ଜଟଣୀ: ଦିନ ଥିଲା ଜଟଣୀରେ ସବୁଠୁ ବଡ଼ ଓ ପୁରୁଣା ମାର୍କେଟ କହିଲେ ରେଳବାଇ ପରିବା ଓ ମତ୍ସ୍ୟ ମାର୍କେଟକୁ ଲୋକେ ଜାଣୁଥିଲେ। ସହର ତଥା ଆଖପାଖର ଲୋକେ ଏହି ମାର୍କେଟ ଉପରେ ନିର୍ଭର କରୁଥିଲେ। ଏଠାରେ ଉଭୟ ଖୁଚୁରା ଓ ହୋଲସେଲ୍ ବ୍ୟବସାୟ ହେଉଥିଲା। କିନ୍ତୁ ୨୦୨୨ ମସିହାରେ ରେଳ ପ୍ରଶାସନ ପକ୍ଷରୁ ଏଠାରେ ଓଭରବ୍ରିଜ୍ ପାଇଁ ରାସ୍ତା ନିର୍ମାଣ କରିବାକୁ ଉଭୟ ପରିବା ଓ ମାଛ ମାର୍କେଟର ଶତାଧିକ ବ୍ୟବସାୟୀଙ୍କୁ ଉଚ୍ଛେଦ କରାଗଲା। ଥଇଥାନ କରିବାକୁ ଯେଉଁ ପ୍ରତିଶ୍ରୁତି ଦିଆ ଯାଇଥିଲା, ରେଳବାଇ ତାହାକୁ ପାଳନ କଲାନାହିଁ। ଫଳରେ ଉକ୍ତ ବ୍ୟବସାୟୀମାନେ ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। କିଛି ବ୍ୟବସାୟୀ ପରିବାର ପୋଷିବା ପାଇଁ ଅନ୍ୟସ୍ଥାନରେ ଯାହିତାହି ବେପାର କରୁଛନ୍ତି ତ କେହି କେହି ବେପାର ବଦଳାଇ ଦେଲେଣି। ତେବେ ଅଧିକାଂଶ ଏବେ ବେରୋଜଗାର ହୋଇ ଘରେ ବସିଛନ୍ତି। ସମସ୍ତଙ୍କର ସ୍ଥିତି ଏବେ ବହୁତ ଖରାପ। ସେ ଓଭରବ୍ରିଜ୍ କାମ ଇତିମଧ୍ୟରେ ଶେଷ ହୋଇଗଲାଣି, ହେଲେ ଉଚ୍ଛେଦ ହୋଇଥିବା ବ୍ୟବସାୟୀଙ୍କ କଥା କେହି ଚିନ୍ତା କରୁ ନାହାନ୍ତି। ବ୍ୟବସାୟୀମାନେ ରେଳ ପ୍ରଶାସନକୁ ଅନୁରୋଧ କରି କରି ନୟାନ୍ତ ହେଲେଣି ବୋଲି କହିଛନ୍ତି।
ଏଠାରେ ରେଳ ପ୍ରଶାସନ ପକ୍ଷରୁ ପ୍ରାୟ ୫୫ଟି ଦୋକାନକୁ ବ୍ୟବସାୟ କରିବାକୁ ଅନୁମତି ଦିଆଯାଇଥିଲା। ସେଥିରେ ୧୦୦ରୁ ଅଧିକ ବ୍ୟବସାୟୀ ବେପାର କରୁଥିଲେ। ଆକାର ଅନୁସାରେ ସେମାନଙ୍କଠାରୁ ବାର୍ଷିକ ୧୦ହଜାରରୁ ଅଧିକ ଟଙ୍କା ନିଆଯାଉଥିଲା। ହେଲେ ୨୦୨୨ ମସିହାରେ ଓଭର ବ୍ରିଜ୍ ନିର୍ମାଣ ହେବା ପୂର୍ବରୁ ଏଠାରେ ବ୍ୟବସାୟୀଙ୍କୁ ଅନ୍ୟତ୍ର ଉଠିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଦୀର୍ଘ ବର୍ଷ ହେଲା ସେଠାରେ ବେପାର କରି ଆସୁଥିବା ବ୍ୟବସାୟୀମାନେ କୁଆଡ଼େ ଯିବେ ବୋଲି ପ୍ରଶ୍ନ କରିଥିଲେ। ହେଲେ ରେଳ ପ୍ରଶାସନ କିଛି ଶୁଣି ନଥିଲା। ଏହାକୁ ନେଇ ସାମାଜିକ ଅନୁଷ୍ଠାନ ଓ କିଛି ରାଜନେତା ରେଳ ପ୍ରଶାସନକୁ ଭେଟି ବ୍ୟବସାୟୀଙ୍କ ସମସ୍ୟା ଜଣାଇଥିଲେ। ରାସ୍ତା ନିର୍ମାଣ ସମୟରେ ସେମାନଙ୍କୁ ଉଚ୍ଛେଦ କରି ଥଇଥାନ କରିବେ ବୋଲି ରେଳବାଇ କର୍ତୃପକ୍ଷ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲା। ଓଭର ବ୍ରିଜ୍ ସମୂହହିତ ପାଇଁ ହୋଇଥିବାରୁ ଥଇଥାନର ପ୍ରତିଶ୍ରୁତି ପାଇ ବ୍ୟବସାୟୀମାନେ ରାଜି ହୋଇଥିଲେ। ହେଲେ ଉଚ୍ଛେଦ ପରେ ସେମାନଙ୍କୁ ଆଉ ଥଇଥାନ କରାଗଲା ନାହିଁ। ବାଧ୍ୟ ହୋଇ କିଛି ମାଛ ବ୍ୟବସାୟୀ ଗୋରୁହାଟ ନିକଟରେ ବ୍ୟବସାୟ ଆରମ୍ଭ କରିଛନ୍ତି। କିନ୍ତୁ ଅନ୍ୟ ଦୋକାନୀମାନେ ୨ବର୍ଷ ହେଲା ଘରେ ବସିଛନ୍ତି। ସଞ୍ଚିତ ଅର୍ଥ ଶେଷ ହୋଇ ଆସୁଥିବାବେଳେ ଆଶା ଆଶଙ୍କା ମଝିରେ ତାଙ୍କ ଭାଗ୍ୟ ଝୁଲି ରହିଛି। ପରିବା ଓ ମତ୍ସ୍ୟ ବ୍ୟବସାୟୀ ସଂଘର ସମ୍ପାଦକ ସଞ୍ଜୟ କୁମାର ସାହୁ କହିଛନ୍ତି, ‘‘୬ମାସରୁ ଅଧିକ ହେଲାଣି ବ୍ରିଜ୍ କାମ ଶେଷ ହୋଇସାରିଲାଣି। ହେଲେ ଉଚ୍ଛେଦ ବ୍ୟବସାୟୀଙ୍କ କଥା ଭୁଲିଗଲେ। ଆମେ ପ୍ରତି ଦୁଇଦିନରେ ଥରେ ରେଳବାଇ କର୍ତ୍ତୃପକ୍ଷଙ୍କୁ ଭେଟି ଅନୁରୋଧ କରି ଆସୁଛୁ। ହେଲେ ସମସ୍ୟାର ସମାଧାନ ହୋଇପାରୁନି। ତଥାପି ଆମର ଭରସା ରହିଛି।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/dgddggd-1.jpg)