ମଲ୍ରୁ ଚୋରି କରି ଧରାପଡ଼ିଲା ଠକ: ପଦାରେ ପଡ଼ିଲା କାଳୁର କଳା କାରନାମା
ଅଧାରୁ କମ୍ ଦାମ୍ରେ ବିକି ଦେଉଥିଲା ବ୍ରାଣ୍ଡେଡ୍ ଡ୍ରେସ୍, ଲ୍ୟାପଟପ୍ ବ୍ୟାଗ୍ରେ ଆଣୁଥିଲା ଡ୍ରେସ୍, ବାହାରେ ବିକୁଥିଲା
ଭୁବନେଶ୍ବର: ବୁଲିବୁଲି ସପିଂ ମଲ୍କୁ ଆସୁଥିବା ଗ୍ରାହାକକୁ ନିଜର ଗ୍ରାହକ ବନାଉଥିଲା। ଆଉ ନିଜକୁ ମଲ୍ର ମ୍ୟାନେଜର ବୋଲି ପରିଚୟ ଦେଇ ବିଶ୍ବାସ ଜମାଉଥିଲା। କ’ଣ ଡ୍ରେସ୍ ନେବ ବାଛିଦିଅ। ଅଫର୍ ଆଉ କ୍ୟାସ୍ ବ୍ୟାକ୍ରେ ଜିନିଷ ଦେବି। ଯେତେ ଅଧିକ ଟଙ୍କାର ଜିନିଷ ନେବ ତମକୁ ଅଧିକ କ୍ୟାସବ୍ୟାକ୍ ମିଳିବ। ଗ୍ରାହକଙ୍କୁ ଏଭଳି ଲୋଭନୀୟ ଅଫର ଦେଇ ସପିଂ ମଲ୍ ବାହାରେ ହଜାର ହଜାର ଟଙ୍କାର ବ୍ରାଣ୍ଡେଡ୍ ଡ୍ରେସ୍କୁ ଅଧାରୁ କମ୍ ଦାମ୍ରେ ବିକି ଦେଉଥିଲା। ୬ ମାସରୁ ଊର୍ଧ୍ବ ହେବ ଏମିତି ଅତି ଚତୁରତାର ସହ ମଲ୍ରୁ ମଲ୍ ବୁଲି ଚୋରି କରିବା ସହ ବେପାର ଜମାଇଥିଲେ ବି ମଲ୍ କର୍ମଚାରୀ କି ସୁରକ୍ଷାକର୍ମୀ କେହି କିଛି ଟେର୍ ପାଉନଥିଲେ। ଶେଷରେ ମଙ୍ଗଳବାର ଦିନ ସହିଦନଗର ଥାନା ବ୍ରାଣ୍ଡ ଫ୍ୟାକ୍ଟ୍ରିରୁ ଡ୍ରେସ୍ ଚୋରି କଲାବେଳେ ଧରାପଡ଼ିଗଲା ଠକ କୃଷ୍ଣପ୍ରସାଦ ଓରଫ କାଳୁ। ଏଥିସହିତ କାଳୁର ସବୁ କଳା କାରନାମା ଏବେ ପଦାରେ ପଡ଼ିଛି।
ସୂଚନା ମୁତାବକ, କିଛିଦିନ ତଳେ କ୍ରିକେଟ ବେଟିଂରେ ୫ ଲକ୍ଷ ଟଙ୍କା ହରାଇବା ପରେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳର କୃଷ୍ଣପ୍ରସାଦ ବିଚଳିତ ହୋଇ ପଡ଼ିଥିଲା। ଆଉ ସହଜରେ ମୋଟା ରକମର ଅର୍ଥ ରୋଜଗାର ପାଇଁ ରାଜଧାନୀର ନାମୀଦାମୀ ମଲ୍କୁ ନିଜର ଟାର୍ଗେଟ୍ ବନାଇଥିଲା। ୬ମାସ ହେବ ରାଜଧାନୀକୁ ଆସି ପ୍ରଥମେ ବିଭିନ୍ନ ମଲ୍ ବୁଲି ସ୍ଥିତି ପରଖିଥିଲା। ମଲ୍ ମାଲିକଙ୍କୁ ଚୂନ ଲଗାଇବା ନୂଆ ଫଣ୍ଡା ଆପଣାଇଥିଲା। ବିଭିନ୍ନ ମଲ୍କୁ ଏକ ଲ୍ୟାପ୍ଟପ୍ ବ୍ୟାଗ୍ ନେଇ ଭିତରକୁ ଯାଉଥିଲା। ହେଲେ ସେଥିରେ ଲ୍ୟାପଟପ୍ ନଥିଲା। ବ୍ୟାଗ୍ରେ କିଛି ଟ୍ୟାଗ୍ ଓ କଟର ନେଇ ଭିତରକୁ ପଶୁଥିଲା। ଏହାପରେ ବ୍ରାଣ୍ଡ କପଡ଼ାକୁ ଟ୍ରାଏଲ୍ ଆଳରେ ଟ୍ରାଏଲ୍ ରୁମ୍କୁ ନେଇ ଯାଉଥିଲା। ସେଠାରେ ସେ ମଲ୍ର ଟ୍ୟାଗ୍କୁ କାଟି ନିଜର ଟ୍ୟାଗ୍ ଲଗାଉଥିଲା। ଯେହେତୁ ମଲ୍ ଟ୍ୟାଗ୍ ରହିଲେ ଗେଟ୍ରେ ଧରାପଡ଼ିବ ଏବଂ ସ୍କାନର୍ରେ ଜଣାପଡ଼ିଯିବ; ତେଣୁ ବାରକୋର୍ଡ ଟାମ୍ପର ସହ ମାଗ୍ନେଟିକ ଟ୍ୟାଗକୁ କାଟି ହଟାଇ ଦେଉଥିଲା। ଆଉ କପଡ଼ାଗୁଡ଼ିକୁ ଲ୍ୟାପଟପ୍ ବ୍ୟାଗ୍ରେ ଭର୍ତ୍ତିକରି ଅନାୟାସରେ ବାହାରକୁ ଚାଲି ଆସୁଥିଲା।
କର୍ମଚାରୀ କି ସୁରକ୍ଷା କର୍ମୀ କେହି ଜାଣି ପାରୁନଥିଲେ। ଏମିତିକି ସ୍କାନର ବି ଫେଲ୍ ମାରୁଥିଲା। ଏହାପରେ କାଳୁ ମଲ୍କୁ ଆସିଥିବା ଗ୍ରାହକଙ୍କୁ ମଲ୍ ବାହାରେ ସେହିସବୁ କପଡ଼ାକୁ ଅଧାଦାମ୍ରୁ ବି ଶସ୍ତା ଦରରେ ବିକି ଦେଉଥିଲା। ତେବେ ଚୋର ଘର ସବୁଦିନ ଅନ୍ଧାର ରହେନା। ମଙ୍ଗଳବାର ଦିନ କାଳୁ ବ୍ରାଣ୍ଡ ଫ୍ୟାକ୍ଟ୍ରିରୁ ଏଭଳି ଚୋରି କଲାବେଳେ କର୍ମଚାରୀମାନେ ତାକୁ କାବୁ କରି ନେଇଥିଲେ। ଏହାପରେ ସହିଦନଗର ଥାନା ପୁଲିସକୁ ଫୋନ୍ କରି ଜଣାଇଥିଲେ। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ ଗିରଫ କରିବା ସହ ବହୁ ଡ୍ରେସ୍ ଜବତ କରିଥିଲା।