ଜବରଦଖଲକାରୀଙ୍କ ଉପରେ ଅହେତୁକ ଦରଦ: ଆର୍‌ଆଇ ଅଫିସ ପାଇଁ ୧୦୦ ଡିସିମିଲ ଜାଗା ଦେଇ ୧୫ ଏକର ଛାଡ଼ିଦେଲେ

ଭୁବନେଶ୍ବର: ସରକାରୀ ଜାଗା‌ରେ ତିଆରି ହୋଇଛି ୩ ମହଲା ଘର। କେଉଁଠି ପାଇଖାନା ଗାଧୁଆଘର ସହ ୩ ବଖରା ଘର ତ କେଉଁଠି ଏକ ବଖୁରିଆ ଆଜବେଷ୍ଟସ୍‌ ଘର। ଘର ଅନୁସାରେ ଧାର୍ଯ୍ୟହୋଇଛି ଭଡ଼ା। ପୁଣି ଆଉ କିଛି ଲୋକ ସେଠାରେ ସରକାରୀ ଜାଗାକୁ ‘କିଣି’ ନିଜ ପସନ୍ଦର ଘର ତିଆରି କରି ରହୁଛନ୍ତି। ଏଭଳି ଗୋଟିଏ କି ଦୁଇଟି ଘର ନୁହେଁ, ପୂରା ୧୪ ଏକରରୁ ଅଧିକ ଜାଗାରେ ଏକ ହଜାରରୁ ଅଧିକ ଘର ତିଆରି ହୋଇଛି, ଯାହା ଭିତରୁ ଅଧିକାଂଶ ଭଡ଼ାରେ ଲାଗିଛି। ୨୩ ନମ୍ବର ୱାର୍ଡ ଘାଟିକିଆ ଜୟଦେବ ବାଟିକା ସ‌ାମ୍‌ନାରେ ୧୦ ବର୍ଷରୁ ଅଧିକ ସମୟ ହେଲା ଏହି ବେପା‌ର ଚାଲିଛି। ‌ଯେଉଁମାନେ ରାସ୍ତା‌କଡ଼ରେ ଭଡ଼ା ନେଇଛନ୍ତି, ସେମ‌ା‌ନେ ଗୋଟିଏ ଘରେ ରହି ଆଉ ଏକ ଘରେ ବ୍ୟବସାୟ କରୁଛନ୍ତି। ଆଉ କିଛି କେବଳ ଦୋକାନ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଯେଉଁମାନେ ଜାଗା କିଣିଛନ୍ତି, ସେମାନେ ତାହାକୁ ଆଉ କାହାକୁ ବିକ୍ରି କରିପାରିବେ ନାହିଁ ବୋଲି ଦଲାଲମାନେ ଫତୁଆ ଜାରି କରିଛନ୍ତି। ମାସକୁ ଭଡ଼ା ବାବଦକୁ ଭଡ଼ାଟିଆଙ୍କଠ‌ାରୁ ପାଖାପାଖି ୫ଲକ୍ଷ ଟଙ୍କା ରୋଜଗାର ହେଉଛି। ସବୁ ଜା‌ଣି ମଧ୍ୟ ବିଡିଏ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ (ଜିଏ) ଚୁପ୍‌ ବସିଛନ୍ତି।

ନିକଟ ଅତୀତରେ ଘାଟିକିଆ ଅଞ୍ଚଳରେ ଏକ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) କାର୍ଯ୍ୟାଳୟ ନିର୍ମାଣକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏକର ଏକର ସରକାରୀ ଜମି ଭୂତ ଖାଉଥିବା ବେଳେ ଆର୍‌ଆଇ ଅଫିସ୍‌ ପାଇଁ ଜାଗା ମିଳୁ ନଥିଲା। ସ୍ଥାନୀୟ ଲୋକଙ୍କ ଲିଖିତ ଅଭିଯୋଗ ସହ ବାରମ୍ବାର ଚେତାବନୀ ପରେ ଏହି ଜବରଦଖଲ ଜାଗା ଉପରେ ଜିଏ ବାଧ୍ୟ ହୋଇ ନଜର ପକାଇଥିଲା। ଆଶ‌ା କରାଯାଉଥିଲା, ଆର୍‌ଆଇ ଅଫିସ ବାହାନାରେ ହେଉପଛେ ଏଥର ଏହି ୧୫ଏକର ସରକା‌ରୀ ଜାଗାରୁ ଜବରଦଖଲ ଉଚ୍ଛେଦ ହେବ। ହେଲେ ଜବରଦଖଲକ‌ାରୀଙ୍କ ଉପରେ ଦରଦ ଦେଖାଇବାଭଳି ଆର୍‌ଆଇ ଅଫିସ୍‌ ପାଇଁ ଆବଶ୍ୟକ ହେଉଥିବା କେବଳ ୧୦୦ ଡିସିମିଲି ଜାଗାରୁ କାଠଗୋଲା ହଟାଇ ବିଡିଏ ପାଚେରି ନିର୍ମାଣ କଲା। ଏହା ପଛରେ ଏକ ସୁଚିନ୍ତିତ ଷଡ୍‌ଯନ୍ତ୍ର ଅଛି ବୋଲି ଅଭିଯୋଗ ହେଉଛି। ଏବେ ସେଠାରେ ଘାଟିକିଆ ଆର୍‌ଆଇ ଅଫିସ୍‌ ନିର୍ମା‌ଣ ହେବ। ଏଥିପାଇଁ ଟେଣ୍ଡର ହୋଇଛି। ପୂର୍ବରୁ ସ୍ଥାନୀୟ ଲୋକେ ଏଠାରୁ ୩ କିଲୋମିଟର ଦୂର ମଳିପଡ଼‌ା ଆର୍‌ଆଇ ଅଫିସ୍‌କୁ ବିଭିନ୍ନ କାମ ପାଇଁ ଯାଉଥିଲେ। ଏବେ ଘର ପାଖରେ ଆର୍‌ଆଇ ଅଫିସ୍‌ ହେବାକୁ ଥିବାରୁ ସେମାନେ ଖୁସି ଅଛନ୍ତି। କିନ୍ତୁ ବାକି ଜାଗାରୁ ଜବରଦଖଲ ହଟାଇବାଲାଗି କର୍ତ୍ତୃପକ୍ଷଙ୍କର ଆଦୌ ଆଗ୍ରହ ନାହିଁ। ଅଧିକନ୍ତୁ ଆର୍‌ଆଇ ଅଫିସ୍‌ ପାଇଁ ଜାଗା ଚିହ୍ନଟ ହୋଇଯିବା ପରେ ବାକି ଜବରଦଖଲକୁ ଏକ ପ୍ରକାର ସରକାରୀ ସ୍ବୀକୃତି ମିଳିଯାଇଛି। ଫଳରେ ଏବେ ଏଠାରେ ପ୍ରତିଦିନ ଆହୁରି ଅଧିକ ନୂଆକୋଠା ନିର୍ମାଣ ସହ ଦୋକାନ ତିଆରି ଚାଲିଛି।  ଏ ନେଇ ଆଇନଜୀବୀ ଲଲାଟେନ୍ଦୁ ଦାସ କହିଛନ୍ତି, ‘‘ସହରରେ ଅନେକ ଜବରଦଖଲ ରହିଛି। ଯାହାକୁ ପ୍ରଶାସନ ଉଚିତ ସମୟରେ ଉଚ୍ଛେଦ କରିନଥିବାରୁ ପରେ ଉଚ୍ଛେଦ ସମ୍ଭବ ହୋ‌ଇନାହିଁ। ଅନେକ ମାମଲା କୋର୍ଟ କଚେରିରେ ଗଡ଼ୁଥିବା ବେଳେ ଆଉ କିଛି ଲୋକଙ୍କୁ ଥଇଥାନ କରିବାକୁ ଯାଇ ନାକେଦମ୍‌ ହେବାକୁ ପଡ଼ୁଛି। ଏଣୁ ପ୍ରଶାସନ ଏଠାରୁ ଜବରଦଖଲ ଉଚ୍ଛେଦ ନକଲେ ମାମଲା କୋର୍ଟକୁ ଯିବ।’’

ସୂଚନାଯୋଗ୍ୟ, ଭୁବନେଶ୍ବର ତହସିଲ ଅଧୀନରେ ୨୦ଟି ପଞ୍ଚାୟତ ପାଇଁ ୧୩ଟି ଆର୍‌ଆଇ ସର୍କଲ ରହିଥିଲା। ଜଣେ ଆର୍‌ଆଇଙ୍କ ଅଧୀନରେ ୧୫ରୁ ୨୦ ରାଜସ୍ବ ଗ୍ରାମ ରହୁଥିଲା। ଚାପ ବଢ଼ିବାରୁ ଭୁବନେଶ୍ବରରେ ଆଉ ଗୋଟିଏ ତହସିଲ ଅଫିସ ଓ ୧୩ଟି ଆର୍‌ଆଇ ସର୍କଲକୁ ଭାଗ ଭାଗ କରି ୨୮ଟି କରିବା ପ୍ରସ୍ତାବ ଗତ ବର୍ଷ ସରକାରୀ ମଞ୍ଜୁରୀ ପାଇଥିଲା। ପାଇକରାପୁର ଆରଆଇ ସର୍କଲକୁ ଦୁଇ ଭାଗ କରାଯାଇ ଗୋଟିଏ ପାଇକରାପୁର ଓ ଅନ୍ୟଟି ଘାଟିକିଆ ହୋଇଥିଲା। ଅନ୍ୟ ସମସ୍ତ ଜାଗାରେ ଆର୍‌ଆଇ ଅଫିସ ନିର୍ମାଣ ସହଜ ହୋଇଥିବା ବେଳେ ଘାଟିକିଆରେ ଚିହ୍ନଟ ହୋଇଥିବା ଜାଗାରେ ଜବରଦଖଲ ରହିଥିବାରୁ ସେଠାରେ ନିର୍ମାଣ ସମ୍ଭବ ହେଉ ନଥିଲା। ଗତବର୍ଷ ବିଡିଏ ଏଠାରୁ ଉଚ୍ଛେଦ ପାଇଁ ଦୁଇଥର ଉଦ୍ୟମ କଲା। କିନ୍ତୁ ସମ୍ଭବ ହେଉ ନଥିବା ଆଳ କରି ୧୫ ଏକରରୁ କେବଳ ୧୦୦ ଡିମିସିଲି ଉଚ୍ଛେଦ କରିଥିଲା।

ସମ୍ବନ୍ଧିତ ଖବର