ରାତି ଅଧରେ ସ୍କୁଲ କୋଠାରେ ଚଢ଼ିଲା ବୁଲ୍‌ଡୋଜର୍‌, ମାଟିରେ ମିଶିଲା ସାଇ ସରସ୍ବତୀ ବିଦ୍ୟା ମନ୍ଦିର

ଭୁବନେଶ୍ବର : ରାତି ଅଧରେ ସ୍କୁଲ କୋଠାରେ ଚଢ଼ାଇ ଦିଆଯାଇଛି ବୁଲ୍‌ଡୋଜର୍‌। ଲକ୍ଷ୍ମୀସାଗର ଚିନ୍ତାମଣିଶ୍ବର ସାଇ ସରସ୍ବତୀ ବିଦ୍ୟାମନ୍ଦିରର ପୂରା କୋଠାକୁ ମାଟିରେ ମିଶାଇ ଦିଆଯାଇଛି। ସ୍କୁଲର କମ୍ପ୍ୟୁଟର, ଆସବାବପତ୍ର, ପାଠ୍ୟପୋକରଣ ଓ ଅନ୍ୟାନ୍ୟ ‌ରେକର୍ଡପତ୍ର ସବୁ ନଷ୍ଟ ହୋଇଯାଇଛି। ଗତକାଲି ରାତିରେ ଘଟିଥିବା ଏହି ଅଭାବନୀୟ ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଗଭୀର ଆଲୋଡନ ସୃଷ୍ଟି କରିଛି। ଛାତ୍ରଛାତ୍ରୀ, ଅଭିଭାବକ ଓ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବି‌ଶେଷକରି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଭଡ଼ାଘରେ ଚାଲୁଥିବା ଏହି ବିଦ୍ୟାଳୟର ପରିଚାଳନା କମିଟି ଓ ଘର ମାଲିକଙ୍କ ମଧ୍ୟରେ ଥିବା ଦୀର୍ଘ ଦିନର ବିବାଦରୁ ଏଭଳି ଘଟିଛି ବୋଲି ସନ୍ଦେହ କରାଯାଉଛି। ସ୍କୁଲ ସମ୍ପାଦିକା ଲକ୍ଷ୍ମୀ ପାଣିଗ୍ରାହୀ ଘର ମାଲିକଙ୍କ ନାଁରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ପାଦିକା ଶ୍ରୀମତି ପାଣିଗ୍ରାହୀଙ୍କ ଅଭିଯୋଗ ଅନୁସାରେ ଘର ମାଲିକ ଏହି ଜମି ବିକ୍ରି କରିବା ପାଇଁ ତାଙ୍କ ସ୍ବାମୀଙ୍କ ଠାରୁ ୨୦୧୦ ମସିହାରେ ୧୫ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଏବେ ଜମି ବିକିବାକୁ ମନା କରୁଛନ୍ତି ଓ ନେଇଥିବା ଟଙ୍କା ଫେରାଇବା ନାଁ ଧରୁନାହାନ୍ତି। କିନ୍ତୁ ଘର ଛାଡ଼ିବାକୁ ବାରମ୍ବାର ଧମକ ଦେଇ ଆସୁଛନ୍ତି। ଦୁଇ ମାସ ତଳେ ଘର ଛାଡିବା ପାଇଁ କହିଥିଲେ। ନବମ, ଦଶମ ଶ୍ରେଣୀ ପିଲାଙ୍କ ପାଠ ପଢା ଅଧାରେ ଥିବାରୁ ସେ ଆଉ କିଛି ଦିନ ସମୟ ମାଗିଥିଲେ। ହେଲେ ଅତର୍କିତ ଭାବରେ ରାତିରେ ଆସି ସ୍କୁଲ ଘର ଭାଙ୍ଗି ଦେଇଛନ୍ତି। ଫଳରେ ବିଦ୍ୟାଳୟର ପାଖାପାଖି ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ୪ଟି କମ୍ପ୍ୟୁଟର, ବହୁ ଆସବାବପତ୍ର, ‌ପାଠ୍ୟପୋକରଣ ନଷ୍ଟ ହୋଇଛି। ଏହା ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳିବା ସଦୃଶ ହୋଇଛି। ୨୬ ତାରିଖରୁ ଦଶମ ଶ୍ରେଣୀ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ପିଲା ଏବେ କେଉଁଠି ପଢ଼ି‌ବେ ବୋଲି ସେ ପ୍ରଶ୍ନ କରିଛନ୍ତି। କିନ୍ତୁ ଘର ମାଲିକ ବିନୋଦ ମହାନ୍ତି ଘର ଭାଙ୍ଗିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସେ ବାହାରେ ଘର ଭଡ଼ା ନେଇ ରହୁଛନ୍ତି। ତେଣୁ ରାତିରେ କିଏ ଏହି କାଣ୍ଡ କରିଛି, ସେ ମୋଟେ ଜାଣିନାହାନ୍ତି। କିନ୍ତୁ ୨ ବର୍ଷ ହେଲା ଘର ଛାଡ଼ିବାକୁ କହି କହି ସେ ହତାଶ ହୋଇପଡ଼ିଥିବା ପାଲଟା ଅଭିଯୋଗ କରିଛନ୍ତି।

ଏନେଇ ଅଭିଭାବକମାନେ ପ୍ରତିକ୍ରିୟାରେ କହିଛନ୍ତି ଯେ ୧୭ ବର୍ଷର ଏହି ସ୍କୁଲକୁ ଏମିତି ରାତିଅଧିଆ ଭାଙ୍ଗିଦେବା ବଡ଼ ଅମଣିଷପଣିଆ। ଘର ମାଲିକ ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳିଛନ୍ତି। ତେଣୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ସୂଚନାଯୋଗ୍ୟ ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପ୍ରାୟ ୩ ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରିଥାନ୍ତି।

ସମ୍ବନ୍ଧିତ ଖବର