ଭୁବନେଶ୍ବର: ଯାଜପୁର ଜିଲ୍ଲା ଧର୍ମଶାଳାର ପ୍ରିୟଦର୍ଶିନୀ ସାହୁ ମାଟ୍ରିକ୍‌(ଦଶମ ଶ୍ରେଣୀ)ରେ ଭଲ ନମ୍ବର ରଖି ନିଜ ଅଞ୍ଚଳ ପାଇଁ ଗୌରବ ଆଣି ଉଚ୍ଚଶିକ୍ଷା ପାଇଁ ଆଗ୍ରହରେ ଭୁବନେଶ୍ବର ଆସିଥିଲେ। ଯୁକ୍ତ୨ ପଢ଼ିବାକୁ ‌ପ୍ରଥମ ‌ପସନ୍ଦ ଭାବେ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)କୁ ଚୟନ କରିଥିଲେ। ପ୍ରଥମ ପର୍ଯ୍ୟାୟ ଚୟନ ତାଲିକାରେ ମଧ୍ୟ ତାଙ୍କ ନାଁ ଆସିଥିଲା। ସେ ଯୁକ୍ତ୨ ବିଜ୍ଞାନ ବିଭାଗରେ ନାମ ଲେଖାଇଥିଲେ। ହେଲେ ଏବେ ଭୁବନେଶ୍ବରରେ ରହି ଉଚ୍ଚଶିକ୍ଷା କରିବାର ସ୍ବପ୍ନ ତାଙ୍କର ମଉଳି ଯାଇଛି। କଲେଜରେ ପଢ଼ିବାକୁ ସିଟ୍‌ ମିଳିଥିଲେ ମଧ୍ୟ ରହିବାକୁ ହ‌ଷ୍ଟେଲ୍‌ ନ ମିଳିବାରୁ ୩ ଦିନ ତଳେ ବିଜେବି କଲେଜରେ ନାଁ ଲେଖାଇଥିବା ପ୍ରିୟଦର୍ଶିନୀ ଆଜି ଟିସି ନେଇ ପୁଣି ଧର୍ମଶାଳା ଫେରି ଯାଇଛନ୍ତି। ରାୟଗଡ଼ାର ଦେବାଂଶୁ ସାମଲ ମଧ୍ୟ ବିଜେବିରେ କଳା ବିଭାଗରେ ପଢ଼ିବାକୁ ଚୟନ ହୋଇଥିଲେ। ନାମଲେଖା ପାଇଁ ନିଜ ଜିନିଷପତ୍ର ଧରି ଭୁବନେଶ୍ବରରେ ଥିବା ସମ୍ପର୍କିୟଙ୍କ ଘରକୁ ଆସିଥିଲେ। ଏଠି ହଷ୍ଟେଲରେ ରହି ପଢ଼ିବା ସହିତ କୋଚିଂ ନେବେ ବୋଲି ମନସ୍ଥ କରିଥିଲେ। ମାତ୍ର ବିଜେବି ଭଳି ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନରେ ତାଙ୍କୁ ରହିବାକୁ ହଷ୍ଟେଲ ମିଳିଲା ନାହିଁ। ସବୁଆଡ଼ୁ ନିରାଶ ହେବା ପରେ ସେ ଆଜି ଟିସି ନେଇ ଘରକୁ ‌ଫେରି ଯାଇଛନ୍ତି। କେ‌ବଳ ପ୍ରିୟଦର୍ଶିନୀ କି ‌ଦେବାଂଶୁ ନୁହନ୍ତି, ଆଜି ଗୋଟିଏ ଦିନ‌ରେ କେବଳ ବିଜେବି କଲେଜରୁ ୪ଜଣ ମେଧାବୀ ବିଦ୍ୟାର୍ଥୀ ଟିସି ନେଇଥିବା ଜଣାପଡ଼ିଛି। ରାଜଧାନୀର ବଡ଼ କଲେଜରେ ପଢ଼ି ନିଜ ଭବିଷ୍ୟତ ଗଢ଼ିବାର ସ୍ବପ୍ନକୁ ଲଗେଜ୍‌ରେ ବା‌ନ୍ଧି ସେମାନେ ନିଜ ନିଜ ଜିଲ୍ଲାକୁ ଫେରି ଯାଇଛନ୍ତି। ଏ ହେଉଛି ଆଜି ଗୋଟିଏ ଦିନର ହିସାବ, ସପ୍ତାହ ବା ମାସକ ପରେ ଏ ସଂଖ୍ୟା କେତେ ହେବ, ଅନୁମାନ କରାଯାଇପାରେ!

Advertisment

ଏବେ ନାମଲେଖା ଋତୁ ଚାଲିଥିବାରୁ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ମେଧାବୀ ଛାତ୍ରଛାତ୍ରୀ ଅନେକ ସ୍ବପ୍ନ ନେଇ ଭୁବନେଶ୍ବରକୁ ପଢ଼ିବାଲାଗି ଆସୁଛନ୍ତି। ଭଲ ମାର୍କ ରହିଥିବାରୁ ବିଜେବି, ରମାଦେବୀ, ବେସିକ୍‌ ସାଇନ୍ସ, ମହର୍ଷି ଓ ରାଜଧାନୀ ପରି କଲେଜରେ ସେମାନଙ୍କୁ ସିଟ୍‌ ମିଳି ଯାଉଛି। ‌ହେଲେ ବିଡ଼ମ୍ବନାର କଥା, ରହିବା ପାଇଁ ହଷ୍ଟେଲ୍‌ ମିଳୁନାହିଁ। ହାତଗଣତି ଯୁକ୍ତ୨ କଲେଜକୁ ଛାଡ଼ି ଦେଲେ ଅନ୍ୟ ସବୁଠି ହଷ୍ଟେଲ ସୁବିଧା ନାହିଁ। ଯେଉଁଠି ଅଛି, ସେଠାରେ ସମସ୍ତଙ୍କୁ ଥଇଥାନ କରିବା ସମ୍ଭବପର ହେଉନାହିଁ। ମାର୍କ ଅନୁଯାୟୀ ହଷ୍ଟେଲ ସୁବିଧା ଯୋଗାଇ ଦିଆଯାଉଥିବାରୁ ରାଜ୍ୟର ଉପାନ୍ତ, ଆଭ୍ୟନ୍ତରୀଣ ଅଞ୍ଚଳରୁ ଆସୁଥିବା ଅନେକ ‌ମେଧାବୀଙ୍କୁ ହଟହଟା ହେବାକୁ ପଡ଼ୁଛି। କିଛି ମେସ୍‌ ଅଛି ଅବଶ୍ୟ, କିନ୍ତୁ ଅଳ୍ପ ବୟସର ଛାତ୍ରଛାତ୍ରୀଙ୍କୁ ବାହାର ମେସ୍‌ରେ ରଖିବା ଅଭିଭାବକ ନିରାପଦ ମଣୁନାହାନ୍ତି। ପୁଣି ସେଠାକାର ଖର୍ଚ୍ଚ ବହନ କରିବା ମଧ୍ୟ ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ।

ବିଜେବି କଲେଜରେ ଯୁକ୍ତ୨ ପ୍ରଥମ ବର୍ଷର ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର ସିଟ୍‌ ୧୪୪୦ ହୋଇଥିବା ବେଳେ ହଷ୍ଟେଲ୍‌ ସିଟ୍‌ ସଂଖ୍ୟା ମାତ୍ର ୮୦। ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ୪୦ଟି ଲେଖାଏ ହଷ୍ଟେଲ ସିଟ୍‌ ରହିଛି ବୋଲି କଲେଜ ଅଧ୍ୟକ୍ଷ ରଞ୍ଜନ କୁମାର ବଳ କହିଛନ୍ତି। ଶ୍ରୀ ବଳଙ୍କ ସୂଚନା ଅନୁସାରେ, ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରଙ୍କ ପାଇଁ ୨୦, କଳା ବିଭାଗ ପାଇଁ ୧୨ ଓ ବାଣିଜ୍ୟ ପାଇଁ ୮ଟି ସିଟ୍‌ ରହିଛି। ମେରିଟ୍‌ ଲିଷ୍ଟ୍‌ ଅନୁସାରେ ନାମଲେଖା ହେଉଥିବାରୁ ପ୍ରଥମ ଦିନରେ ୧୨୦ ରାଙ୍କ ପର୍ଯ୍ୟନ୍ତ ଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ହୋଇଥିଲା। ଆଉ ସେହିଦିନ ହିଁ ହ‌ଷ୍ଟେଲ୍‌ର ୮୦ ସିଟ୍‌ ଭର୍ତ୍ତି ହୋଇଯାଇଛି। ପରେ ଆସିଥିବା ଛାତ୍ରଛାତ୍ରୀଙ୍କର ସିଟ୍‌ ଆବଶ୍ୟକ ଥିଲେ ମଧ୍ୟ ଦିଆଯାଇ ପାରିନାହିଁ। ସେହିପରି ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଭୟ ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରୀଙ୍କ ଲାଗି ୧୦୦ ଲେଖାଏଁ ହଷ୍ଟେଲ ସିଟ୍‌ ରହିଛି। କିନ୍ତୁ କଲେଜର ସିଟ୍‌ ସଂଖ୍ୟା ୨୫୦୦ରୁ ଅଧିକ। ତେଣୁ ୨୦୦ ସିଟ୍‌ ସମୁଦ୍ରକୁ ଶଙ୍ଖେ ଭଳି। ରାଜଧାନୀ କଲେଜରେ କେବଳ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ହ‌‌ଷ୍ଟେଲ ବ୍ୟବସ୍ଥା ଅଛି। ତାହା ପୁଣି ମାତ୍ର ୧୦ଟି ଲେଖାଏଁ। ମହର୍ଷି, ଦେବରାୟ କଲେଜରେ ହଷ୍ଟେଲ ସୁବିଧା ମୂଳରୁ ନାହିଁ। ସେଥିପାଇଁ କ୍ୟାମ୍ପସ୍‌ରେ ରହିବା ଓ ସୁରକ୍ଷା ବ୍ୟବସ୍ଥା ରହୁଥିବା ଘରୋଇ କଲେଜକୁ ଅଭିଭାବକ ପ୍ରାଥମିକତା ଦେଉଛନ୍ତି। କିନ୍ତୁ ଏହା ଆଦୌ ଭଲ ଲକ୍ଷଣ ବା ପରଂପରା ନୁହେଁ ବୋଲି ଅଧିକାଂଶ ଅଭିଜ୍ଞ ଶିକ୍ଷାବିତ୍‌ ଏକମତ ହୁଅନ୍ତି।