ଖଣ୍ଡଗିରି, ୨୬।୫ (ଇମିସ): ଜାତୀୟ ରାଜପଥର ତମାଣ୍ଡୋ ଥାନା ସମ୍ମୁଖରୁ କଳିଙ୍ଗ ବିହାର ଛକ, ସ୍ମୃତିବନ ସମ୍ମୁଖରୁ ଆଇଗିଣିଆ ଲକ୍ଷ୍ମୀନାରାୟଣ ମନ୍ଦିର ଓ ଏହାର ଅପରପାର୍ଶ୍ବ ରାସ୍ତା ସ୍ଥାନୀୟ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ଏନ୍ଏଚ୍ଏଆଇ ପକ୍ଷରୁ ସର୍ଭିସ୍ ରୋଡ୍ କଡ଼ରେ ମାତ୍ର ୬ ମାସ ତଳେ ରାସ୍ତାର ଉଭୟ ପାର୍ଶ୍ବରେ ତିଆରି ହୋଇଥିବା ଡ୍ରେନ୍ ଭାଙ୍ଗିରୁଜି ଗଲାଣି। ଅଧିକାଂଶ ସ୍ଥାନରେ ସ୍ଲାବ୍ ନଥିବା ବେଳେ କିଛି ସ୍ଥାନରେ ସ୍ଲାବ୍ରୁ ରଡ୍ ବାହାରି ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ନିମ୍ନମାନର କାମ ଓ ରକ୍ଷଣାବେକ୍ଷଣ ଅଭାବରୁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ିଲା ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷେ ଆଗକୁ ବର୍ଷା ଦିନ ଆସୁଥିବା ବେଳେ, ଶୀଘ୍ର ଏହାର ମରାମତି କରାନଗଲେ ଏଠାରେ ସ୍ଥିତି ଜଟିଳ ହେବା ଆଶଙ୍କା ସୃଷ୍ଟି ହୋଇଛି। ଡ୍ରେନ୍ ଭାଙ୍ଗି ଯାଇଥିବାରୁ ବର୍ଷାପାଣି ନିଷ୍କାସିତ ହୋଇ ନପାରି ରାସ୍ତାରେ ଜମିବ। ଏହାଦ୍ବାରା ଯାତାୟାତରେ ସମସ୍ୟା ସୃଷ୍ଟି ହେବ। ସେହିପରି ଅସରାଏ ବଡ଼ ବର୍ଷା ହେଲେ, ସ୍ଲାବ୍ ନଥିବା ସ୍ଥାନଗୁଡ଼ିକ ମରଣଯନ୍ତା ପାଲଟିବ। ରାସ୍ତା ଓ ଡ୍ରେନ୍ ଭିତରେ ଫରକ୍ ଜାଣି ନପାରି ଲୋକେ ଡ୍ରେନ୍ ଭିତରେ ଗଳି ମୃତ୍ୟୁମୁଖରେ ପଡ଼ିବେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ସୂଚନାନୁଯାୟୀ, ଲକ୍ଷ୍ମୀନାରାୟଣ ମନ୍ଦିର ଯିବା ରାସ୍ତାରେ ଡ୍ରେନ୍ ଭାଙ୍ଗିଥିବାରୁ ରାସ୍ତାକୁ ବାହାରିବା ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସମୟରେ ଏଠାରେ ଦୁର୍ଘଟଣା ଘଟୁଛି। ୩ମାସ ତଳେ ୭ଜଣ ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଇଥିବା ବେଳେ ବହୁ ଗୋରୁ ଗାଈ ଡ୍ରେନ୍କୁ ଖସି ପଡ଼ି ଆହତ ହୋଇଛନ୍ତି। ବର୍ତ୍ତମାନ ଯଦି ସ୍ଥିତି ଏମିତି, ବର୍ଷା ହେଲେ ଏହା କେତେ ଭୟଙ୍କର ହୋଇଯିବ, ତାହା ସ୍ପଷ୍ଟ ଅନୁମେୟ।
ଏନ୍ଏଚ୍ଏଆଇ ପକ୍ଷରୁ ଡ୍ରେନ୍ ଓ ଏହା ଉପରେ ପଡ଼ିବାକୁ ଥିବା ସ୍ଲାବ୍ ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ସ୍ଲାବ୍ ତିଆରି କରିବାରେ ବିରାଟ ଦୁର୍ନୀତି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ନିମ୍ନମାନର କାମ ହୋଇଥିବାରୁ ଏହା ଏତେଶୀଘ୍ର ନଷ୍ଟ ହୋଇଗଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଡ୍ରେନ୍ ତିଆରି ସମୟରେ ଗୋଟିଏ ସ୍ଲାବ୍ ପାଇଁ ୧୨ରୁ ୧୩ଖଣ୍ଡ ରଡ୍ ବ୍ୟବହାର ହୋଇଥାଏ। ମାତ୍ର ଏଠାରେ ତିଆରି ହୋଇଥିବା ସ୍ଲାବ୍ରେ ମାତ୍ର ୬ଖଣ୍ଡ ରଡ୍ ତ କେଉଁଠି ଏହାଠାରୁ କମ ରଡ୍ ବ୍ୟବହାର ହୋଇଛି। ଫଳରେ ସାମାନ୍ୟ ଭାର ସମ୍ଭାଳି ନପାରି ଏହା ଭାଙ୍ଗିଗଲା। ବାଇକ୍ଟିଏ ବି ଏହା ଉପରେ ଗଲେ ଭାଙ୍ଗି ଗଳି ପଡ଼ୁଛି।
ଏ ସଂପର୍କରେ ୬୫ନମ୍ବର ୱାର୍ଡ କର୍ପୋରେଟର୍ ରଶ୍ମିରଂଜନ ପାଟ୍ଟଶାଣୀଙ୍କ କହିବା କଥା, ଡ୍ରେନ୍ କାମ ସମୟରେ କେହି ଅଧିକାରୀ ଏହାକୁ ତଦାରଖ ପାଇଁ କରୁନାହାନ୍ତି। ସେମାନଙ୍କୁ ଯୋଗାଯୋଗ କରିବା ପାଇଁ ଚାହିଲେ ମଧ୍ୟ ସମ୍ଭବ ହେଉନାହିଁ। ଡ୍ରେନ୍ ଉପର ଦେଇ ପ୍ରତିଦିନ ବଡ଼ ଗାଡ଼ି ଯାତାୟାତ କରୁଛି। ହେଲେ ଶନି ମନ୍ଦିର ସମ୍ମୁଖ ଡ୍ରେନ୍ ଓ ସ୍ଲାବ୍ ଏତେ ନିମ୍ନାମାନର ହୋଇଛି ଯେ ଅଟୋଭାର ମଧ୍ୟ ସହି ପାରୁନାହିଁ। ଲୋକେ ଭୟରେ ୧ କିମିରୁ ଅଧିକ ବାଟ ଘୂରି ମୁଖ୍ୟ ରାସ୍ତାକୁ ଉଠୁଛନ୍ତି। ତେବେ ନିମ୍ନମାନର କାମ ଯୋଗୁଁ ସାଧାରଣ ଲୋକ ଯମଯନ୍ତ୍ରଣା ଭୋଗୁଛନ୍ତି। ଏ ନେଇ ତମାଣ୍ଡୋ ଗ୍ରାମର ଦୀପକ ସାହୁଙ୍କ କହିବା କଥା, ଏନ୍ଏଚ୍ଏଆଇ ନିଜେ ଏହି ଡ୍ରେନ୍ କାମ ନ କରି ତୃତୀୟ ପକ୍ଷକୁ କାମ ଦେଇ ଦେଉଛି। ଠିକାଦାର ଅଧିକ ଲାଭ ଆଶାରେ ବାଲି ଓ ସିମେଣ୍ଟର ଭାଗ ମାପ ଠିକ୍ ରଖୁନାହିଁ। ଫଳରେ ଡ୍ରେନ୍ ଖୁବ୍ଶୀଘ୍ର ନଷ୍ଟ ହୋଇଯାଉଛି। ଆଗାମୀ ବର୍ଷାରେ ପୁଣି ରାସ୍ତାରେ ଆଣ୍ଠୁଏ ପାଣି ଠିଆ ହେବ। ଏପରି ହେଲେ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେବେ। ଏହି ସମୟରେ କେହି ଯଦି ଜାଣି ନପାରି ଉକ୍ତ ନିମ୍ନମାନର ଡ୍ରେନ୍ ଓ ସ୍ଲାବ୍ ଉପରେ ପାଦ ପକାଇବେ, ତେବେ ପରିସ୍ଥିତି କ’ଣ ହେବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ମୌସୁମୀ ଆସିବା ପୂର୍ବରୁ ଏହି ସବୁ ସମସ୍ୟାକୁ ଦୂର କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ନେଇ ଏନ୍ଏଚ୍ଏଆଇ କତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ହେଁ କୌଣସି ଉତ୍ତର ମିଳିପାରି ନଥିଲା।