ଖଣ୍ଡଗିରି: ଆଜି ରାତି ପ୍ରାୟ ୮ଟା ବେଳେ ଖଣ୍ଡଗିରି ଥାନା ରଘୁନାଥନଗରରେ ଏକ ଲୋମଟାଙ୍କୁରା ଘଟଣା ସମସ୍ତଙ୍କୁ ହତଚକିତ କରିଛି।। ଦୁଇଜଣ ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ଖଣ୍ଡାରେ ହାଣି ତାଙ୍କର ଗୋଟିଏ ହାତ ଛିଣ୍ଡାଇ ଦେଇଛନ୍ତି। ଜନଗହଳିପୂର୍ଣ୍ଣ ବସ୍ତି ଭିତରେ ଏଭଳି କାଣ୍ଡ ଭିଆଇବା ପରେ ସେମାନେ ମାଉଜର୍ ଦେଖାଇ ଫେରାର ହୋଇଯାଇଛନ୍ତି। ଆହତଜଣକ ହେଲେ ନୟାଗଡ଼ ଅଞ୍ଚଳର ନାରାୟଣ ପାତ୍ର। ସ୍ଥାନୀୟ ଲୋକଙ୍କ ସହାୟତାରେ ନାରାୟଣଙ୍କୁ ଏମ୍ସକୁ ନିଆଯାଇଛି। କଟା ହାତକୁ ମଧ୍ୟ ଡାକ୍ତରଖାନାକୁ ନିଆଯାଇଛି। ଘଟଣା ପରେ ବସ୍ତିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ କରାଯାଇଛି। ଖଣ୍ଡାରେ ହାଣିଥିବା ଯୁବକଙ୍କ ନାଁ ବସନ୍ତ ବେହେରା ଓ ତା’ ଘର ମଧ୍ୟ ନୟାଗଡ଼ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଖଣ୍ଡଗିରି ଥାନା ପୁଲିସ ଆହତଙ୍କ ସମ୍ପର୍କୀୟମାନଙ୍କୁ ଭେଟି ପଚରାଉଚରା ଚଳାଇଛି ଏବଂ ରଘୁନାଥନଗର ଅଞ୍ଚଳରେ ଲାଗିଥିବା ସିସିଟିଭିଗୁଡ଼ିକ ଯାଞ୍ଚ କରୁଛି। ପୁଲିସର ପ୍ରାଥମିକ ତଦନ୍ତରୁୁ ଏହି ଆକ୍ରମଣ ପୂର୍ବ ଶତ୍ରୁତାକୁ ନେଇ ଘଟିଥିବା ଜଣାପଡ଼ିଛି।
ଖବର ଅନୁସାରେ ଡମଣା ଅଞ୍ଚଳରେ ଭଡ଼ାଘରେ ରହୁଥିବା ନାରାୟଣ ରଘୁନାଥନଗରରେ ରହିବାକୁ ଆସିଥିଲେ। ମାଲବାହୀ ଅଟୋରେ ଜିନିଷପତ୍ର ଲଦି ସେ ଆଜି ରାତିରେ ରଘୁନାଥନଗରରେ ପହଞ୍ଚିଥିଲେ। ଭଡ଼ାଘର ସମ୍ମୁଖରେ ସେ ଗାଡ଼ିରୁ ଜିନିଷପତ୍ର ବାହାର କରି ଘର ଭିତରକୁ ବୋହି ନେଉଥିଲେ। ଠିକ୍ ଏତିକିବେଳେ ଏକ ବାଇକ୍ ସେଠି ପହଞ୍ଚିଥିଲା। ବାଇକ୍ରେ ହେଲ୍ମେଟ୍ ପିନ୍ଧିଥିବା ଦୁଇଜଣ ଯୁବକ ଥିଲେ। ବାଇକ୍ଟି ନାରାୟଣଙ୍କ ଜିନିଷପତ୍ର ଆଣିଥିବା ମାଲବାହୀ ଅଟୋଠାରୁ ମାତ୍ର କେଇ ଗଜ ଦୂରରେ ଅଟକିଥିଲା। ବାଇକ୍ ଚଳାଉଥିବା ଯୁବକ ସେମିତି ଗାଡ଼ି ଷ୍ଟାର୍ଟ କରି ରଖିଥିଲା ଏବଂ ପଛରେ ବସିଥିବା ବସନ୍ତ ଚାଲିଚାଲି ଅଟୋ ପାଖକୁ ଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ବସନ୍ତ ସାର୍ଟ ଭିତରେ ପିଠି ପଟେ ଲୁଚାଇ ରଖିଥିବା ଏକ ଖଣ୍ଡା ବାହାର କରିଥିଲା ଏବଂ ନାରାୟଣଙ୍କ ହାତକୁ ଲକ୍ଷ୍ୟ କରି ଶକ୍ତ ଚୋଟ ପକାଇଥିଲା। ଗୋଟିଏ ଚୋଟରେ ନାରାୟଣଙ୍କ ବାମ ହାତଟି କହୁଣୀ ତଳୁ ଛିଡ଼ିଯାଇ ରାସ୍ତାରେ ପଡ଼ିଥିଲା। ସଙ୍ଗେସଙ୍ଗେ ନାରାୟଣ ତଳେ ବସିପଡ଼ି ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ବସନ୍ତ ବାଇକ୍ ପାଖକୁ ଦୌଡ଼ିଥିଲା। ଲୋକମାନେ ବସନ୍ତକୁ କାବୁ କରିବା ପାଇଁ ଗୋଡ଼ାଇଥିଲେ। କିନ୍ତୁ ବାଇକ୍ ଷ୍ଟାର୍ଟ କରି ରଖିଥିବା ଦୁର୍ବୃତ୍ତ ସଙ୍ଗେସଙ୍ଗେ ଅଣ୍ଟାରୁ ମାଉଜର୍ ବାହାର କରି ଲୋକଙ୍କୁ ଧମକ ଦେଇଥିଲା। ‘କେହି ବି ପାଦେ ଆଗେଇଲେ, ଦାନା ଦେଇଦେବି’ ବୋଲି ଉଚ୍ଚ ଗଳାରେ କହିଥିଲା।
ଭୟରେ ଗୋଡ଼ାଉଥିବା ଲୋକେ ପଛଘୁଞ୍ଚା ଦେଇଥିଲେ। ଏହି ମଉକାରେ ବସନ୍ତକୁ ନେଇ ବାଇକ୍ ଚଳାଉଥିବା ଯୁବକ ସେଠାରୁ ଫେରାର ହୋଇଯାଇଥିଲା। ସେମାନେ ଫେରାର ହୋଇଯିବା ପରେ ଲୋକମାନେ କଟା ହାତ ସହ ନାରାୟଣଙ୍କୁ ନେଇ ଏମ୍ସରେ ଭର୍ତ୍ତି କରାଇଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ବସନ୍ତ ଓ ନାରାୟଣ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଛି। ନାରାୟଣ ପୂର୍ବରୁ ବସନ୍ତକୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ପ୍ରତିଶୋଧ ନେବାକୁ ପ୍ରତିଜ୍ଞା କରିଥିଲା ବସନ୍ତ। ତେବେ ଇତିମଧ୍ୟରେ ଅନ୍ୟ ଏକ ମାମଲାରେ ବସନ୍ତ ଜେଲ୍ ଯାଇଥିଲା ଓ ନିକଟରେ ଜେଲ୍ରୁ ଜାମିନ୍ରେ ବାହାରିଛି। ନାରାୟଣ ଡମଣାରୁ ଭଡ଼ାଘର ଛାଡ଼ି ରଘୁନାଥନଗରକୁ ଆସୁିଥିବା ଜାଣ ପ୍ରତିଶୋଧ ପରାୟଣ ବସନ୍ତ ଆଉ ବିଳମ୍ବ କରିନଥିଲା। ବସନ୍ତ ତା’ର ଆଉ ଜଣେ ସହଯୋଗୀଙ୍କ ସହ ବାଇକ୍ରେ ଆସି ନାରାୟଣକୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା।