ବାଲିଅନ୍ତା ବଜାର/ବାଲିପାଟଣା: ରାତି ପାହିଲେ ଜନ୍ମାଷ୍ଟମୀ। ନାତିର ଜନ୍ମଦିନ। ମହାସମାରୋହରେ ଜନ୍ମଦିନ ପାଳନ ହେବ ବୋଲି ଘରେ ଜୋର୍‌ଦାର୍‌ ପ୍ରସ୍ତୁତି ଚାଲିଥିଲା। ଘରକୁ ବହୁ ବନ୍ଧୁବାନ୍ଧବ ଆସିସାରିଥିଲେ ଏବଂ ଉତ୍ସବର ମାହୋଲ ଜମି ଆସିଥିଲା। ଘର ସାଜସଜ୍ଜାଠାରୁ ଆରମ୍ଭ କରି ଭୋଜି ପାଇଁ ଟେଣ୍ଟ ବନ୍ଧା କାମ ଚାଲିଥିଲା। ମାତ୍ର ହଠାତ୍ ସବୁ କିଛି ଓଲଟପାଲଟ ହୋଇଗଲା। ସବା ସାନ ପୁଅର କଟୁରି ଚୋଟରେ ବୃଦ୍ଧା ମାଆଙ୍କ ଜୀବନ ଚାଲିଗଲା। ବାପାଙ୍କୁ ହାଣିବା ପାଇଁ ଗୋଡ଼ାଉଥିବା ନୃଶଂସ ପୁଅ ଆଗକୁ ଚାଲିଆସିଲେ ମାଆ। ସ୍ବାମୀଙ୍କୁ ବଞ୍ଚାଇବାକୁ ପୁଅର ବାଟ ଓଗାଳିଲେ। କିନ୍ତୁ ରକ୍ତମୁଖା ପୁଅ ମାଆକୁ ଚୋଟ ପରେ ଚୋଟ ମାରିଚାଲିଲା। ହସ୍ପିଟାଲ୍‌ ଯିବା ବାଟରେ ହିଁ ବୃଦ୍ଧାଙ୍କ ପ୍ରାଣବାୟୁ ଉଡ଼ିଗଲା। ଆଜି ସନ୍ଧ୍ୟାରେ ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ବାଲିଅନ୍ତା ଥାନା କାକରୁଦ୍ରପୁର ପଞ୍ଚାୟତ ଖମଙ୍ଗ ଗାଁରେ। ସାନ ପୁଅ ବାଦଲ ସ୍ବାଇଁର କଟୁରି ଚୋଟରେ ମାଆ ସଂଯୁକ୍ତା ସ୍ବାଇଁଙ୍କର ମୃତ୍ୟୁ ଘଟିଛି। ପୁଲିସ ମାତୃହନ୍ତା ବାଦଲକୁ ଗିରଫ କରିଛି। ଘଟଣା ପରେ ଖମଙ୍ଗ ଗାଁ ସ୍ତବ୍ଧ ହୋଇଯାଇଛି। ସବୁଠୁ ଗେହ୍ଲା ସବା ସାନ ପୁଅ ହାତରେ ମାଆର ମୃତ୍ୟୁ ଘଟିବା ଭଳି ଦୁଃଖଦ ଘଟଣା ଗାଁରେ ଶୋକର ଛାୟା ଖେଳାଇଦେଇଛି।
ସନ୍ଧ୍ୟା ପ୍ରାୟ ୭ଟା। ସ୍ବାମୀ ରାଜେନ୍ଦ୍ର ସ୍ୱାଇଁଙ୍କ ସହ ସଂଯୁକ୍ତା ନାତିର ଜନ୍ମଦିନ ପୂଜା ବାବଦରେ କଥା ହେଉଥିଲେ। ଏହି ସମୟରେ ବାଦଲ ସେଠାରେ ପହଞ୍ଚି ବାପାଙ୍କୁ ଗାଳି କରିଥିଲା। ମାଆ ସଂଯୁକ୍ତା ଆକଟ କରିବା ସହ ବାଦଲକୁ ସେଠୁ ଚାଲିଯିବାକୁ କହିଥିଲେ। ବାପା ରାଜେନ୍ଦ୍ର ମଧ୍ୟ ପାଲଟା ଗାଳିକରିଥିଲେ। ଘରେ ବନ୍ଧୁବାନ୍ଧବ ଅଛନ୍ତି ଏବଂ ପୁତୁରାର ଜନ୍ମଦିନ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବାଦଲର ଏଭଳି ଅଭଦ୍ରାମିକୁ ବାପା ରାଜେନ୍ଦ୍ର ବରଦାସ୍ତ କରିନଥିଲେ। ବାପାଙ୍କଠାରୁ ଗାଳି ଶୁଣିବା ପରେ ବାଦଲ ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା। ଘର ଭିତରକୁ ଧାଇଁ ଯାଇ ଏକ କଟୁରି ଧରି ବାହାରିଆସିଥିଲା। ରାଜେନ୍ଦ୍ରଙ୍କୁ ହାଣିବ ବୋଲି ବାଦଲ ଉଦ୍ୟମ କଲାବେଳେ ମାଆ ସଂଯୁକ୍ତା ଆଗକୁ ଚାଲିଆସିଥିଲେ। ଏହି ମଉକାରେ ପ୍ରାଣ ବିକଳରେ ରାଜେନ୍ଦ୍ର ସେଠୁ ଦୌଡ଼ିପଳାଇଥିଲେ। ବାପା ଖସିଯିବାରୁ ବାଦଲ ଅଧିକ ଉତ୍‌କ୍ଷିପ୍ତ ହୋଇଉଠିଥିଲା। ଚୋଟ ପକାଇବାକୁ ଉଠାଇଥିବା କଟୁରି ପଡ଼ିଲା ସଂଯୁକ୍ତାଙ୍କ ଉପରେ। ଗୋଟିଏ ନୁହେଁ, ଲାଗଲାଗ ତିନି ଚାରି ଚୋଟ ମାରିଚାଲିଲା। ଫଳରେ ସଂଯୁକ୍ତାଙ୍କ ମୁଣ୍ଡ, ବେକ, ହାତରେ ଗଭୀର କ୍ଷତ ସୃଷ୍ଟି ହେଲା। ସେ ସେଇଠି ଟଳିପଡ଼ିଲେ। ମାଆ ମରିଯାଇଥିବା ଭାବି ବାଦଲ ସେଠାରୁ ପଳାଇଲା। ପରିବାର ଲୋକେ ଘଟଣାସ୍ଥଳକୁ ଆସିବା ବେଳକୁ ସଂଯୁକ୍ତା ରକ୍ତ ଜୁଡ଼ୁବୁଡ଼ୁ ହୋଇ ସଂଜ୍ଞାହୀନ ଅବସ୍ଥାରେ ପଡ଼ିରହିଥିଲେ। ତୁରନ୍ତ ତାଙ୍କୁ ପ୍ରଥମେ ଅଠାନ୍ତର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିଆଯାଇଥିଲା। କିନ୍ତୁ ବାଟରେ ସଂଯୁକ୍ତାଙ୍କ ମୃତ୍ୟୁ ହୋଇଯାଇଥିଲା। ବାଲିପାଟଣା ଥାନା ପୁଲିସ ଖୋଜିଖୋଜି ବାଦଲକୁ ଗହୀର ଭିତରୁ ଧରିଥିଲା ଏବଂ ବାଲିଅନ୍ତା ଥାନା ପୁଲିସକୁ ହସ୍ତାନ୍ତର କରିଥିଲା। 
ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏହା ଦୀର୍ଘ ଦିନର ସମସ୍ୟାକୁ ନେଇ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ନିକଟରେ ରାଜେନ୍ଦ୍ର ଏକ ଜମି ବିକିଛନ୍ତି। କିନ୍ତୁ ଜମି ବିକା ଟଙ୍କା ୩ ପୁଅଙ୍କ ଭିତରେ ଭାଗବଣ୍ଟା ହୋଇନାହିଁ। ଡ୍ରାଇଭର ଭାବେ କାମ କରୁଥିବା ବାଦଲ ତା’ ଭାଗ ଟଙ୍କା ପାଇବାକୁ ବାପାମାଆଙ୍କୁ ମାଗିଆସୁଥିଲା। କିନ୍ତୁ ରାଜେନ୍ଦ୍ର ତାକୁ ଟଙ୍କା ଦେଉନଥିଲେ। ଏହାକୁ ନେଇ ବାଦଲର ରାଗ ଥିଲା। ସେହିଭଳି ବାଦଲର ବାହାଘର କଥାରେ ବାପାମାଆ ମୁଣ୍ଡ ଖେଳାଉ ନଥିବା ମଧ୍ୟ ଅନ୍ୟ ଏକ କାରଣ ବୋଲି କୁହାଯାଉଛି। ବାଦଲ ନିଶାସକ୍ତ ହୋଇପଡ଼ିଥିବାରୁ ବାହାଘରକୁ ନେଇ ସମସ୍ୟା ଥିଲା। ତେଣୁ ଏମିତି ବିଭିନ୍ନ କାରଣକୁ ନେଇ ବାଦଲ ଭିତରେ ବାପାମାଆଙ୍କ ପ୍ରତି ରାଗ କୁହୁଳୁଥିଲା ବୋଲି ଚର୍ଚ୍ଚା ହେଉଛି।