ମୁଣ୍ଡବିନ୍ଧା କଲାଣି ସାଇବର ଅପରାଧ, ସାଇବର ଫରେନ୍‌ସିକ୍‌ ଲ୍ୟାବ୍‌ ସ୍ଥାପନ ପାଇଁ ଚିଠି

ଭୁବନେଶ୍ବର: ମୁଣ୍ଡବିନ୍ଧା କଲେଣି ସାଇବର ଅପରାଧୀ। ଯୋଜନ ଯୋଜନ ଦୂରରେ ବସି ଆକାଉଣ୍ଟ ଖାଲି କରି ଦେଉଥିବା ବେଳେ ମହିଳାଙ୍କ ଚେହେରାକୁ ଆଉ କାହା ଶରୀରରେ ଲଗାଇ ବ୍ଲାକ୍‌ ମେଲ କଲେଣି। କେହି କେହି ଏଥିପାଇଁ ଅଭିଯୋଗ ନ କରିପାରି ଆତ୍ମହତ୍ୟା କଲେଣି। ଏଭଳି ଏକ ବିଚିତ୍ର ସ୍ଥିତି କମିସନରେଟ୍‌ ପୁଲିସର ଚିନ୍ତା ବଢ଼ାଇ ଦେଇଛି। କେବଳ କୋଭିଡ୍‌ କଟକଣା ବେ‌‌ଳେ ଭୁବନେଶ୍ବରରେ ୫ଶହରୁ ଊର୍ଦ୍ଧ୍ବ ସାଇବର ମାମଲା ପଞ୍ଜୀକୃତ ହୋଇଥିବା ବେଳେ ଅଦ୍ୟାବଧି ୮ଶହରୁ ଊର୍ଦ୍ଧ୍ବ ମାମଲା ପଡ଼ି ରହିଛି। କ୍ରାଇମ୍‌ବ୍ରାଞ୍ଚ ନିକଟରେ ମଧ୍ୟ ମାମଲା ସଂଖ୍ୟା କମ୍‌ ନାହିଁ। ଏଭଳି ବିଚିତ୍ର ସ୍ଥିତିକୁ ସମ୍ଭାଳିବା ପାଇଁ ବା ଏଠାରେ ହିଁ ଅପରାଧଗୁଡ଼ିକର ସମାଧାନ କରିବା ପାଇଁ ଯୋଜନା ହୋଇଛି। କମିସନରେଟ୍‌ ପୁଲିସରେ ସାଇବର ଫରେନ୍‌ସିକ୍‌ ଲ୍ୟାବ୍‌ ସ୍ଥାପନ ପାଇଁ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ପୁଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି। ବିଶେଷକରି ମହିଳାଙ୍କ ବିରୋଧରେ ହେଉଥିବା ସାଇବର ଅପରାଧର ତଦନ୍ତ ପାଇଁ ଏହି ଲ୍ୟାବ୍‌ ବେଶ ସହାୟକ ହେବ ବୋଲି କୁହାଯାଉଛି। ଅନ୍ୟପଟେ ସମସ୍ତ ସାଇବର ଅପରାଧର ସଫଳ ତଦନ୍ତ ପାଇଁ ୩ ଜଣ ଏସ୍‌ଆର ପ୍ରଶିକ୍ଷଣ ପାଇ ସାରିବା ପରେ ପ୍ରସ୍ତୁତ ହୋଇ ରହିଥିବା ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାଶ।

ସାଇବର ଅପରାଧୀମାନେ ମହିଳାଙ୍କୁ ଟାର୍ଗେଟ କରୁଛନ୍ତି। ସେମାନଙ୍କୁ ଜାଲରେ ପକାଇ ବ୍ଲାକ୍‌ମେଲ୍‌ କରୁଛନ୍ତି। ଅନେକ ମହିଳା ଏହି ଅପରାଧ ସମ୍ପର୍କରେ ଅଜ୍ଞ ଥିବାରୁ ଜଲ୍‌ଦି ଶିକାର ହୋଇଯାଉଥିବା ବେଳେ ଅନ୍ୟ ଶିକ୍ଷିତମାନେ ମଧ୍ୟ ଏଥିରୁ ବାଦ୍‌ ଯାଉ ନାହାନ୍ତି। ଅନ୍‌ଲାଇନ୍‌ର ବ୍ୟବହାର ବଢ଼ିଥିବାରୁ ଅନେକ ସମୟରେ ମହିଳା ବାଧ୍ୟ ହୋଇ ଏହି ଅପରାଧୀମାନଙ୍କର ଶିକାର ହୋଇ ଯାଉଛନ୍ତି। ବଡ଼କଥା ହେଉଛି ଏହି ସବୁ ଅପରାଧର ତଦନ୍ତ ପାଇଁ ସାଇବର ଫରେନସିକ୍ ଲ୍ୟାବ୍‌ ନ ଥିବାରୁ ପୁଲିସ ମଧ୍ୟ ଅସହାୟ ହୋଇପଡ଼ୁଛି। ଏଣୁ ଆବଶ୍ୟକ ଡିଜିଟାଲ୍ ଫରେନସିକ୍ ଉପକରଣ ସହ କମିସନରେଟ୍‌ ପୁଲିସ ପାଖରେ ସାଇବର ଅନୁସନ୍ଧାନ ସେଲ୍ ରହିବା ଜରୁରୀ ହୋଇଛି। ଯେଉଁଥିରେ ଡାଟାବେସ୍ ଫରେନସିକ୍, ଡିସ୍କ ଏବଂ ଡାଟା କ୍ୟାପଚର, ଇମେଲ୍ ଏବଂ ଫାଇଲ୍ ଆନାଲିସିସ୍, ଫାଇଲ୍ ଭ୍ୟୁ, ମୋବାଇଲ୍ ଡିଭାଇସ୍ ଆନାଲିସିସ୍ ବ୍ୟବସ୍ଥା ରହିବା ଆବଶ୍ୟକତା ରହିଛି। ଏ ସମସ୍ତ ବ୍ୟବସ୍ଥା ପାଇଁ ୧ କୋଟି ୨୬ ଲକ୍ଷ ୮୫ ହଜାର ୨୧୬ଟଙ୍କା ଖର୍ଚ୍ଚ ହେବାକୁ ଆକଳନ କରାଯାଇଛି। ନିର୍ଭୟା ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ କରି କମିସନରେଟ୍‌ ପୁଲିସକୁ ସୁଦୃଢ଼ କରିବା ପାଇଁ କମିସନର ଦେଇଥିବା ପ୍ରସ୍ତାବରେ ଲେଖିଛନ୍ତି।

କମିସନରେଟ୍‌ ପୁଲିସରେ ୨୦୧୮ମସିହାରେ ୭୯ଟି ସାଇବର ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ ମସିହାରେ ୧୭୫ଟି ମାମଲା ରୁଜୁ ହୋଇଛି। ୨୦୨୦ ମସିହାରେ ଆଜି ପର୍ଯ୍ୟନ୍ତ ୫୬୧ ମାମଲା ରୁଜୁ ହୋଇଛି। ଲକ୍‌ଡାଉନ୍‌ରେ କେବଳ ୫ଶହ ସାଇବର ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଏହି ସବୁ ମାମଲା କେବଳ କମିସନରେଟ୍‌ ପୁଲିସର ବିଭିନ୍ନ ଥାନାରେ ଦାୟର ହୋଇଥିବା ବେଳେ ସିଧାସଳଖ ମଧ୍ୟ ଅନେକ ମାମଲା କଟକ ସାଇବର ଥାନା ଓ କ୍ରାଇମ୍‌ବ୍ରାଞ୍ଚକୁ ଯାଇଛି। ଏ ସବୁକୁ ହିସାବକୁ ନେଲେ ପଡ଼ି ରହିଥିବା ସାଇବର ମାମଲାର ସଂଖ୍ୟା ଦେଢ଼ ହଜାରରୁ ବେଶୀ ହେବ ବୋଲି ଆଶଙ୍କା କରାଯାଉଛି। ଯାହା ପୁଲିସ ପାଇଁ ଏକ ଚାଲେଞ୍ଜ ହୋଇଛି।

ମହିଳାଙ୍କ ଉପରେ ହେଉଥିବା ଅପରାଧକୁ ଛାଡ଼ିଦେଲେ ଏଟିଏମ୍‌ କାର୍ଡ ନବୀକରଣ, କ୍ରେଡିଟ୍‌ କାର୍ଡ ଆକ୍ଟିଭେସନ, ନୂଆ ଗ୍ୟାସ୍‌ ସଂଯୋଗ, ଅନ୍‌ଲାଇନ୍‌ରେ ମଦ ଏଭଳି ବିଭିନ୍ନ ଉପାୟରେ ଦୁର୍ବୃତ୍ତ ଅନ୍‌ଲାଇନ୍‌ରେ କୋଟି କୋଟି ଟଙ୍କା ଠକି ନେଉଥିଲେ ମଧ୍ୟ ଗୋଟିଏ ‌ହେଲେ ମାମଲାରେ ପୁଲିସକୁ ସଫଳତା ମିଳିନାହିଁ। ବରିଷ୍ଠ ଓଏଏସ୍‌, ଆଇପିଏସ୍‌, ଆଇଏଏସ୍‌ ଅଧିକା‌ରୀଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ବେଳେ ମନ୍ତ୍ରୀଙ୍କର ଇମେଲ୍‌ ଆକାଉଣ୍ଟ ମଧ୍ୟ ହ୍ୟାକ୍‌ ହୋଇଛି। ହେଲେ କୌଣସି ଥିରେ ପୁଲିସ ସଫଳତା ପାଇ ପାରି ନାହିଁ।

ସମ୍ବନ୍ଧିତ ଖବର