ଭୁବନେଶ୍ବର: ‘ଘରୁ ପାଣି ବାହାରିବାକୁ ବାଟ ନାଇଁ। ଯୋଉ ନଳା ଦେଇ ଯାଉଥିଲା ତାହା ୪ ମାସ ହେଲା ଜାମ୍‌ ହୋଇଗଲାଣି। ଝାଡ଼ା ପରିସ୍ରା ସବୁ ଘରେ ଭାସୁଛି। ଛୋଟ ପିଲା ରାସ୍ତାରେ ଝାଡ଼ା ଫେରୁଛନ୍ତି। ୪ ମାସ ହେଲା ବିଏମ୍‌ସି ଦଉଡ଼ୁଚୁ। ଆର ମାସକୁ ହେଇଯିବ। ଇଲେକ୍ଟ୍ରି ବିଭାଗକୁ ଚିଠି ଲେଖିଚୁ। ଖୁଣ୍ଟ ଉଠୁ ଉଠୁ କାମ ଆରମ୍ଭ ହେଇଯିବ। କିଛି ହଉନି। ଘରେ ଝାଡ଼ା ପରିସ୍ରା ଘରେ ଭାସିଲେ କି ପ୍ରକାର ସ୍ଥିତି ହୁଏ, ତା’ର ତୁମେ ବି ଅନୁଭବ ନିଅ।’ ଏଭଳି କହି ବିଏମ୍‌ସି ସିଟି ଇଞ୍ଜିନିୟର ବିଳାସ ବେହେରାଙ୍କ ଚ୍ୟାମ୍ବରରେ ପରିସ୍ରା କରିଦେଲେ ବସ୍ତିବାସିନ୍ଦା। ଆଜି ବିଏମ୍‌ସିରେ ଏଭଳି ଏକ ବିଚିତ୍ର ଘଟଣା ଦିନ ସାରା ଚର୍ଚ୍ଚାରେ ରହିଥିଲା। ଶେଷରେ ସିଟି ଇଞ୍ଜିନିୟର ବାଧ୍ୟ ହୋଇ ବସ୍ତିବାସିନ୍ଦାଙ୍କ ସହ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ଦୀର୍ଘ ସମୟ କ୍ଷେତ୍ର ପରିଦର୍ଶନ ପରେ ବାଟ ବାହାରିଛି। ବିଦ୍ୟୁତ୍‌ ଖୁଣ୍ଟି ନ ଉଠାଇ କେମିତି ନଳା ତିଆରି କରାହେବ ସେ ନେଇ ଯୋଜନା ହୋଇଛି।

Advertisment

ୱାର୍ଡ ନମ୍ବର ୪୫ରେ ରହିଛି ସବର ସାହି। ଶହେରୁ ଊର୍ଦ୍ଧ୍ବ ପରିବାର ଏଠାରେ ବାସ କରନ୍ତି। ଦୀର୍ଘ ଦିନ ଧରି ଏଠାରେ ନଳାର ସମସ୍ୟା ରହିଛି। ବର୍ଷା ଜଳ ନିଷ୍କାସନ ପାଇଁ ଢେର ବିଳମ୍ବ ହେଉଥିବାରୁ ବର୍ଷା‌ ସମୟରେ ଘରେ ପାଣି ପଶିଯାଏ। ଯେଉଁ ନଳା ଦେଇ ଘରର ବର୍ଜ୍ୟ ଜଳ ସହ ମଳମୁତ୍ର ନିଷ୍କାସନ ହୋଇଥାଏ ତାହା ୪ ମାସ ହେଲା ଜାମ୍‌ ହୋଇଯାଇଛି। ଫଳରେ ଏହି ସବୁ ମଳମୁତ୍ର ନିଷ୍କାସନ ହୋଇ ନ ପାରି ଘରେ ଭାସୁଛି। ୪ ମାସ ହେବ ଦଉଡ଼ି ଦଉଡ଼ି କିଛି ଲାଭ ହୋଇ ନଥିବା ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି।

ଏ ନେଇ ସେମାନେ କର୍ପୋରେଟର ଅମରେଶ ଜେନାଙ୍କୁ ବାରମ୍ବାର ଅଭିଯୋଗ କରିଛନ୍ତି। ସେ ମଧ୍ୟ ଗତ କର୍ପୋରେସନ ବୈଠକ ସହ ବିଭିନ୍ନ ବୈଠକରେ ଏହି ପ୍ରସଙ୍ଗରେ ବିଏମ୍‌ସିର ନଜରକୁ ଆଣିଛନ୍ତି। ପୂର୍ବରୁ ଡ୍ରେନେଜ୍‌ ଡିଭିଜନ୍‌ ଇଞ୍ଜିନିୟର ଘଟଣାସ୍ଥଳ ପରିଦର୍ଶନ କରି‌ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ନଳା ମଝିରେ ଏକ ୧୧ କେଭିର ବିଜୁଳି ଖୁଣ୍ଟ ରହିଛି। ଏହାକୁ ହଟାଇବାକୁ ଟିପିସିଓଡିଏଲ୍‌କୁ ଚିଠି ଲେଖି ବିଏମ୍‌ସି ବସିଯାଇଛି। ଏଭଳି ବସ୍ତିବାସିନ୍ଦାମାନେ ଜାଣିବା ପରେ ଆଜି ବିଏମ୍‌ସିରେ ପହଞ୍ଚିଥିଲେ। ସିଟି ଇଞ୍ଜିନିୟରଙ୍କ ଚାମ୍ବରକୁ ଯାଇ ସେଠାରେ ହୋ ହଲ୍ଲା କରିବା ସହ ପରିସ୍ରା କରି ଦେଇଥିଲେ। ପରେ ଖବର ପାଇ କର୍ପୋରେଟର ଅମରେଶ ଜେନା ବିଏମ୍‌ସି ପହଞ୍ଚିଥିଲେ। ସେ କହିଛନ୍ତି, ବହୁ ଦିନରୁ ଏହି ବସ୍ତିବାସିନ୍ଦାଙ୍କର ଅଭିଯୋଗ ରହିଛି। ମୁଁ ଅନେକ ଥର କର୍ପୋରେସନ ‌ବୈଠକରେ ଉଠାଇଥିଲି।

ମେୟର ମଧ୍ୟ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ତୁରନ୍ତ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସମନ୍ବୟ ଅଭାବ ଓ ଅଧିକାରୀଙ୍କ ଅବେହେଳା ଯୋଗୁ ହୋଇ ପାରୁନାହିଁ। ସ୍ବେରେଜ୍‌ ବ୍ୟବସ୍ଥା ମଧ୍ୟ ହେଉ ନାହିଁ। ବସ୍ତିବାସିନ୍ଦା କେମିତି ରହିବେ? ତେବେ ଆଜି ସିଟି ଇଞ୍ଜିନିୟର ଘଟଣାସ୍ଥଳ ବୁଲିଛନ୍ତି। ଟିପିସିଓଡିଏଲ୍‌ ଖୁଣ୍ଟ ନ ଉଠାଇଲେ, ଖୁଣ୍ଟ କଡ଼ରେ ଅତି ସାବଧାନତା ସହ ନଳା ନିର୍ମାଣ ହେବ। ଏହାର ଦାୟିତ୍ବ ଖୋଦ୍‌ ସିଟି ଇଞ୍ଜିନିୟର ନେବେ ବୋଲି କହିଛନ୍ତି। ଅନ୍ୟପଟେ ବସ୍ତିବାସିନ୍ଦା ପରିସ୍ରା କରିବା ଘଟଣାକୁ ବିଏମ୍‌ସି ଖଣ୍ଡନ କରିଛି। ସେମାନେ ଆବର୍ଜନା ପାଣି ଆଣି ଏଠାରେ ଫିଙ୍ଗି ଦେଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।