ଅପରାଧ ଘଟାଇଲେଣି ଜେଲ୍‌ ଫେରନ୍ତା, ପୁଣି ଆରମ୍ଭ ହେଲାଣି ଚୋରା ମଦ କାରବାର

ସହଜରେ ଜାମିନ ମିଳୁ ଥିବାରୁ ଉଠାଉଛନ୍ତି ଫାଇଦା

ଭୁବନେଶ୍ବର: କରୋନା ସଂକ୍ରମଣ ଭୟ ଥିବାରୁ ଜେଲରେ କଏଦୀଙ୍କ ସଂଖ୍ୟା କମାଇବାକୁ ନିର୍ଦ୍ଦେଶ ପରେ ପ୍ରାୟ ଦୁଇ ମାସ ହେଲାଣି ବିଭିନ୍ନ ଉପାୟରେ କଏଦୀଙ୍କୁ ମୁକୁଳା ଯାଉଛି। ଅପରାଧ କରି ଜେଲ୍ ଯାଉଥିବା ବିଚାରାଧୀନ ବନ୍ଦୀ ସହଜରେ ଜାମିନ୍‌ରେ ଜେଲରୁ ମୁକୁଳି ଆସୁଛନ୍ତି। ମୁକୁଳିବା ପରେ ପୁଣି ଘଟାଉଛନ୍ତି ଅପରାଧ। କରୋନା ମୁକାବିଲା ସମୟରେ ଜେଲ ଫେରନ୍ତାଙ୍କୁ ନେଇ ଏବେ ଚିନ୍ତା ବଢ଼ି ଯାଇଛି।ଜଣେ ଟ୍ରକ୍‌ ଡ୍ରାଇଭରଙ୍କୁ ମାଡ଼ ମାରି ଲୁଟ୍ ଘଟଣାରେ ପ୍ରାୟ ୨୦ ଦିନ ତଳେ ଗିରଫ ହୋଇ ଜେଲ୍ ଯାଇଥିଲା ପଥରବନ୍ଧ ତଳସାହିର ମିଟୁ। ମିଟୁ ନାଁରେ ପୂର୍ବରୁ ଅନେକ ମାମଲା ରହିଛି। କିନ୍ତୁ ମିଟୁଙ୍କୁ ଜାମିନ ମିଳି ଯାଇଥିଲା। ଜେଲ୍‌ରୁ ମୁକୁଳିବା ପରେ ପୁଣି ଅପରାଧ ଘଟାଇଥିଲା ସେ। ଗତ ୧୨ ତାରିଖରେ ଭିଏସ୍ଏସ୍ ନଗରରେ ଜଣେ ଯୁବତୀଙ୍କୁ ଦୁର୍ବ୍ୟବହାର କରିଥିଲା। ଘର ମାଲିକ ତାଗିଦ କରିବା ପରେ ମିଟୁ ୧୦ରୁ ଅଧିକ ସହଯୋଗୀଙ୍କ ସହ ମିଶି ଘର ଆଗରେ ଖଣ୍ଡା ବୁଲାଇବା ସହ ଧମକଚମକ ଦେବା ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏ ନେଇ ସହିଦନଗର ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ମିଟୁକୁ ଗିରଫ କରି ପୁଣି କୋର୍ଟଚାଲାଣ କରିଛି। ଇଏ ଗୋଟିଏ ଘଟଣା ନୁହେଁ, କେତେକ ଜେଲ୍‌ ଫେରନ୍ତା ଆଗକୁ ବିପଦ ସାଜି ପାରନ୍ତି।

ଚୋରା ମଦ ବେପାରୀଙ୍କର ଏବେ କଚେପୁଅ ବାର। ମିଳିଥିବା ସୂଚନା ଅନୁସା‌ରେ, କମ୍‌ ପରିମାଣର ମଦ ସହ ଧରା ପଡ଼ୁଥିବା ବେପାରୀଙ୍କୁ ଥାନାରୁ ହିଁ ପିଆର୍‌ ବଣ୍ଡରେ ଛାଡ଼ି ଦିଆଯାଉଛି। ପୂର୍ବରୁ ଯେଉଁ ମଦ ବେପାରୀମାନେ ଗିରଫ ହୋଇଥିଲେ, ସେମାନେ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ପୁଣି ଥରେ ମଦ ବେପାର ଆରମ୍ଭ କରି ଦେଉଛନ୍ତି। ଆଇନଜୀବୀ ଚିତ୍ତରଞ୍ଜନ ଦାସଙ୍କ କହିବା ଅନୁଯାୟୀ, ଯେଉଁ ଅପରାଧୀମାନେ ଜାମିନ୍‌ ପାଉଛନ୍ତି, ସେମାନେ ପୁଣିଥରେ ସମାନ ଅପରାଧ ଘଟାଇବେ ନାହିଁ ବୋଲି ସର୍ତ୍ତ ରହୁଛି। କିନ୍ତୁ ମୁକୁଳିଲା ପରେ ସର୍ତ୍ତ ମାନୁନାହାନ୍ତି। ଯଦି ଦ୍ବିତୀୟଥର ଅପରାଧ ଘଟାଉଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ, ତାହାଲେ ଅପରାଧ କମି ପାରିବ ବୋଲି ସେ କହିଛନ୍ତି। ଭିଏସ୍ଏସ୍ ନଗର ଗଣ୍ଡଗୋଳ ଘଟଣାରେ ଅଭିଯୁକ୍ତ ମିଟୁର ଜାମିନ ସର୍ତ୍ତ କ’ଣ ରହିଥିଲା, ତାହାକୁ ତର୍ଜମା କରାଯିବ ବୋଲି କହିଛନ୍ତି ଡିସିପି ଅନୁପ ସାହୁ।

ଛୁଟି କାଟି ଫେରିଲେଣି ୩୦୯
କରୋନା ପାଇଁ ରାଜ୍ୟର ବିଭିନ୍ନ ଜେଲ୍‌ରୁ ଗତ ୧୨ ତାରିଖ ସୁଦ୍ଧା ୭ ହଜାରରୁ ଅଧିକ କଏଦୀ ମୁକୁଳି ସାରିଲେଣି। ମାର୍ଚ୍ଚ ୨୦ ତାରିଖରୁ ମେ’ ୧୨ ତାରିଖ ଭିତରେ ଜାମିନ ଓ ବ୍ୟକ୍ତିଗତ ମୁଚାଲିକାରେ ୬୮୮୬ଜଣ କଏଦୀ ମୁକୁଳି ସାରିଲେଣି। ସେହିପରି ପାରୋଲ ଓ ଫର୍ଲୋରେ ୩୮୯ କଏଦୀ ଛୁଟିରେ ଯାଇଥିଲେ। ସେମାନଙ୍କ ଭିତରୁ ୩୦୯ ଜଣ କଏଦୀ ଜେଲକୁ ଫେରି ସାରିଛନ୍ତି। ଝାରପଡ଼ା ଜେଲରେ ଏକ ହତ୍ୟା ମାମଲାରେ ଆଜୀବନ ସଜା ଭୋଗୁଥିବା ଜଣେ କଏଦୀ ଛୁଟିରେ ଘରକୁ ଯାଇଥିଲେ। ଛୁଟି ଅବଧି ଶେଷ ହେବା ପରେ ସେ ଜେଲକୁ ଫେରିଛନ୍ତି। ଆଉ ଦୁଇଜଣ ଛୁଟିରେ ଯିବା ଲାଗି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ମାର୍ଚ୍ଚ ୨୦ରୁ ମେ’ ୧୨ ଭିତରେ ୧୧୬୨ଜଣ କଏଦୀଙ୍କୁ କମ୍ ସଂଖ୍ୟକ କଏଦୀ ଥିବା ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ରାଜ୍ୟର ବିଭିନ୍ନ ଜେଲରେ କଏଦୀଙ୍କ ସଂଖ୍ୟା ୧୭ ହଜାର ୮୧୨ ରହିଥିଲା। ମେ’ ୧୨ ତାରିଖ ସୁଦ୍ଧା କଏଦୀ ସଂଖ୍ୟା ୧୬ ହଜାର ୯୩୧ ରହିଥିବା ଜଣାପଡ଼ିଛି।

ଜେଲ୍‌ରେ ପରିମଳ ବ୍ୟବସ୍ଥା ଠିକ୍ ନ ଥିବା କଏଦୀଙ୍କ ଅଭିଯୋଗ
ଝାରପଡ଼ା ଜେଲରେ ପରିମଳ ବ୍ୟବସ୍ଥା ଠିକ୍ ନ ଥିବା ସମ୍ପର୍କରେ ଦୁଇ ଅଣଓଡ଼ିଆ କଏଦୀ ଲକ୍ଷ୍ନୌର ଅରୁଣ ଚତୁର୍ବେଦୀ ଓ ବରୁଣ ଚତୁର୍ବେଦୀଙ୍କ ଭଉଣୀ ଅଭିଯୋଗ ଆଣିଛନ୍ତି। ଖାଲି ଏହି ଦୁଇଜଣ ନୁହେଁ, ଗତ କିଛି ଦିନ ଭିତରେ ୩୦ରୁ ଅଧିକ କଏଦୀ ଏଭଳି ଅଭିଯୋଗ ଆଣିଥିବା ଜଣାପଡ଼ିଛି। ଏହି ଅଭିଯୋଗ ମିଳିବା ପରେ ଜେଲ କର୍ତ୍ତୃପକ୍ଷଙ୍କ ଅନୁରୋଧକ୍ରମେ ଲକ୍ଷ୍ମୀସାଗର ଥାନାର ଅଧିକାରୀ ଝାରପଡ଼ା ଜେଲକୁ ଯାଇ ଅନୁସନ୍ଧାନ କରିବା ସହ ଯାହା କିଛି ଅଭିଯୋଗ ଅଛି ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିବାକୁ ପରାମର୍ଶ ଦେଇଥିଲେ। ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଜେଲ୍ ସୁପରିନ୍‌ଣ୍ଟେଣ୍ଡେଣ୍ଟ ଡି.ଏନ୍ ବାରିକ କହିଛନ୍ତି, କରୋନା ମୁକାବିଲା ସମୟରେ ଜେଲ୍‌ ଭିତରେ ପରିମଳକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ସବୁ କଏଦୀଙ୍କୁ ଅତିରିକ୍ତ ସାବୁନ ଯୋଗାଇ ଦିଆଯାଇଛି। ଯେଉଁ ନୂଆ କଏଦୀ ଆସୁଛନ୍ତି, ସେମାନଙ୍କୁ ସଂଗରୋଧରେ ରଖାଯାଉଛି। ଯେଉଁମାନଙ୍କର ଥଣ୍ଡା, କାଶ ଭଳି ଲକ୍ଷଣ ଦେଖାଯାଉଛି, ସେମାନଙ୍କୁ ମଧ୍ୟ ସଂଗରୋଧରେ ରଖାଯାଉଛି। ଜେଲକୁ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ କରାଯାଉଛି। ଜେଲ୍ କର୍ମଚାରୀ ଭିତରକୁ ପ୍ରବେଶ କରିବା ସମୟରେ ହାତ ଧୋଇବା ସହ ଥର୍ମାଲ ସ୍କ୍ରିନିଂ ପରେ ପ୍ରବେଶ କରୁଛନ୍ତି। ସବୁ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର