ହେ ଚକାନୟନ…

ବାପା ଜନ୍ମାଇଥିଲେ ସଙ୍ଗୀତ ପ୍ରତି ଆଗ୍ରହ

ଶାନ୍ତିଲତାଙ୍କ ବାପା ବାସୁଦେବ ବାରିକ ଜଗନ୍ନାଥଙ୍କର ବଡ଼ ଭକ୍ତ ଥିଲେ। ସେ ଚାହୁଥିଲେ ଝିଅ ଶାନ୍ତିଲତା ଜଗନ୍ନାଥଙ୍କୁ ଚିହ୍ନୁ ଓ ଜଗନ୍ନାଥଙ୍କ ଗୀତ ଗାଉ। ଏଣୁ ପିଲା ଦିନୁ ହିଁ ସେ ଶାନ୍ତିଲତାଙ୍କୁ ସେମିତି ବଢ଼ାଇଥିଲେ। ଅତି ପିଲାବେଳୁ ରେଡିଓ ଓ ଟିଭିରୁ ଗୀତ ଶୁଣି ଶୁଣି ଗାଇବା ଆରମ୍ଭ କରିଥିବା ଶାନ୍ତିଲତା ଏକ ସାକ୍ଷାତକାରରେ କହିଥିଲେ। ସେ କହିଥିଲେ, ସେ କଥା କହି ଶିଖିଲା ବେଳେ ଖାଲି ଜଗନ୍ନାଥ ଜଗନ୍ନାଥ ହେଉଥିଲେ। ବାପା ତାଙ୍କୁ ଶିଖେଇ ଦେଇଥିଲେ ଯେ ଏ ହେଉଛନ୍ତି ଆମ ଠାକୁର ଜଗନ୍ନାଥ। ‘ଜଗବନ୍ଧୁ ତୁମେ ବଡ଼, ତୁମେ ବଡ଼ କପଟି… ଗୀତଟିକୁ ବାପା ତାଙ୍କୁ ଶିଖାଇ ଦେଇଥିଲେ। ସେତେବେଳ ସମାଜରେ ବାହାରେ ଝିଅମାନେ ଗୀତ ଗାଇବାକୁ ଲୋକେ ପସନ୍ଦ କରୁନଥିଲେ। ବାପା ମା’ଙ୍କ ସମର୍ଥନ ଥିଲା ଓ ଯେହେତୁ ସେ ଭଜନ ଗାଉଥିଲେ, ଲୋକମାନେ ଏହାକୁ ଗ୍ରହଣ କରି ନେଉଥିଲେ। ପରେ ସେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କଠାରୁ ୧୦ମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ପୂର୍ବ ଜନ୍ମର କିଛି ସଞ୍ଚିତ ପୁଣ୍ୟ ଯୋଗୁଁ ଏ ଜନ୍ମରେ ଭଗବାନ ମୋତେ ଗାଇବାର ସୁଯୋଗ ଦେଇଛନ୍ତି ବୋଲି ଶାନ୍ତିଲତା ସବୁବେଳେ କୁହନ୍ତି।

ସସ୍ମିତା ସାହୁ

ଭୁବନେଶ୍ବର: ପିଲାଟି ବେଳୁ ‘ଜଗବନ୍ଧୁ ହେ, ତୁମେ ବଡ଼ କପଟି…’ ଗୀତକୁ ଗୁଣୁଗୁଣାଇ, ଜଗତର ନାଥ ଜଗନ୍ନାଥଙ୍କ ଆଶୀର୍ବାଦ ପାଇଛନ୍ତି ଶାନ୍ତିଲତା। ହେ ଚକାଚୟନ…, ଅଗତିର ଗତି ଦୀନ ଦୁଃଖନାଶନ… ଜଗନ୍ନାଥ ଭଜନରେ ଓଡ଼ିଶାର ଶ୍ରୋତାଗଣଙ୍କୁ ସମ୍ମୋହନ କରି ସେ ସଙ୍ଗୀତ ଜଗତରେ ନିଜ ପାଦ ମଜଭୁତ କରିଥିଲେ। ଏହା ପରେ ବହୁ ଜଗନ୍ନାଥ ଭଜନ ଗାଇ ଜଗନ୍ନାଥପ୍ରେମୀ ଓଡ଼ିଶାବାସୀଙ୍କୁ ଦୀର୍ଘ ୪ ଦଶନ୍ଧି ଧରି ନିଜ କଣ୍ଠଯାଦୁରେ ସେ ବାନ୍ଧି ରଖିଥିଲେ ଓ ନିଜେ ପାଲଟି ଯାଇଥିଲେ ସଙ୍ଗୀତ ତପୋବନର ତପସ୍ବନୀ। ବାପା ବାସୁଦେବ ବାରିକ ଓ ମା’ କମଳାଦେବୀଙ୍କ ପ୍ରେରଣା ଓ ଉତ୍ସାହ କ୍ରମେ ସଙ୍ଗୀତ ଜଗତକୁ ପାଦ ଥାପିଥିଲେ ଶାନ୍ତିଲତା। ସଙ୍ଗୀତ ସୁଧାକର ଗୁରୁ ବାଳକୃଷ୍ଣ ଦାସ, ଗୁରୁ ମାର୍କଣ୍ଡେୟ ମହାପାତ୍ର, ଗୁରୁ ସିଂହାରୀ ଶ୍ୟାମସୁନ୍ଦର କର ପ୍ରମୁଖଙ୍କ ସଙ୍ଗୀତ ଶିକ୍ଷାକୁ ପାଥେୟ କରି ସ୍ବକୀୟ ସଙ୍ଗୀତ ଗାନରେ ଓଡ଼ିଶା ସମେତ ସମଗ୍ର ଭକ୍ତି ସଙ୍ଗୀତ ଜଗତରେ ଏକକ ପ୍ରତିଷ୍ଠା ଲାଭ କରିଛନ୍ତି ଶାନ୍ତିଲତା। ଭଜନ ସମ୍ରାଟ ଭିକାରୀ ବଳଙ୍କ ପରେ ଯଦି କେଉଁ ମହିଳା ସଙ୍ଗୀତ ଶିଳ୍ପୀଙ୍କ ନାମ ଆସେ ସେ ହେଉଛନ୍ତି ଶାନ୍ତିଲତା ବାରିକ ଛୋଟରାୟ।

ସବୁବେଳେ ଗୀତ ଗାଉଥିବାରୁ ସ୍କୁଲରେ ଡାକୁଥିଲେ ‘କୋଇଲି’
ଶାନ୍ତିଲତା ନିମାପଡ଼ାର ବକ୍ସି ଜଗବନ୍ଧୁ ଜବାହରଲାଲ୍ ବାଳିକା ବିଦ୍ୟାଳୟରେ ପାଠ ପଢ଼ୁଥିଲେ। ଗାଁ ସ୍କୁଲରେ ୫ମ ଯାଏ ପାଠ ପଢ଼ିବାରେ ପରେ ୬ଷ୍ଠରୁ ଏହି ସ୍କୁଲରେ ନାମ ଲେଖାଇଥିଲେ। ବାପା ବାସୁଦେବ ବାରିକ, ଶାନ୍ତିଲତାଙ୍କ ଗୀତ ଗାଇବା ପାଇଁ ଅତ୍ୟନ୍ତ ଆଗ୍ରହୀ ଥିବା ବେଳେ ବିଦ୍ୟାଳୟର ସମସ୍ତ କାର୍ଯ୍ୟକ୍ରମରେ ତାଙ୍କୁ ଗାଇବାର ସୁଯୋଗ ଦେବାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ କହି ଯାଇଥିଲେ। ଶାନ୍ତିଲତା ମଧ୍ୟ ପାଠରେ କମ୍ ଓ ଗୀତରେ ଅଧିକ ଧ୍ୟାନ ଦେଉଥିଲେ। ସବୁବେଳେ ଗୀତ ଗାଇଥିଲେ। ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରି ଗୀତ ଗାଉଥିଲେ। ଫଳରେ ତାଙ୍କୁ ସମସ୍ତେ ସ୍କୁଲରେ ‘କୋଇଲି’ ବୋଲି ଡାକୁଥିଲେ।

ଜଗନ୍ନାଥଙ୍କ ପାଇଁ ସମର୍ପିତ ଥିଲେ ଶାନ୍ତିଲତା
କଥା କହିବା ଶିଖୁ ଶିଖୁ ଜଗନ୍ନାଥ ଜଗନ୍ନାଥ ହେଉଥିବା ଛୋଟ ଝିଅଟି ଆଗକୁ ଯାଇ ଓଡ଼ିଶାର ଜଣେ ବିଶିଷ୍ଠ ସଙ୍ଗୀତଶିଳ୍ପୀ ହେବ କିଏ ଭାବିନଥିଲେ। ସ୍ବରର ସମ୍ମୋହନରେ ଶ୍ରୋତାଙ୍କୁ ବନ୍ଦୀ କରିବାର ସାମର୍ଥ୍ୟ ରଖୁଥିବା ଶାନ୍ତି ଅନେକ ଆଧୁନିକ ଓ ପଲ୍ଲୀ ଗୀତ ପାଇଁ ସୁଯୋଗ ପାଇଥିଲେ ମଧ୍ୟ ଜଗନ୍ନାଥଙ୍କ ଭଜନକୁ ନିଜ ଜୀବନ ଓ ଲକ୍ଷ୍ୟ ଭାବେ ବାଛି ନେଇଥିଲେ। ହେ ଚକାନୟନ… ସଙ୍ଗୀତର ବିପୁଳ ସଫଳତା ପରେ ସେ ‘ଭଜି ତୋ ନାମ ଚକାନୟନ.., ‘ସବୁ ବନ୍ଧନ ମୋ ଖୋଲି ଦେଇ ପ୍ରଭୁ…, ‘ରଙ୍ଗ ମାଟିଲୋ…, ‘କାଳିଆ ମୋ ହୃଦୟ ହାର…, ‘ମିଛ ମାୟାକୁ ବାନ୍ଧିଛୁ ଶୂନ୍ୟ ଭେଳା…, ‘ଏମିତିକା ଦିଅଁ କାହିଁ କେଉଁଠି…, ‘ଅଧାଗଢ଼ା ହାତ ମୋର କେଡେ ସୁନ୍ଦର… ଆଦି ଶାନ୍ତିଲତାଙ୍କ ଲୋକପ୍ରିୟ ଭଜନ। ଗୀତ ଗାଇଲା ବେଳେ ସବୁଆଡ଼େ ତାଙ୍କୁ ଜଗନ୍ନାଥ ହିଁ ଦେଖିଯାଆନ୍ତି ବୋଲି ସେ କହୁଥିଲେ। ପ୍ରତିବର୍ଷ ରଥଯାତ୍ରାକୁ ପୁରୀକୁ ଯାଇ ଭଜନ ପରିବେଷଣ କରୁଥିଲେ। ଅନ୍ୟପଟେ ପୁରୀର ନିମାପଡ଼ାରେ ଜନ୍ମଗ୍ରହଣ କରିଥିବା ଶାନ୍ତି ପୁରୀ ଜିଲ୍ଲା ବାହାରେ ବିବାହ କରିବାକୁ ଚାହୁଁନଥିଲେ। ଜଗନ୍ନାଥଙ୍କ କୃପାରୁ ତାଙ୍କର ପୁରୀ ଜିଲ୍ଲାର ବ୍ରହ୍ମଗିରିରେ ହିଁ ବିବାହ ସୁଯୋଗ ମିଳିଛି ବୋଲି ସେ ସବୁବେଳେ କୁହନ୍ତି। ଓଡ଼ିଆ ଭଜନ ପ୍ରତି ବିଶେଷ ଅବଦାନ ପାଇଁ ଶାନ୍ତିଲତାଙ୍କୁ ମିଳିଛି ‘ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି’ ପୁରସ୍କାର।

ହେ ଚକାନୟନ.. ଅଗତିର ଗତି
ଅପୂର୍ବ ଭକ୍ତି ଭାବନା ଯୋଡ଼ି ଶାନ୍ତିଲତା ଯେଉଁ ଗୀତ ପରିବେଷଣ କରନ୍ତି ତାହା ଶ୍ରୋତାଙ୍କୁ ବିଭୋର କରେ। ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ ଶାନ୍ତିଲତା ବାରିକ। ଶାନ୍ତିଲତାଙ୍କୁ ପରିଚୟ ଦେଇଥିଲା ଭଜନ ‘ହେ ଚକାଚୟନ…’। ୧୯୭୮ ମସିହାରେ ଶାନ୍ତିଲତାଙ୍କ କଣ୍ଠରେ ରେକର୍ଡ ହୋଇଥିଲା ‘ହେ ଚକାନୟନ…’। ନଗେନ୍ଦ୍ର ମହାପାତ୍ରଙ୍କ ରଚନା ଓ ବାଳକୃଷ୍ଣ ଦାସଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଏହି ଗୀତକୁ ପ୍ରଥମେ ଶାନ୍ତିଲତା ରେଡିଓରେ ଗାଇଥିଲେ। କିନ୍ତୁ ଏହା ପୂର୍ବରୁ ପୁରୀର ଏକ ମଞ୍ଚ କାର୍ଯ୍ୟକ୍ରମରେ ଏହି ଭଜନ ପରିବେଷଣ କରିଥିଲେ ଶାନ୍ତିଲତା। ସେହି ମଞ୍ଚ କାର୍ଯ୍ୟକ୍ରମରେ ବହୁ କଣ୍ଠଶିଳ୍ପୀ ସଙ୍ଗୀତ ପରିବେଷଣ ପାଇଁ ଆସିଥିବା ବେଳେ ଛୋଟ ପିଲା ବୋଲି ଶେଷ ବେଳକୁ ରାତି ୩ଟାରେ ଯାଇ ତାଙ୍କୁ ଗୀତ ଗାଇବାର ସୁଯୋଗ ମିଳିଥିଲା। ସେଠାରେ ଉପସ୍ଥିତ ଶ୍ରୋତାମାନେ ଏହି ଗୀତ ଶୁଣି ଆତ୍ମବିଭୋର ହୋଇଥିଲେ। ଏହାର ପ୍ରାୟ ୧ରୁ ୨ ମାସ ପରେ କୋଲକାତାର ଏକ ଷ୍ଟୁଡିଓରେ ରେକର୍ଡ ହୋଇଥିଲା। ଏଥିସହ ମୋର ଆଉ ଗୋଟିଏ ଗୀତ ‘ମଲ୍ଲି ଫୁଲ ଗଜରା ମାଳ…’ ପଲ୍ଲୀ ଗୀତ ବି ରେକର୍ଡ ହୋଇଥିଲା।

ଭୟ ଥିଲେ ଜୟ ମିଳେ
ଶାନ୍ତିଲତା କହୁଥିଲେ, ଭିତରେ ଭୟ ଥିଲେ ଜୟ ମିଳେ। କୌଣସି କଥାକୁ ହେୟ ଜ୍ଞାନ ନ କରିବା ଉଚିତ। ଯେତେ ପୁରୁଣା କଣ୍ଠଶିଳ୍ପୀ ହୁଅ ଅବା ପ୍ରବୀଣ। ଏଣୁ ପ୍ରତିଦିନ ସଙ୍ଗୀତ ସାଧନା ସକାଳୁ ଉଠୁ ଉଠୁ ମୋର ପ୍ରଥମ କାମ। ମୋର ଅନୁଷ୍ଠାନ ‘ସ୍ବରତୀର୍ଥ’ ଦ୍ବାରା ମୁଁ ନବାଗତଙ୍କୁ ସଙ୍ଗୀତ ଶିକ୍ଷା ଦେବା ସହ ମୋର ସଙ୍ଗୀତ ଅଭ୍ୟାସ ବି ହୋଇଯାଏ ବୋଲି ସେ କହୁଥିଲେ। ଶେଷ ପର୍ଯ୍ୟନ୍ତ ସେଇ ସମ୍ମୋହିନୀ ସ୍ବରକୁ ସେ ନିଜ ସାଧନା ଜରିଆରେ କବଳିତ କରି ରଖିଥିଲେ।

ସମ୍ବନ୍ଧିତ ଖବର