ସମ୍‌ରେ ସୁସ୍ଥ ହେଲେ ବ୍ଲାକ୍‌ ଫଙ୍ଗସ୍‌ ଆକ୍ରାନ୍ତ

ଭୁବନେଶ୍ବର: ସମ୍‌ ହସ୍ପିଟାଲରେ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ଜଣେ ରୋଗୀଙ୍କ ସଫଳ ଚିକିତ୍ସା କରାଯାଇଛି। ଗଞ୍ଜାମ ଜିଲ୍ଲାର ୪୪ ବର୍ଷର ଏହି ଆକ୍ରାନ୍ତଜଣକଙ୍କ ଆଖି କ୍ଷତିଗ୍ରସ୍ତ ହୋଇଥିଲେ ହେଁ ସେ ଏବେ ସୁସ୍ଥ ହୋଇଛନ୍ତି। ଗଞ୍ଜାମର ଏହି ରୋଗୀଜଣକ କରୋନାରେ ସଂକ୍ରମିତ ହେବା ପରେ ସମ୍ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ। ହସ୍ପିଟାଲରେ ୧୦ ଦିନ କାଟିବା ପରେ ତାଙ୍କୁ ଡିସ୍‌ଚାର୍ଜ କରି ଦିଆଯାଇଥିଲା। ମଧୁମେହରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ ନିଶ୍ବାସପ୍ରଶ୍ବାସ ଜନିତ ସମସ୍ୟା ପାଇଁ ଷ୍ଟେରୋଏଡ୍‌ ଦିଆଯାଇଥିଲା। ହସ୍ପିଟାଲରୁ ଡିସଚାର୍ଜ ହେବାର ୫ଦିନ ପରେ ତାଙ୍କର ବାମପଟ ମୁହଁ ଫୁଲିଯିବା ସହ ଆଖି ଭିତର ମଧ୍ୟ ଫୁଲିଥିଲା। ସମ୍‌ରେ ଭର୍ତ୍ତି ହେବା ପରେ ହସ୍ପିଟାଲର ଇନ୍‌ଏଟି ବିଭାଗର ମୁଖ୍ୟ ଡା. ରାଧାମାଧବ ସାହୁ ତାଙ୍କ ନାକର ଏଣ୍ଡୋସ୍କୋପି କରିଥିଲେ। ଏହାସହ ଫଙ୍ଗାଲ ଷ୍ଟେନ୍ ଓ କଲଚର୍‌ ପାଇଁ ନମୁନା ପଠାଯାଇଥିଲା। ରିପୋର୍ଟରେ ମ୍ୟୁକରମାଇକୋସିସ୍ ବା ବ୍ଲାକ୍‌ ଫଙ୍ଗସ୍‌ ରହିଥିବା ଜଣାପଡ଼ିବା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ରୋଗୀଙ୍କୁ ଆମ୍ପୋଟେରିସିନ୍‌-ବି ଦିଆଯିବା ସହିତ ଚିକିତ୍ସା ଜାରି ରହିଥିଲା।

ଏହି ଡାକ୍ତରୀ ଦଳରେ ସ୍ନାୟୁରୋଗ ବିଶେଷଜ୍ଞ ଡା. ଅଖିଳ କୁମାର ପଣ୍ଡା, ଚକ୍ଷୁରୋଗ ଡା. ସ୍ବାତୀ ସାମନ୍ତ, ଏଣ୍ଡ୍ରୋକାଇନୋଲୋଜି ବିଶେଷଜ୍ଞ ଡା. ଅଭୟ କୁମାର ସାହୁ, ମାଇକ୍ରୋବାଇଓଲୋଜି ଡା. ପୂରବୀ ବରାଳ, ପାଥୋଲୋଜି ଡା. ଶୁଭାଶିଷ ମହାନ୍ତି, ରେଡିଓଲୋଜି ଡା. ଗୋଲକ ପାସା ଓ ନିଶ୍ଚେତକ ବିଶେଷଜ୍ଞ ଡା. ଦୀପଙ୍କର ପଢ଼ିହାରୀ ପ୍ରମୁଖ ସାମିଲ ହୋଇଥିଲେ।
ରାଜ୍ୟରେ ଗତକାଲି ସୁଦ୍ଧା ବ୍ଲାକ୍‌ ଫଙ୍ଗସ୍‌ରେ ୨୫ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର