ଭୁବନେଶ୍ବର: ‘ଅପରେସନ୍ ଅଲ୍ଆଉଟ୍’ ପରେ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବଡ଼ ନିଷ୍ପତ୍ତି ନେଇଛନ୍ତି। କ୍ୟାମ୍ପସ୍ରେ ବିପଦସଙ୍କୁଳ ଅବସ୍ଥାରେ ଥିବା କ୍ବାର୍ଟର୍ସଗୁଡ଼ିକ ମାଟିରେ ମିଶିବ। ଦୁଇରୁ ତିନି ମାସ ମଧ୍ୟରେ ଘରଗୁଡ଼ିକ ଭଙ୍ଗାଯାଇ ସେଠାରେ ନୂଆ କୋଠା ନିର୍ମାଣ କରାଯିବ। ନୂଆ କରି ନିର୍ମାଣ ହେବାକୁ ଥିବା କ୍ବାର୍ଟର୍ସଗୁଡ଼ିକ ଆଉ ଏକ ମହଲା ବିଶିଷ୍ଟ ହେବ ନାହିଁ। ବରଂ ବହୁତଳ ବିଶିଷ୍ଟ ହେବ ଏବଂ ସେଥିରେ ଫ୍ଲାଟ୍ ବ୍ୟବସ୍ଥା ରହିବ। ଆବଶ୍ୟକତା ଅନୁଯାୟୀ ୩ରୁ ୪ ମହଲା ବିଶିଷ୍ଟ କୋଠା ନିର୍ମାଣ ଦିଗରେ ପଦକ୍ଷେପ ନିଆଯିବ। ସେହିପରି ଅର୍ଦ୍ଧଭଗ୍ନ ଅବସ୍ଥାରେ ଥିବା କ୍ବାର୍ଟର୍ସଗୁଡ଼ିକୁ ମରାମତି କରାଯିବ। ଏନେଇ ଖୁବ୍ଶୀଘ୍ର ଉଚ୍ଚଶିକ୍ଷା ବିଭାଗକୁ ପ୍ରସ୍ତାବ ପଠାଯିବ ଏବଂ ଦୁଇ ମାସ ମଧ୍ୟରେ କ୍ବାର୍ଟର୍ସର ମରାମତି ଶେଷ କରି ଯେଉଁ କର୍ମଚାରୀମାନେ କ୍ବାର୍ଟର୍ସ ପାଇନାହାନ୍ତି ସେମାନଙ୍କୁ ଯୋଗାଇ ଦିଆଯିବ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି।
କର୍ମଚାରୀଙ୍କ ପାଇଁ ହେବ ଫ୍ଲାଟ୍
ହଷ୍ଟେଲ ଓ କ୍ବାର୍ଟର୍ସ ଜଗିବାକୁ ଗଠନ ହେବ ଟାସ୍କଫୋର୍ସ
କ୍ୟାମ୍ପସରୁ ତିନିଟି ବସ୍ତି ହଟାଇବା ବଡ଼ ଆହ୍ବାନ
କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟଙ୍କ ନେତୃତ୍ବରେ ଛାତ୍ରାବାସରୁ ଅଣଛାତ୍ର ଓ କ୍ବାର୍ଟର୍ସଗୁଡ଼ିକରୁ ଜବରଦଖଲ ହଟିବା ପରେ ତାହାର ସୁରକ୍ଷା ଦିଗରେ ପଦକ୍ଷେପ ନିଆଯାଇଛି। ହଷ୍ଟେଲ ଓ କ୍ବାର୍ଟର୍ସଗୁଡ଼ିକ ପୁଣିଥରେ ଯେପରି ଅସାମାଜିକଙ୍କ କବ୍ଜାକୁ ଚାଲି ନଯାଏ ସେଥିପାଇଁ ଦୁଇଟି ଟାସ୍କ ଫୋର୍ସ ଗଠନ କରାଯିବ। ଯେଉଁଥିରେ ବିଶ୍ବବିଦ୍ୟାଳୟ ପ୍ରଫେସର ଓ କର୍ମଚାରୀମାନେ ରହିବେ। ଗୋଟିଏ ଟାସ୍କ ଫୋର୍ସ ହଷ୍ଟେଲ ଓ ଅନ୍ୟାଟି କ୍ବାଟର୍ସଗୁଡ଼ିକର ମନିଟରିଂ କରିବେ। ଟାସ୍କ ଫୋର୍ସର ସଦସ୍ୟମାନେ ପ୍ରତି ସପ୍ତାହରେ ଥରେ କିମ୍ବା ଦୁଇଥର ଚଢ଼ଉ କରି ଯାଞ୍ଚ କରିବେ। ଯଦି କୌଣସି ସ୍ଥାନରେ ବାହାର ଲୋକ ପ୍ରବେଶ କରିଥିବା ନଜରକୁ ଆସନ୍ତି ତାହା ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଅନ୍ୟପକ୍ଷରେ ଗତକାଲି ଖାଲି ହୋଇଥିବା ୪୦ଟି କ୍ବାର୍ଟର୍ସକୁ ବିଶ୍ବବିଦ୍ୟାଳୟ ନିଜ ଅକ୍ତିଆରକୁ ନେଇଛନ୍ତି। କ୍ବାର୍ଟର୍ସକୁ ସଂଯୋଗ ହୋଇଥିବା ଲାଇନ୍ ଓ ପାଣି କାଟି ଦିଆଯାଇଛି। ଏବେ ତାଲା ପକାଇ ସେଗୁଡ଼ିକୁ ରଖାଯାଇଛି। ବାକି ଯେଉଁମାନେ ରହିଛନ୍ତି ସେମାନଙ୍କ ମଧ୍ୟରୁ କେତେକ ଆଜି ଘର ଛାଡ଼ି ଚାଲିଯାଇଛନ୍ତି। ବାକି ଯେଉଁମାନେ ଅଛନ୍ତି ସେମାନଙ୍କୁ ପର୍ଯ୍ୟାୟକ୍ରମେ ବାହାର କରାଯିବ। କେବଳ ସେତିକି ନୁହେଁ, ବିଶ୍ବବିଦ୍ୟାଳୟ ଭିତରେ ଗଢ଼ି ଉଠିଥିବା ୩ଟି ବସ୍ତି ହଟାଇବା ଏବେ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ଯେଉଁମାନେ କ୍ୟାମ୍ପସ୍ ଭିତରେ ବେଆଇନ ଭାବେ ଘର କରିଛନ୍ତି ସେମାନଙ୍କୁ ବିଏମ୍ସି ପକ୍ଷରୁ ପଟ୍ଟା ପ୍ରଦାନ କରାଯାଇଛି। ଜାଗା ମିସନରେ ବିଏମ୍ସି କିଭଳି ଜମି ପଟ୍ଟା ପ୍ରଦାନ କଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ତିନିଟି ଯାକ ବସ୍ତିକୁ ହଟାଇବା ସହ କ୍ୟାମ୍ପସ୍କୁ ବସ୍ତିମୁକ୍ତ କରିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବିଏମ୍ସିକୁ କହିଛନ୍ତି। କେଉଁ ବସ୍ତିରେ କେତେ ଘର ରହିଛି ତାହା ଚିହ୍ନଟ କରିବା ସହ ଉଚ୍ଛେଦ କରିବାକୁ ବିଏମ୍ସିକୁ ଅନୁରୋଧ କରାଯାଇଛି।
କ୍ୟାମ୍ପସ୍ ବସ୍ତିରେ ନିଶା ବଜାର
ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍ରେ ନିଶା କାରବାର ବନ୍ଦ ନେଇ ଯେତେ ଚେଷ୍ଟା କଲେ ମଧ୍ୟ ଏହା ଉପରେ ଅଂକୁଶ ଲଗାଇବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। କାରଣ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ରେ ଥିବା ବସ୍ତି ନିଶା ଦ୍ରବ୍ୟର ବଜାର ପାଲଟିଛି। ଡ୍ରଗ୍ସଠାରୁ ଆରମ୍ଭ କରି ଗଞ୍ଜେଇ, ଚୋରାମଦ ସବୁ ଲୁଚାଛପାରେ ବିକ୍ରି ହେଉଛି। ନିଶାଡ଼ିଙ୍କୁ ତ ଏ ଠିକଣା ଅଛପା ନାହିଁ। ଏହାବ୍ୟତୀତ ଅନେକ ସମୟରେ ପୁଲିସ କ୍ୟାମ୍ପସ୍ ବସ୍ତିରେ ଚଢ଼ଉ କରି ନିଶା ମାଫିଆଙ୍କୁ କାବୁ କରିଛି। ଯେତେ ଚଢ଼ଉ କି ଗିରଫ କଲେ ସେଠାରୁ ନିଶା ବ୍ୟବସାୟ ମୂଳପୋଛ କରିବା କାଠିକର ପାଠ ହୋଇଛି।
ସୁହାଉଛି ଢିଲା ସିକ୍ୟୁରିଟି ଓ ଅନ୍ଧାର
ସନ୍ଧ୍ୟା ହେଲେ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍କୁ ଘୋଟି ଆସୁଛି ଅନ୍ଧାର। ପ୍ରବେଶପଥରୁ ଭିତର ରାସ୍ତା ପର୍ଯ୍ୟନ୍ତ, ସବୁଠି ଲାଇଟ୍ ଖରାପ ହୋଇପଡ଼ିଛି। ଛାତ୍ରଛାତ୍ରୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ତାହାର ମରାମତି ହେଉ ନଥିଲା କି ନୂଆ ଲାଗି ନ ଥିଲା। ଫଳରେ ଅନ୍ଧାରର ସୁଯୋଗ ନେଇ ନିଶାଡ଼ି କ୍ୟାମ୍ପସ୍ରେ ପଶୁଛନ୍ତି। ବିସ୍ତୀର୍ଣ୍ଣ ପଡ଼ିଆ ସାଙ୍ଗକୁ ଜଙ୍ଗଲ ଅଞ୍ଚଳ ପାଇ ସେଠାରେ ଆସର ଜମାଉଛନ୍ତି। ନିଶା ଚଢ଼ିବା ପରେ ଯାହାକୁ ପାରି ତାକୁ ଗାଳିମନ୍ଦ କରୁଛନ୍ତି। କାଚ ବୋତଲ ଭାଙ୍ଗି ଆତଙ୍କ ଖେଳାଉଛନ୍ତି। ସବୁଠୁ ବଡ଼କଥା ହେଲା କ୍ୟାମ୍ପସ୍ରେ ଥିବା ସିକ୍ୟୁରିଟି ସବୁ ଜାଣିଲେ ମଧ୍ୟ ଏହି ସମୟରେ ସେମାନଙ୍କ ନିକଟକୁ ଯିବାକୁ ଭୟ କରୁଛନ୍ତି। ସେହିପରି ପୁଲିସ ପାଟ୍ରୋଲିଂ ମଧ୍ୟ କଡ଼ାକଡ଼ି କରାଯାଉ ନାହିଁ, ଯାହାକି ନିଶାଡ଼ିଙ୍କୁ ବେଶ୍ ସୁହାଉଥିବା ଅଭିଯୋଗ ହୋଇଛି।