ଭୁବନେଶ୍ବର: ଆଜି ଅକ୍ଷୟ ତୃତୀୟାରେ ରାଜଧାନୀର ସୁନା ଦୋକାନଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସକାଳ ୯ଟାରୁ ଷ୍ଟୋର୍ଗୁଡ଼ିକ ଖୋଲିବା ସହ ଗ୍ରାହକଙ୍କ ଆଗମନ ଆରମ୍ଭ ହୋଇଥିଲା। ମଧ୍ୟାହ୍ନରେ ପ୍ରବଳ ଗରମ କାରଣରୁ ଭିଡ଼ ସାମାନ୍ୟ କମିଥିଲେ ମଧ୍ୟ ସନ୍ଧ୍ୟାରେ ପ୍ରବଳ ଭିଡ଼ ହୋଇଥିଲା। ଭିଡ଼ ଏତେ ଅଧିକ ଥିଲା ଯେ ଲୋକମାନଙ୍କୁ ଗହଣା ଦେଖାଇବା ଲାଗି ଷ୍ଟାଫ୍ମାନେ ନୟାନ୍ତ ହୋଇପଡ଼ିଥିଲେ। ଆଗୁଆ ସୁନା କିଣିବା ଲାଗି ଗ୍ରାହକମାନଙ୍କ ଭିତରେ ଯେଭଳି ଏକ ପ୍ରତିଯୋଗିତା ଚାଲିଥିଲା। କିଏ ଚେନ୍ ଦେଖାଅ କହୁଥିଲେ ତ’ ଅନ୍ୟ କେହି ମୁଦି ଓ କାନଫୁଲ ମାଗୁଥିଲେ। ସମସ୍ତଙ୍କୁ ସେମାନଙ୍କ ପସନ୍ଦର ଅଳଙ୍କାର ଦେବା ଲାଗି ଷ୍ଟାଫ୍ମାନେ ଯଥାସମ୍ଭବ ଉଦ୍ୟମ ଜାରି ରଖିଥିଲେ। ସୁନା ପାଇଁ ଚାହିଦା ଏତେ ଅଧିକ ରହିଥିଲା ଯେ ଆଜି ଗୋଟିଏ ଦିନରେ ରାଜଧାନୀରେ ପ୍ରାୟ ୮୦ କୋଟି ଟଙ୍କାର ସୁନା ବେପାର ହୋଇଥିବା ଆକଳନ କରାଯାଉଛି। ସହରରେ ପାଖାପାଖି ଦେଢ଼ କ୍ବିଣ୍ଟାଲ୍ ସୁନା ବିକ୍ରି ହୋଇଛି।
ଆଜି ଜନପଥଠାରୁ ଆରମ୍ଭ କରି ସହରର ଅନ୍ୟ ପ୍ରମୁଖ ସ୍ଥାନରେ ଥିବା ଗହଣା ସୋ’ ରୁମ୍ଗୁଡ଼ିକରେ ଭିଡ଼ ରହିଥିଲା। ତିନିବର୍ଷ ପରେ ଅକ୍ଷୟ ତୃତୀୟାରେ ବେପାର ସମ୍ଭବ ହୋଇଥିବାରୁ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ଲାଗି ଦୋକାନୀମାନେ ଯେଉଁ ମନଲୋଭା ଅଫର୍ ଘୋଷଣା କରିଥିଲେ, ତାହା ଗ୍ରାହକଙ୍କୁ ଷ୍ଟୋର୍ ପର୍ଯ୍ୟନ୍ତ ଟାଣି ଆଣିବାରେ ସଫଳ ହୋଇଥିଲା। ଗ୍ରାହକଙ୍କୁ ସ୍ବତନ୍ତ୍ର ଅନୁଭୂତି ପ୍ରଦାନ କରିବା ଲାଗି ସୋ’ରୁମ୍ଗୁଡ଼ିକରେ ଆକର୍ଷଣୀୟ ସାଜସଜ୍ଜା ହୋଇଥିଲା। ଭିଡ଼କୁ ପରିଚାଳନା କରିବା ଲାଗି ମଧ୍ୟ ଷ୍ଟୋର୍ଗୁଡ଼ିକ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲେ।
ଅକ୍ଷୟ ତୃତୀୟା ଭଳି ପବିତ୍ର ଦିନରେ ସୁନା କିଣିଲେ ଶୁଭ ହୋଇଥାଏ ବୋଲି ଲୋକଙ୍କ ବିଶ୍ବାସ ରହିଛି। ସେହି ବିଶ୍ବାସକୁ ଆଧାର କରି ସୁନା ଦୋକାନୀମାନେ ଗ୍ରାହକମାନଙ୍କ ଲାଗି ପ୍ରସ୍ତୁତ କରିଥିଲେ ମନଲୋଭା ଅଫର୍। ଗଢ଼ା ମୂଲ୍ୟ ଉପରେ ରିହାତିଠାରୁ ଆରମ୍ଭ କରି ସୁନା ଓ ରୁପା କଏନ ଉପହାର ଭଳି ଅଫର ଘୋଷଣା କରାଯାଇଥିଲା। ଜାତୀୟସ୍ତରର ସୋ’ରୁମ୍ଗୁଡ଼ିକ ସହ ତାଳ ଦେଇ ରାଜ୍ୟର ବଡ଼ ସୋ’ରୁମ୍ଗୁଡ଼ିକ ମଧ୍ୟ ଗ୍ରାହକଙ୍କୁ ନିଜ ଅଳଙ୍କାର ସମ୍ଭାର ଜରିଆରେ ଖୁସି କରିବା ଲାଗି ଉଦ୍ୟମ କରିଥିଲେ। ପ୍ରମୁଖ ଗହଣା ପ୍ରତିଷ୍ଠାନଗୁଡ଼ିକ କିଛି ଦିନ ପୂର୍ବରୁ ସ୍ବତନ୍ତ୍ର ସମ୍ଭାର ଉନ୍ମୋଚନ କରିବା ସହ ସେଗୁଡ଼ିକର ବ୍ୟାପକ ପ୍ରଚାର କରିଥିଲେ। ଜଣେ ଗହଣା ବ୍ୟବସାୟୀଙ୍କ କହିବାନୁଯାୟୀ, ଆଜି ଷ୍ଟୋର୍କୁ ଆସିଥିବା ଗ୍ରାହକମାନେ ବିବାହ କାର୍ଯ୍ୟ ପାଇଁ ଅଧିକ କିଣାକିଣି କରିଛନ୍ତି। ସେଥିପାଇଁ ସୁନାଚେନ୍, ନେକଲେସ୍, ମୁଦି, ଇୟରରିଙ୍ଗ୍ ଓ ହାତ ମୁଦି ଅଧିକ ବିକ୍ରି ହୋଇଛି। କେବଳ ସୁନା ନୁହେଁ, ହୀରା ଓ ରୁପାର ଅଳଙ୍କାର ମଧ୍ୟ ଉଲ୍ଲେଖନୀୟ ଭାବେ ବିକ୍ରି ହୋଇଛି। ରୁପାରେ ପାଉଁଜି, ଚେନ୍, ମୁଦି ଆଦି ଅଧିକ ବିକ୍ରି ହୋଇଛି। କିଛି ଗ୍ରାହକ ସୁନା ଓ ରୁପା କଏନ୍ ମଧ୍ୟ କିଣିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/da465da4g56gd465gdgdgd.jpg)