ଚନ୍ଦ୍ରଶେଖରପୁର: ରାଜଧାନୀରେ ପୁଣି ଏକ ଆପାର୍ଟମେଣ୍ଟରୁ ଚୋରି ହୋଇଛି। ଦାମୀ ଆପାର୍ଟମେଣ୍ଟକୁ ଟାର୍ଗେଟ୍‌ କରୁଥିବା ସ୍ବତନ୍ତ୍ର ସିନ୍ଧିଚୋର ଗ୍ୟାଙ୍ଗ୍‌ ପୁଣି ଗତକାଲି ରାତିରେ କାରନାମା ଦେଖାଇଛି। ମଞ୍ଚେଶ୍ବର ଥାନା ଅଧୀନ ଗାଡ଼କଣସ୍ଥିତ ସ୍ପେସ୍ ଟାଉନ୍ ଆପାର୍ଟମେଣ୍ଟରୁ ବଡ଼ଧରଣର ଲୁଟ୍‌ ହୋଇଛି। ଗୋଟିଏ ରାତିରେ ଗୋଟିଏ ବ୍ଲକ୍‌ର ୫ଟି ଫ୍ଲାଟ୍‌ରେ କଳାକନା ବୁଲାଇଛି ଏହି ଲୁଟେରା ଗ୍ୟାଙ୍ଗ୍‌। ଟଙ୍କା ଓ ବିପୁଳ ଗହଣା ସହ ପ୍ରାୟ କୋଟିଏ ଟଙ୍କା ମୂଲ୍ୟର ସମ୍ପତ୍ତି ଲୁଟ୍‌ ହୋଇଥିବା‌ ଜଣାପଡ଼ିଛି। ଆପାର୍ଟମେଣ୍ଟ ମୁଖ୍ୟ ଫାଟକରେ ସୁରକ୍ଷାକର୍ମୀ ଜଗି ବସିଥିବା ବେଳେ ଭିତରେ ସିନ୍ଧିଚୋର ଗ୍ୟାଙ୍ଗ୍‌ କଳାକନା ବୁଲାଇ ବେଶ୍ ଆରାମ୍‌ରେ ଚମ୍ପଟ ମାରିଛନ୍ତି।

Advertisment

ଏହି ଆପାର୍ଟମେଣ୍ଟଟି ଗାଡ଼କଣ ଗହୀରକୁ ଲାଗିରହିଛି। ଭିତରେ ପ୍ରାୟ ୮ଟି ବ୍ଲକ୍‌ ରହିଛି। ସେଥିରୁ କିଛି ବ୍ଲକ୍‌ରେ ଲୋକେ ରହୁଥିବା ବେଳେ ଅନ୍ୟଗୁଡ଼ିକ ନିର୍ମାଣାଧୀନ ରହିଛି। ଚୋରି ହୋଇଥିବା ବ୍ଲକ୍‌ର ୫ଟି ଫ୍ଲାଟ୍‌ରେ କେହି ନଥିଲେ। ଗତ ଦୁଇ ତିନି ଦିନ ହେଲା ଫ୍ଲାଟ୍‌ଗୁଡ଼ିକରେ ତାଲା ପକାଇ ଘର ମାଲିକମାନେ ବାହାରକୁ ଯାଇଥିଲେ। ଏହି ମଉକାରେ ଗତକାଲି ରାତିରେ ଏସବୁ ଫ୍ଲାଟ୍‌ରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସବୁ ଘରର ତାଲା କାଟି ଭିତରେ ପଶିବା ସହ ଆଲ୍‌ମିରା ତାଡ଼ି ଟଙ୍କା ଓ ଗହଣା ଲୁଟି ନେଇଛନ୍ତି। ଆଜି ସକାଳୁ ଅନ୍ୟ ବ୍ଲକ୍‌ର ବାସିନ୍ଦାମାନେ ଏହି ଫ୍ଲାଟ୍‌ଗୁଡ଼ିକର କବାଟ ଝରକା ଖୋଲାଥିବା ଦେଖି ସନ୍ଦେହ କରିଥିଲେ। ତେଣୁ ସୁରକ୍ଷାକର୍ମୀଙ୍କୁ ନେଇ କିଛି ବାସିନ୍ଦା ଫ୍ଲାଟ୍‌ ଭିତରକୁ ଯିବା ପରେ ଚୋରି କଥା ନେଇ ନିଶ୍ଚିତ ହୋଇଥିଲେ। ତୁରନ୍ତ ମଞ୍ଚେଶ୍ବର ଥାନାକୁ ଖବର ଦିଆଯାଇଥିଲା ଏବଂ ଫୋନ୍‌ ପାଇ ଫ୍ଲାଟ୍‌ ମାଲିକ ଦେବାଶିଷ ନାୟକ ଓ ଅନ୍ୟମାନେ ପହଞ୍ଚିଥିଲେ। ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ନେଇ ଛାନ୍‌ଭିନ ଆରମ୍ଭ କରିଥିଲା। ସନ୍ଧାନୀ କୁକୁର ଫ୍ଲାଟ୍‌ର ଶିଡ଼ି ତଳକୁ ଯିବା ସହ ପଛ ପାଖ ବିଲ ଆଡ଼କୁ ଯାଇଥିଲା। ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଛି। ଚୋର ଗ୍ୟାଙ୍ଗ୍‌ ବ୍ଲକ୍‌ ଭିତରେ ଦିନରୁ ପଶିଥିଲା ବୋଲି ପୁଲିସ ଅନୁମାନ କରାଯାଉଛି।

ଦିନ ବେଳା ଆପାର୍ଟମେଣ୍ଟ ଫାଟକରେ ୩ ଜଣ ସୁରକ୍ଷାକର୍ମୀ ରହୁଥିବା ବେଳେ ରାତି ୯ଟା ପରେ ଜଣେ ରହିଥା’ନ୍ତି। ଦିନ ବେଳା ବେଶି ଲୋକଙ୍କ ଯାତାୟାତ ଲାଗିରହିଥିବାରୁ ଅଧିକ ସୁରକ୍ଷାକର୍ମୀ ରୁହନ୍ତି। ଗତକାଲି ସନ୍ଧ୍ୟା ବେଳେ କିଛି ଅଜଣା ବ୍ୟକ୍ତି ଆପାର୍ଟମଣ୍ଟକୁ ପଶିଥିବା ସିସିଟିଭି ଫୁଟେଜ୍‌ରେ ରହିଛି। ସେମାନେ ନିର୍ମାଣାଧୀନ ଫ୍ଲାଟ୍‌ର ଶ୍ରମିକ ବୋଲି ସୁରକ୍ଷାକର୍ମୀ ସେମାନଙ୍କୁ ଭିତରକୁ ଛାଡ଼ିଥିବା କୁହାଯାଉଛି। କିନ୍ତୁ ସେମାନେ ଶ୍ରମିକ ନୁହନ୍ତି ବୋଲି ଆଜି ନିମାଣାଧୀନ ବ୍ଲକ୍‌ର ଶ୍ରମିକମାନଙ୍କୁ ପଚରାଉଚରାରୁ ଜଣାପଡ଼ିଛି। ତେଣୁ ଏହି ଅଜଣା ଲୋକମାନେ ହିଁ ସିନ୍ଧିଚୋର ଗ୍ୟାଙ୍ଗ୍‌ ଏବଂ ସନ୍ଧ୍ୟା ବେଳେ ବ୍ଲକ୍‌ରେ ପଶି ରାତିରେ ଚୋରି କରିଥିବା ଜଣାପଡ଼ିଛି। ଚୋରି କରିବା ପରେ ସେମାନେ ଘରର ପଛ ଝରକା ଦେଇ ବିଲ ଭିତରେ ପଶି ପଳାଇଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ ଯେ ଗତ ମାସରେ ଇନ୍‌ଫୋସିଟି ଥାନା ରାଜବାଟିକା ଆପାର୍ଟମେଣ୍ଟରୁ ଅନୁରୂପ ଢଙ୍ଗରେ ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ୩ଟି ଫ୍ଲାଟ୍‌ରୁ ବିପୁଳ ଗହଣାଗାଣ୍ଠି ଓ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। ସେହିଭଳି ଭରତପୁର ଥାନା ଶ୍ରୀକ୍ଷେତ୍ରବିହାର ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ବି ସମାନ ଢାଞ୍ଚାରେ ଚୋରି ହୋଇଥିଲା। ଏମିତି ବାରମ୍ବାର ଘଟୁଥିଲେ ବି ଆପାର୍ଟମେଣ୍ଟକୁ ଟାର୍ଗେଟ୍‌ କରୁଥିବା ଗ୍ୟାଙ୍ଗ୍‌ର ପତ୍ତା ପାଇନି କମିସନରେଟ୍‌ ପୁଲିସ। ତେଣୁ ଏହି ଗ୍ୟାଙ୍ଗ୍‌ର ଖେଳ କମିସନରେଟ୍‌ ପୁଲିସର ନିଦ ହଜାଇଦେଇଥିବା ଚର୍ଚ୍ଚା ହେଉଛି।