍ରେଷ୍ଠ। ଏହା ମଧୁର, କଟୁ ବିପାକଯୁକ୍ତ, କଫପିତ୍ତହର ଏବଂ ସହଜରେ ହଜମ ହୋଇଥାଏ। ଏହା ମଧ୍ୟ ଶରୀରକୁ ବଳ ଓ ପୁଷ୍ଟି ପ୍ରଦାନ କରିବା ସହିତ ଆଖି ପାଇଁ ହିତକାରୀ ହୋଇଥାଏ। ଏଥିରେ ପ୍ରଚୁର ପରିମାଣର ପୁଷ୍ଟିସାର ଓ ବିବିଧ ଜୀବସାର ଥାଏ। କଞ୍ଚାକଦଳୀ ତିକ୍ତ କଷାୟ ରସଯୁକ୍ତ।

ଏହା ତୃଷ୍ଣା, ରକ୍ତଝାଡ଼ା, ପ୍ରମେହ, ରକ୍ତପିତ୍ତ ଓ ଚକ୍ଷୁ ରୋଗପାଇଁ ହିତକାରୀ। ଏଥିରେ ଶ୍ୱେତସାର, ସ୍ନେହସାର, ପୁଷ୍ଟିସାର, ବିବିଧ ଜୀବସାର ଓ ଖଣିଜଲବଣମାନ ରହିଥିବାରୁ ଏହା ଏକ ଉତ୍ତମ ଖାଦ୍ୟ। ଏହାର ନିୟମିତ ସେବନ କୋଷ୍ଠକାଠିନ୍ୟ ଦୂର କରିବା ସହିତ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆଣିଥାଏ। ଏହା ଓଜନ ବୃଦ୍ଧିରେ ସହାୟକ ହୋଇଥାଏ ଏବଂ ଶରୀରକୁ ବଳ ପ୍ରଦାନ କରେ। ଘରେ ରହି କାର୍ତ୍ତିକ ମାସ ପାଳୁଥିବା ପ୍ରଭାତୀ ମହାପାତ୍ର କୁହନ୍ତି, ସବୁଜ ପନି ପରିବାର ଦର ବୃଦ୍ଧି ପାଇଛି। ଏଭଳି ଅହେତୁକ ଦର ବୃଦ୍ଧିର ସିଧାସଳଖ ପ୍ରଭାବ ମଧ୍ୟବିତ୍ତ ଓ ଗରିବଙ୍କ ହାଣ୍ଡିଶାଳ ଉପରେ ପଡ଼ିଛି। ଦର ଅଧିକ ଥିବାରୁ ହବି‌‌ଷିଆଳିଙ୍କ ଡାଲମାକୁ ମଧ୍ୟ ପାଣିଚିଆ କରିଛି ପରିବା ଦର। ପନିପରିବାର ଦର ବୃଦ୍ଧି ହବିଷ ଡାଲମା ଉପରେ ମାଡ଼ ସଦୃଶ ହୋଇଛି। କାର୍ତ୍ତିକ ମାସରେ ଅଧିକାଂଶ ଲୋକ ଆମିଷ ଖାଉ ନଥିବାରୁ ନିରାମିଷ ତରକାରି ଓ ହବିଷ ପାଇଁ ଲୋକ ପନିପରିବା ଉପରେ ନିର୍ଭର କରି ଆସୁଛନ୍ତି। ହେଲେ ବି ହବିଷ ଡାଲମା କାର୍ତ୍ତିକ ମାସରେ ଖାଇବାର ସ୍ବତନ୍ତ୍ରତା ଥିବାରୁ ଏହା ଖାଉଛୁ।